ଆଜି ପୁଣି ସରଗରମ ହୋଇପାରେ ବିଧାନସଭା

ଭୁବନେଶ୍ୱର: ଆଜି ପୁଣିଥରେ ସରଗରମ ହୋଇପାରେ ବିଧାନସଭା ଅଧିବେଶନ । ବିରୋଧୀ ବିଜେପିର ଦୁଇ ବିଧାୟକ ବାଚସ୍ପତିଙ୍କ ଉପରକୁ ଡାଲି ଫିଙ୍ଗିବା ଘଟଣାରେ ନିଲମ୍ବିତ ହୋଇଛନ୍ତି । ଯାହାକୁ ବିଜେପି ନାପସନ୍ଦ କରିଛି । ଆଉ ବାଚସ୍ପତି ପକ୍ଷପାତିତା କରୁଥିବା ଅଭିଯୋଗ ଆଣିଛି । ଏପରି ସ୍ଥିତିରେ ବିଜେପି ପ୍ରତବାଦ କରିବ ବୋଲି ସୂଚନା ରହିଛି । ସେହିପରି ଶାସକ ଦଳ ବିଜେଡି ମଧ୍ୟ ବିଜେପିକୁ କାଉଣ୍ଟର କରିବାକୁ ଯୋଜନା କରିଛି । ମହିଳାଙ୍କୁ ଅସମ୍ମାନ ପ୍ରସଙ୍ଗ ଉଠାଇ ବିଜେପିକୁ ଘେରିବା ନେଇ ସୂଚନା ରହିଛି ।
ଶନିବାର ଗୃହରେ ଅତିରିକ୍ତ ବଜେଟର ଖର୍ଚ୍ଚ ଦାବି ଆଲୋଚନା ରହିଛି । ପଞ୍ଚାୟତି ରାଜ ଓ ସ୍କୁଲ୍ ଗଣଶିକ୍ଷା ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହେବ। ସେହିପରି ପର୍ୟ୍ୟଟନ,ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ,ମହିଳା ଓ ଶିଶୁ ବିକାଶ,ଅବକାରୀ,ଆଇନ,ମିଶନ ଶକ୍ତି,ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ର ପ୍ରଶ୍ନ କାଳ ରହିଛି । ମୁଖ୍ୟ ବିରୋଧୀ ବିଜେପି ବିଧାୟକ ମାନେ ଗୃହକୁ ନଚଳାଇ ଦେବାକୁ ରଣନୀତି କରି ଆସୁଥିବାରୁ ପ୍ରଶ୍ନକାଳ ସ୍ଵାଭାବିକ ଭାବେ ଚାଲିବ କି ନାହିଁ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।