ଆରମ୍ଭ ହେଲା ଶ୍ରାବଣ ମାସ :ଜାଣନ୍ତୁ ଲଡୁବାବା, ଲଡୁକେଶ ବା ଲଡୁକେଶ୍ୱର ଙ୍କ ରୋଚକ କାହାଣୀ
ନବୀନ ଓଡିଶା : ନୟାଗଡ଼ ଜିଲ୍ଲାର ଶରଣକୁଳରେ କେଉଁ ଆବାହମାନ କାଳରୁ ଭକ୍ତ ଜନଙ୍କର ସଙ୍କଟମୋଚନ କରିବା ନିମନ୍ତେ ସ୍ବୟଂ ଆବିର୍ଭୂତ ହୋଇ ଛତ୍ରାକାର ଲିଙ୍ଗ ସ୍ବରୁପୀ ହରିହର ମୂର୍ତ୍ତି ପୂଜା ପାଇ ଆସୁଛନ୍ତି ଲଡୁବାବା, ଲଡୁକେଶ ବା ଲଡୁକେଶ୍ୱର ନାମରେ। ପ୍ରଭୁଙ୍କ ପରି ପ୍ରଭୁଙ୍କର ଏହି ନାମକରଣ ମଧ୍ୟ ବଡ଼ ରହସ୍ୟମୟୀ। ନାମକରଣ ସଂପର୍କରେ ବିଭିନ୍ନ ଜ୍ଞାନୀ ବ୍ୟକ୍ତିମାନେ ବିଭିନ୍ନ ମତ ଦିଅନ୍ତି। ସେମାନଙ୍କର ସେହି ମତ ଗୁଡ଼ିକରୁ କେତୋଟି ଏଠାରେ ସ୍ଥାନିତ କରାଯାଉଛି।
ନକୁଳି ସଂପ୍ରଦାୟ: ପ୍ରଥମେ ଆଦିବାସୀ ନକୁଳିମାନେ ଏଠାରେ ବାସ କରି ଏହି ଲିଙ୍ଗଙ୍କର ପୂଜାରାଧନା କରୁଥିବାରୁ ପ୍ରଭୁଙ୍କର ନାମ ନକୁଳେଶ ହୋଇଥିଲା। ପରବର୍ତ୍ତୀ ସମୟରେ ତାହା ଲଡ଼ୁକେଶରେ ରୂପାନ୍ତରିତ ହୋଇଛି।
ଲିଙ୍ଗର ଆକାରାନୁସାରେ: ପ୍ରଭୁଙ୍କର ଲିଙ୍ଗ ଲଡୁ ଆକାରର ବୋଲି ତାଙ୍କର ନାମକରଣ ଲଡୁବାବା ବା ଲଡ଼ୁକେଶ୍ୱର ହୋଇଅଛି।
ପାରିବାରିକ ସଂପର୍କ: ଅଗ୍ରପୂଜ୍ୟ ଗଜାନନ ଗଣେଶ ଲଡ଼ୁପ୍ରିୟ ଏଣୁ ତାଙ୍କର ଅନ୍ୟ ନାମ ମଧ୍ୟ ଲଡୁ। ଲଡ଼ୁ ନାମଧାରି ଗଣେଶଙ୍କ ପିତା ବା ବାବା ପ୍ରଭୁ ଶିବ ଶଙ୍କର, ଏଣୁ ତାଙ୍କ ନାମ ଲଡୁବାବା।
କୁଳ ବା ଜାତି ହୀନତା: ପ୍ରଭୁ ଶିବ ଶଙ୍କରଙ୍କର କୁଳ ବା ଜାତି ନାହିଁ। ତାଙ୍କର ଅନୁଗାମୀ ମାନଙ୍କର ମଧ୍ୟ କୁଳ ନାହିଁ। ଏଣୁ ସେ କୁଳ ହୀନମାନଙ୍କର ଈଶ (ନ+କୁଳ+ଈଶ) ନକୁଳେଶ (ଲଡ଼ୁକେଶ)।
ପଦ୍ମଶ୍ରୀ ସଦାଶିବ ରଥଶର୍ମାଙ୍କ ମତାନୁସାରେ: ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ପରେ ଗୋପପୁରରେ ନନ୍ଦଘରେ ନନ୍ଦଉତ୍ସବ ଚାଲିଥାଏ। ସମସ୍ତ ଦେବୀ ଦେବତାମାନେ ନିମନ୍ତ୍ରଣ ପାଇ ଉକ୍ତ ଉତ୍ସବରେ ଯୋଗ ଦେବା ନିମନ୍ତେ ତଥା ବାଳ ଗୋପାଳଙ୍କ ଦର୍ଶନ ପ୍ରାପ୍ତି ପାଇଁ ଗୋପପୁର ଅଭିମୁଖେ ଚାଲିଥାନ୍ତି। ନିମନ୍ତ୍ରଣ ପାଇ ପ୍ରଭୁ ଶିବଶଙ୍କର ମଧ୍ୟ ଖୁସି ମନରେ ଯାଉଥାନ୍ତି। ରାସ୍ତାରେ ଯମୁନା ଦେବୀ ଉଭା ହୋଇ ମହେଶ୍ୱରଙ୍କୁ ଅନୁରୋଧ କଲେ ଯେ ସେ ମଧ୍ୟ ନନ୍ଦ ଉତ୍ସବରେ ଯୋଗ ଦେବା ପାଇଁ ଇଚ୍ଛୁକ। କିନ୍ତୁ ବିନା ନିମନ୍ତ୍ରଣରେ ଯିବେ କିପରି। ନିମନ୍ତ୍ରିତ ଅତିଥିଙ୍କ ସହ ଯିବାରେ କିଛି ବାଧା ନାହିଁ ବୋଲି କହି ମା’ ଯମୁନାଙ୍କୁ ଶଙ୍କର ମହାପ୍ରଭୁ ସାଙ୍ଗରେ ନେଇ ଗୋପପୁରରେ ପହଁଚିଲେ।
ବନ୍ଧୁଘରେ କୌଣସି ଉତ୍ସବରେ ଯୋଗଦେବାକୁ ଗଲେ ସେଠି ବନ୍ଧୁଙ୍କୁ ଟିକେ ସହଯୋଗ କରିବା କଥା । ଶଙ୍କର ମହାପ୍ରଭୁ ସାହାଯ୍ୟ କରିବାକୁ ଯାଇ ପରଶୁଣି ଦାୟିତ୍ୱ ତୁଲାଇଲେ ଏବଂ ଲଡ଼ୁ ବାଣ୍ଟିବା ପାଇଁ ବାହାରିଲେ। ପଂକ୍ତିରେ ବସିଥିବା ଭୋଜନାଥିର୍ମାନେ ପରଶୁଣି ବାବାଙ୍କର ନାମ ଜାଣିନଥିଲେ। ଏଣୁ ଲଡ଼ୁ ମାଗିବା ବେଳେ ପାଟି କରି ଡାକିଲେ ହେ ଲଡୁବାବା! ହେ ଲଡ଼ୁବାବା!
ଫଳରେ ଲଡୁ ବାଣ୍ଟୁଥିବା ବାବାଜୀଙ୍କ ନାମ ଲଡ଼ୁବାବା ହୋଇଗଲା। ସଙ୍ଗରେ ଯାଇଥିବା ମା’ ଯମୁନା ଶିବଶଙ୍କରଙ୍କ ଯୋଗୁଁ ବାଳ ଗୋପାଳ ଦର୍ଶନ ପାଇଲେ ଏଣୁ ତାଙ୍କରି ପାଖରେ ସବୁଦିନ ରହିବାକୁ ଇଚ୍ଛା କରି ଆସ୍ଥାନ ଜମେଇଲେ । ମା’ ଯମୁନାଙ୍କର ବାହାନ କଇଁଛ। ଲଡ଼ୁବାବା ପୀଠରେ ଅବସ୍ଥାନ କରିଥିବା ମା’ଙ୍କ ସିଂହାସନ ଉପରେ କଇଁଛ ମୂର୍ତ୍ତି ଦେଖି ଏ ସ୍ୱୟଂ ଯମୁନା ବୋଲି ଶ୍ରୀମନ୍ଦିର ଗବେଷକ ତାଙ୍କର ଲଡ଼ୁକେଶ ମନ୍ଦିର ସମ୍ମୁଖସ୍ଥ ପ୍ରବଚନ ସଭାରେ ଯୁକ୍ତି ବାଢ଼ିଥିଲେ।
ଶୈବ ସଂପ୍ରଦାୟ ଅନୁସାରେ: ଶୈବ ସଂପ୍ରଦାୟର ଶୈବ, ପାଶୁପତ୍ୟ, କାଳଦମନ ଓ କାପାଳିକ ଏହିପରି ଚାରିଗୋଟି ଶ୍ରେଣୀ ରହିଛି। ଏମାନଙ୍କ ମଧ୍ୟରୁ ପାଶୁପତ୍ୟ ମତର ଐତିହାସିକ ପ୍ରଣେତା ନକୁଳୀଶ ବା ଲକୁଳୀଶ। ତାଙ୍କୁ ଭଗବାନ ଶଙ୍କରଙ୍କର ଅଷ୍ଟାଦଶ ଅବତାର ମଧ୍ୟରେ ପ୍ରଥମ ଅବତାର ଭାବରେ ଗ୍ରହଣ କରାଯାଏ।
ତାଙ୍କର ରାଜପୁତନା (ଗୁଜରାଟ) ଅଞ୍ଚଳରେ ଥିବା ମୂର୍ତ୍ତିରେ ଡାହାଣ ହାତରେ ବୀଜପୁର ଫଳ ଏବଂ ବାମହସ୍ତରେ ଦଣ୍ଡ ବା ଲଗୁଡ଼ ଧାରଣ କରିଥିବାର ଦେଖାଯାଏ। ସେ ଲଡ଼ୁକ ବା ଦଣ୍ଡ ଧାରଣ କରିଥିବାରୁ ତାଙ୍କୁ ଲଡ଼ୁକେଶ୍ୱର କୁହାଯାଏ। ସେହି ନାମ ଭୋଳାନାଥ ଲଡୁବାବାଙ୍କର ଏକ ନାମ ଅଟେ।
ଏକଦା ଉକ୍ତ ସ୍ଥାନରେ ଲୋହାଶୁର ନାମକ ଏକ ବ୍ରହ୍ମ ଅସୁର ଉତ୍ପାତ ସୃଷ୍ଟିକରି ଅନେକ ମଣିଷଙ୍କୁ ଖାଇଗଲା, ଧନ ଜୀବନ ନଷ୍ଟ କଲା, ଦେବତାଙ୍କୁ କଷ୍ଟଦେଲା। ବ୍ରହ୍ମ ରାକ୍ଷସ ମଣିଷଙ୍କୁ ଖାଇସାରିବା ପରେ ଏକ ଲୁହାଖଣ୍ଡ ହୋଇ ଗୁପ୍ତରେ ଏକ ଆଜ୍ଞାତ ସ୍ଥାନରେ ପଡ଼ିଯାଏ। ପୁଣି ଭୋକ ହେଲେ ଉଠି ସ୍ବରୂପ ଧରି ମନ ଇଛା ମନୁଷ୍ୟଙ୍କୁ ମାରି ଖାଇଯାଏ।
ଏପରି ଦେଖି ନିଜ ଜୀବନ ବଞ୍ଚାଇବା ପାଇଁ ଦେବତା ମନୁଷ୍ୟ ମିଳିତ ହୋଇ ବ୍ୟାକୁଳତାର ସହିତ ଈଶ୍ୱରଙ୍କୁ ପ୍ରାର୍ଥନା କଲେ। ଭକ୍ତଙ୍କ ଗୁହାରି ଶୁଣି ତ୍ରିଦେବ ଅସୁରକୁ ବଧ କରିବା ପାଇଁ ଉପାୟ ପାଞ୍ଚିଲେ, ଭଗବାନ ଶିବ ଲ୍ୟାହୀ ହେଲେ, ଭଗବାନ ବ୍ରହ୍ମା ହାତୁଡ଼ି ହେଲେ ଏବଂ ଭଗବାନ ବିଷ୍ଣୁ ଲୋହ୍ୟ ରୂପେ ପଡ଼ିଥିବା ଅସୁରକୁ ସେଥିରେ ରଖି ବ୍ରହ୍ମ ହାତୁଡିରେ ପିଟି ଅସୁରକୁ ବଧ କଲେ। ସ୍ଥାନର ନାମ ଅସୁରଢ଼ୀପା ଗ୍ରାମ ନାମରେ ବିଖ୍ୟାତ ହେଲା। ଲ୍ୟାହୀ ହରି ହର ଲିଙ୍ଗ ଲଡ଼ୁବାବାଙ୍କ ନାମରେ ପ୍ରସିଦ୍ଧ ହେଲେ।
ଲଡ଼ୁବାବାଙ୍କୁ ନିଜ ଇଷ୍ଟ କରିବା ନିମନ୍ତେ, ନୟାଗଡ଼ ରାଜା ଗୁହାରିଆ ପଡ଼ିଲେ, ଠାକୁରଙ୍କ ସ୍ବପ୍ନାଦେଶରେ ସେ ରଣପୁର ରାଜାଙ୍କ ସହ ଯୁଦ୍ଧ କଲେ। ଯୁଦ୍ଧରେ ଲଢ଼ି ବିଜୟଲାଭ କରି ଠାକୁରଙ୍କୁ ନିଜ ଇଷ୍ଟଦେବତା ରୂପେ ପ୍ରତିଷ୍ଠିତ କରିଥିବାରୁ ନାମ ରଖିଲେ ଲଢୁଆବାବା। କାଳକ୍ରମେ ଲଡ଼ୁବାବା ନାମରେ ପ୍ରସିଦ୍ଧ ହେଲେ।
ଠାକୁରଙ୍କୁ ଲଡ଼ୁ ପ୍ରିୟ ଥିବାରୁ ଲଡ଼ୁବାବା ବୋଲାଇଲେ ବୋଲି ମଧ୍ୟ ଏକ ଜନଶୃତି ଶୁଣାଯାଏ।