ରାଜ୍ୟର ୬୦% ଗାଁରେ ନାହିଁ ପାଇପ୍‌ ଯୋଗେ ଜଳ ଯୋଗାଣ ସୁବିଧା

TAP WATER CONNECTION ODISHA

Sep 27, 2023 - 04:31
 46
ରାଜ୍ୟର ୬୦% ଗାଁରେ ନାହିଁ ପାଇପ୍‌ ଯୋଗେ ଜଳ ଯୋଗାଣ ସୁବିଧା

 କଥାରେ ଅଛି ଜଳ ହିଁ ଜୀବନ । ମଣିଷର ଜୀବନଧାରଣ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ହେଉଛି ପାଣି । ବିଶୁଦ୍ଧ ପାନୀୟ ଜଳ ଆମକୁ ଅନେକ ରୋଗରୁ ରକ୍ଷା କରିପାରେ ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ସବୁବେଳେ ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ବ୍ୟବହାର ପାଇଁ ପରାମର୍ଶ ଦେଉଛି କିନ୍ତୁ ଆମ ରାଜ୍ୟରେ ଆଜି ପର୍ଯ୍ୟନ୍ତ ପ୍ରାୟ ୨୮ ହଜାର ରୁ ଅଧିକ ଗାଁ କୁ ପାଇପ୍‌ ଯୋଗେ ଜଳ ଯୋଗାଣ କରାଯାଇପାରି ନାହିଁ । ଏହି ତଥ୍ୟ ଦେଇଛନ୍ତି ପାନୀୟ ଜଳ ବିଭାଗର ମନ୍ତ୍ରୀ ପ୍ରଦୀପ ଅମାତ । କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ସେହି ସୂଚନା ଅନୁସାରେ ସେପ୍ଟେମ୍ବର ୨୨ ସୁଦ୍ଧା ଆମ ରାଜ୍ୟର ସର୍ବମୋଟ ୪୭ ହଜାର ୨୭୪ ଟି ଗାଁ ଭିତରୁ ୧୯ ହଜାର ୧୩୧ଟି ଗାଁ କୁ ଗାଁ ପାଇପ୍ ଯୋଗେ ଜଳ ସଂଯୋଗ ଦିଆଯାଇଛି। ବାକି  ପ୍ରାୟ ୬୦ ପ୍ରତିଶତ ଗାଁ ଅର୍ଥାତ  ୨୮,୧୪୩ଟି ଗାଁ କୁ ଗାଁ ପାଇପ୍ ଯୋଗେ ଜଳ ଯୋଗାଣ ସୁବିଧା ଉପଲବ୍ଧ ନାହିଁ । ତେବେ ୨୦୨୪ ସୁଦ୍ଧା ସରକାର ରାଜ୍ୟର ସମସ୍ତ ଗାଁ କୁ ପାଇପ୍‌ ଯୋଗେ ଜଳ ଯୋଗାଣ ସୁବିଧା ଯୋଗାଇ ଦେବେ ବୋଲି  ମନ୍ତ୍ରୀ ମତ ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ, ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୨ହଜାର ୭୨୭ଟି ଗାଁ କୁ ଗାଁ ଏପର୍ୟ୍ୟନ୍ତ ପାଣି ସଂଯୋଗ ମିଳିନାହିଁ। ଜିଲ୍ଲାରେ ଥିବା ୩ ହଜାର ୭୨୦ଟି ଗ୍ରାମ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୯୯୩ଟି ଗ୍ରାମକୁପାଇପ୍ ଯୋଗେ ଜଳ ଯୋଗାଣ କରାଯାଇଛି ବୋଲି ମନ୍ତ୍ରୀ କହିଛହିନ୍ତି। ମୟୂରଭଞ୍ଜ ପରେ କନ୍ଧମାଳରେ ୨ ହଜାର ୩୬୭ଟି ଗ୍ରାମରୁ ମାତ୍ର ୧୦୦ଟି ଗ୍ରାମକୁ ପାଇପ୍ ଯୋଗେ ଜଳ ଯୋଗାଣ ହୋଇଛି ବୋଲି ସେ କହିଛନ୍ତି।
୨୦୧୩-୧୪ରୁ ୨୦୨୨-୨୩ ପର୍ୟ୍ୟ ନ୍ତ ୧୦ ବର୍ଷରେ ରାଜ୍ୟ ସରକାର ଏହି ପ୍ରକଳ୍ପ ପାଇଁ ମୋଟ ୨୩ ହଜାର ୨୮୬ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ପ୍ରଦୀପ ଅମାତ କହିଛହିନ୍ତି। ୨୦୧୩-୧୪ରେ ଏହି ପ୍ରକଳ୍ପ ପାଇଁ ସରକାର ୪୪୧.୭୩ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ଗତ ଆର୍ଥିକ ବର୍ଷରେ ଏହା ୫,୯୧୩.୭୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି ବୋଲି ସେ କହିଛହିନ୍ତି। ୨୦୨୪ ସୁଦ୍ଧା ରାଜ୍ୟର ସବୁ ଗାଁ କୁ ଗାଁ ପାଇପ୍ ଯୋଗେ ଜଳ ଯୋଗାଣ ପାଇଁ ଓଡ଼ିଶା ସରକାର କାମ କରୁଛନ୍ତି ବୋଲି ସେ ସୂଚନା ଦେଇଛନ୍ତି ।
ଆଉ ୨୫ ବର୍ଷ ଭିତରେ ଭାରତ ଏକ ସମ୍ପୂର୍ଣ୍ଣ ବିକଶିତ ରାଷ୍ଟ୍ର ହୋଇଯିବ ବୋଲି ପ୍ରଧାନମନ୍ତ୍ରୀ ମତ ଦେଉଛନ୍ତି । ଭାରତର ଚନ୍ଦ୍ରଯାନ ଚନ୍ଦ୍ର ପୃଷ୍ଠରେ ଅବତରଣ କରି ଇତିହାସ ରଚି ସାରଲାଣି । ଜି-୨୦ ଭଳି ବିଶ୍ୱସ୍ତରୀୟ ସମ୍ମଳିନୀ ଆୟୋଜନରେ ଭାରତର ବିକାଶର ଚିତ୍ରକୁ ବିଶ୍ୱ ସମୁଦାୟରେ ଢେ଼ର ପ୍ରଶଂସା କରାଯାଉଥିବା ବେଳେ ଜୀବନ ଧାରଣ ପାଇଁ     ଏକ ମୌଳିକ ଆବଶ୍ୟକତା ବିଶୁଦ୍ଧ ପାନୀୟ ଜଳ ପାଇ ନପାରିବା ନିଶ୍ଚିତ ଭାବରେ ଚିନ୍ତାଜନକ । ରାଜ୍ୟ ସରକାର ଏହି ବିଷୟକୁ ଗରୁତ ସହକାରେ ବିଚାର କରି ନିଶ୍ଚିତ ଭାବରେ ୨୦୨୪ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚେଷ୍ଟା କରିବା ଆବଶ୍ୟକ ବୋଲି ମତପ୍ରକଶ ପାଉଛି ।