ବଢ଼ୁଛି ଯୋଜନା ଗଡୁଛି କାମ 

BMC, BDA cremation ground

Sep 28, 2023 - 02:44
 10
ବଢ଼ୁଛି ଯୋଜନା ଗଡୁଛି କାମ 

ଭୁବନେଶ୍ୱର: ଭୁବନେଶ୍ୱରରେ ଥିବା ଡୁମୁଡୁମା, ଯଦୁପୁର, ଯଦୁପୁର କବ୍‌ରିସ୍ତାନ୍‌ ଓ ଗରାବଡୁ ଶ୍ମଶାନର ରୂପ ବଦଳିବାକୁ ଯାଉଛି । ଏଥିପାଇଁ ବିଡିଏ ପକ୍ଷରୁ ଯୋଜନା କରାଯାଇ ଟେଣ୍ଡର ଜରିଆରେ ଠିକା ସଂସ୍ଥା ଚୟନ କରାଯାଇଛି । ଏହି ଉନ୍ନତୀକରଣ କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବ ବୋଲି ଜଣାପଡିଛି । ତେବେ ସହରର ପ୍ରମୁଖ ସ୍ଥାନ ସତ୍ୟନଗରରେ ଥିବା ଶ୍ମଶାନ ଶୋଚନୀୟ ସ୍ଥିତିରେ ରହିଛି । ଗତ ଏପ୍ରିଲ୍‌ ୨୮ ତାରିଖରେ ମେୟର ସୁଲୋଚନା ଦାସ ଘଟଣାସ୍ଥଳ ପରିଦର୍ଶନ କରି ସ୍ୱର୍ଗଦ୍ୱାର ଭଳି ଏହାର ରୂପ ବଦଳାଇବାକୁ ପ୍ରତିଶ୍ରୁତି ଦେଇଥିଲେ । ବିଏମ୍‌ସିର ଏକ ଟିମ୍‌ ହାଇଦ୍ରାବାଦ୍‌ ଯାଇ ସେଠାକାର ଶ୍ମଶାନ ପରିଦର୍ଶନ କରିଥିଲା । ସେଠାରେ ଥିବା ସୁବିଧାଗୁଡିକୁ ଅନୁଧ୍ୟାନ କରିଥିଲା । ସେହି ହାଇଦ୍ରାବାଦ୍‌ ଢାଞ୍ଚାରେ ଶ୍ମଶାନର ରୂପରେଖ ପ୍ରସ୍ତୁତ କରାଯାଇଥିଲା । ତେବେ ଏହି ଘଟଣାକୁ ୬ ମାସ ବିତିବାକୁ ବସିଥିଲେ ମଧ୍ୟ ଏ ନେଇ ପ୍ରସ୍ତୁତି ଗୋଟିଏ ପାଦ ମଧ୍ୟ ଆଗକୁ ବଢ଼ି ପାରୁନାହିଁ । ସ୍ୱତନ୍ତ୍ର ଡିଜାଇନ୍‌ରେ ବିଡିଏ ଅନ୍ୟ ୪ ଶ୍ମଶାନର ଉନ୍ନତୀକରଣ କରିବାକୁ ଯୋଜନା କରିଥିବା ବେଳେ ସତ୍ୟନଗର ମଶାଣିର ବିକାଶ ଭଳି ଏହି ଯୋଜନା ଗୁଡିକ କାର୍ଯ୍ୟକାରୀ ହେବ ନା କେବଳ ଯୋଜନା ହୋଇ ରହିଯିବ ତାହା ଆଗକୁ ଜଣାପଡିବ ବୋଲି ମତପ୍ରକାଶ ପାଉଛି ।