କାଲି ଓଡିଶା ବନ୍ଦ, ପ୍ରତିବାଦରେ ସାମିଲ ହେବାକୁ BJDକୁ ଇଣ୍ଡି ମେଣ୍ଟର ଖୋଲା ନିମନ୍ତ୍ରଣ
ନବୀନ ଓଡିଶା ବ୍ଯୂର: ଭୁବନେଶ୍ବର: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦେଶବ୍ୟାପୀ ପ୍ରତିବାଦ କରୁଛନ୍ତି ବିରୋଧୀ । ଗତକାଲି ଇଣ୍ଡି ମେଣ୍ଟର ନେତାମାନେ ଦିଲ୍ଲୀରେ ପ୍ରତିବାଦ କରିଥିଲେ । ଆସନ୍ତାକାଲି ୮ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । SIR ସହ MMDR ଆଇନ, ପାଠ୍ୟପୁସ୍ତକ ତ୍ରୁଟି ଓ ବନ୍ୟା ସହାୟତା ପ୍ରସଙ୍ଗରେ ରାଜ୍ୟବ୍ୟାପୀ ପ୍ରତିବାଦର ଆହ୍ୱାନ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରତିବାଦରେ ସାମିଲ ହେବା ପାଇଁ ବିଜେଡିକୁ ଇଣ୍ଡି ମେଣ୍ଟ ଖୋଲା ନିମନ୍ତ୍ରଣ କରିଛି ।
MMDR-୨୦୨୬ ସଂଶୋଧନ, SIR, ପାଠ୍ୟପୁସ୍ତକ ତ୍ରୁଟି ଓ ବନ୍ୟା ସହାୟତା ଭଳି ପ୍ରସଙ୍ଗକୁ ନେଇ କଂଗ୍ରେସ ସମେତ ଇଣ୍ଡି ମେଣ୍ଟର ସହଯୋଗୀ ଦଳଗୁଡ଼ିକ ୮ ଅକ୍ଟୋବର ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ଡାକରା ଦେଇଛନ୍ତି । ଆଉ ଏହି ବନ୍ଦରେ ବିଜେଡି ସାମିଲ ହେଲେ ସ୍ୱାଗତ କରାଯିବ ବୋଲି ଇଣ୍ଡି ମେଣ୍ଟ ଖୋଲାଖୋଲି ଭାବେ କହିଛି ଅର୍ଥାତ୍, ରାଜନୈତିକ ମତପାର୍ଥକ୍ୟକୁ ପଛରେ ରଖି ରାଜ୍ୟ ସ୍ୱାର୍ଥର ପ୍ରସଙ୍ଗରେ ବିଜେଡିକୁ ଏକ ମଞ୍ଚକୁ ଆସିବା ପାଇଁ ଆହ୍ୱାନ ଦେଇଛି ଇଣ୍ଡିଆ ବ୍ଲକ । ଗୋଟିଏ ପଟେ ବନ୍ଦ ଦାବି ଓ ପ୍ରସଙ୍ଗକୁ ନେଇ ଇଣ୍ଡି ମେଣ୍ଟ ଏକାଠି ହୋଇଥିବା ବେଳେ, ଅପରପକ୍ଷରେ ବିଜେଡି ଏହି ଆହ୍ୱାନକୁ କିଭଳି ଗ୍ରହଣ କରିବ, ତାହା ଉପରେ ରାଜ୍ୟବାସୀଙ୍କ ନଜର ରହିଛି । ଏହା କେବଳ ୧୨ ଘଣ୍ଟିଆ ବନ୍ଦ, ନା ଓଡ଼ିଶାର ବିରୋଧୀ ରାଜନୀତିରେ ଏକ ବଡ଼ ସମନ୍ୱୟର ସଙ୍କେତ, ତାହାର ଚିତ୍ର ଆସନ୍ତାକାଲି ସ୍ପଷ୍ଟ ହେବ ।
ମଙ୍ଗଳବାର ଭୁବନେଶ୍ୱର କଂଗ୍ରେସ ଭବନରେ ଇଣ୍ଡି ମେଣ୍ଟର ବୈଠକ ବସିଥିଲା । ବୈଠକ ପରେ ବନ୍ଦ ପ୍ରସ୍ତୁତି ଓ ରଣନୀତି ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି ବୋଲି କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା ସୂଚନା ଦେଇଛନ୍ତି । କଂଗ୍ରେସ, ସିପିଆଇ, ସିପିଆଇଏମ୍, ଫରୱାର୍ଡ ବ୍ଲକ୍, ସମାଜବାଦୀ ପାର୍ଟି, ଆରଜେଡି ସମେତ ମେଣ୍ଟର ସହଯୋଗୀ ଦଳଗୁଡ଼ିକ ବନ୍ଦକୁ ସମର୍ଥନ ଜଣାଇଛନ୍ତି । ଇଣ୍ଡିଆ ବ୍ଲକ ପକ୍ଷରୁ ରାଜ୍ୟବାସୀଙ୍କୁ ୮ ଅକ୍ଟୋବର ବନ୍ଦକୁ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ସଫଳ କରିବାକୁ ଆହ୍ୱାନ କରାଯାଇଛି ।
