ଓଡ଼ିଶାରେ ‘ଡବଲ ଇଞ୍ଜିନ ସରକାର’

Jun 13, 2024 - 15:26
 5
ଓଡ଼ିଶାରେ ‘ଡବଲ ଇଞ୍ଜିନ ସରକାର’

ନବୀନ ଓଡିଶା ବ୍ଯୂର:ଭୁବନେଶ୍ୱର: ଓଡ଼ିଶାରେ ବୁଧବାରଠାରୁ ଆରମ୍ଭ ହୋଇଛି  ‘ଡବଲ ଇଞ୍ଜିନ ସରକାର’ । କେନ୍ଦୁଝର ବିଧାୟକ ମୋହନ ଚରଣ ମାଝି ରାଜ୍ୟର ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହ କନକ ବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତୀ ପରିଡ଼ା ଉପମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇଛନ୍ତି। ଏଥିସହ ୮ ଜଣ ବିଧାୟକ ସୁରେଶ ପୂଜାରୀ, ରବି ନାରାୟଣ ନାଏକ, ନିତ୍ୟାନନ୍ଦ ଗଣ୍ଡ, କୃଷ୍ଣଚନ୍ଦ୍ର ପାତ୍ର, ପୃଥ୍ବୀରାଜ ହରିଚନ୍ଦନ, ମୁକେଶ ମହାଲିଙ୍ଗ, ବିଭୂତି ଭୂଷଣ ଜେନା, କୃଷ୍ଣଚନ୍ଦ୍ର ମହାପାତ୍ର କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଏବଂ ୫ ଜଣ ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ, ସୂର୍ୟ୍ୟବଂଶୀ ସୂରଜ, ପ୍ରଦୀପ ବଳସାମନ୍ତ, ଗୋକୁଳାନନ୍ଦ ମଲିକ ଓ ସମ୍ପଦ ଚନ୍ଦ୍ର ସ୍ବାଇଁ ସ୍ବାଧୀନ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ପାଠ କରିଛନ୍ତି।
ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ଶପଥ ଗ୍ରହଣ ସମାରୋହକୁ ଅପରାହ୍ନ ପ୍ରାୟ ୪ଟା୧୫ ପାଖାପାଖି ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସଭାସ୍ଥଳରେ ପହଞ୍ଚିଥିଲେ। ସେ ପ୍ରାୟ ୧ଘଣ୍ଟା ପର୍ୟ୍ୟନ୍ତ ସମାରୋହସ୍ଥଳରେ ବସିଥିବା ନେତା, କର୍ମୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ସାକ୍ଷାତ କରିଥିଲେ। ଏହାପରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ସାଧୁସନ୍ଥମାନଙ୍କ ପାଦ ଧୂଳି ନେଇଥିଲେ। ପ୍ରାୟ ୫ଟା ୫ମିନିଟ୍‌ ସମୟରେ ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳ ଆସି ସଭାମଞ୍ଚରେ ପହଞ୍ଚିଥିଲେ। ଏହାପରେ ରାଜ୍ୟପାଳ ରଘୁବର ଦାସ ପ୍ରଥମେ ମୁଖ୍ୟମନ୍ତ୍ରୀ, ୨ ଉପମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରିମଣ୍ଡଳ ସଦସ୍ୟମାନଙ୍କୁ ପଦ ଓ ଗୋପନୀୟତା ଶପଥ ପାଠ କରାଇଥିଲେ। ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭକରି ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ ଓଡ଼ିଆରେ ଶପଥ ପାଠ କରିଥିବା ଦେଖିବାକୁ ମିଳିଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ଫୁଲତୋଡ଼ା ଦେଇ ନୂଆ ମୁଖ୍ୟମନ୍ତ୍ରୀ ମୋହନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

କାର୍ୟ୍ୟକ୍ରମ ଶେଷ ହେବାପରେ ପ୍ରଧାନମନ୍ତ୍ରୀ ମଞ୍ଚର ଏକ କୋଣକୁ ଆସି ଶପଥ ଉତ୍ସବ କାର୍ୟ୍ୟକ୍ରମ ଲାଗି ଆମନ୍ତ୍ରିତ ହୋଇଥିବା ସାଧୁସନ୍ଥମାନଙ୍କୁ ପ୍ରଣାମ କରିଥିଲେ। ଏହାପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀମାନଙ୍କ ସହ କିଛି ସମୟ ଆଲୋଚନାକରି ସେଠାରୁ ଫେରିଯାଇଥିଲେ। ପ୍ରଧାନମନ୍ତ୍ରୀ ଦ୍ୱିପ୍ରହର ସମୟରେ ଭୁବନେଶ୍ୱରଠାରେ ପହଞ୍ଚିବା ପରେ ରାଜଭବନ ଗସ୍ତ କରିଥିଲେ। ରାଜଭବନରୁ ଆସିବା ସମୟରେ ତାଙ୍କୁ ଦେଖିବା ଲାଗି ରାସ୍ତାକଡ଼ରେ ପ୍ରବଳ ଲୋକଙ୍କ ଭିଡ଼ ଜମିଥିଲା। ପ୍ରଧାନମନ୍ତ୍ରୀ ହାତ ହଲାଇ ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ।
ଅନ୍ୟପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଭାସ୍ଥଳରେ ପହଞ୍ଚିବା ପରେ ସମସ୍ତ ଭାଜପା ନେତା ତାଙ୍କୁ ପ୍ରଣାମ କରିଥିଲେ। ମୋହନ ମାଝି ମଧ୍ୟ ଯାଇ ନବୀନଙ୍କ ଆଶୀର୍ବାଦ ନେଇଥିଲେ। ମନ୍ତ୍ରିମଣ୍ଡଳର ସଦସ୍ୟମାନେ ମଧ୍ୟ ନବୀନଙ୍କ ଆଶୀର୍ବାଦ ନେଇଥିଲେ। କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ସେହି ସମୟରେ ସଭାସ୍ଥଳରେ ଅନ୍ୟ ଜଣଙ୍କ ସହ କଥା ହେଉଥିଲେ, ମାତ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ନବୀନଙ୍କ ଉପସ୍ଥିତି ବିଷୟରେ ଜଣାଇଥିଲେ। ଏହାପରେ ସଙ୍ଗେ ସଙ୍ଗେ ନବୀନଙ୍କୁ ଭେଟିବା ଲାଗି ରାଜନାଥ ଯାଇଥିଲେ। ଶପଥ ପାଠ ଉତ୍ସବ ଚାଲିଥିବା ବେଳେ ଭାରତମାତା କି ଜୟ, ଜୟ ଶ୍ରୀରାମ, ମୋଦି ଜିନ୍ଦାବାଦ ନାରାରେ ସମାରୋହସ୍ଥଳ କମ୍ପି ଉଠୁଥିଲା।