ନକଲି ପ୍ରମାଣପତ୍ର ଦେଇ ନିଯୁକ୍ତି ଦେବା ଘଟଣାରେ ୬ ଗିରଫ ମାନବସମ୍ବଳ ମୁଖ୍ୟଙ୍କ ଆଭିମୁଖ୍ୟକୁ ନେଇ ବଢୁଛି ଅସନ୍ତୋଷ
ନବୀନ ଓଡିଶା ବ୍ଯୂର: କେନ୍ଦୁଝର: ନକଲି ପ୍ରମାଣ ପତ୍ର ଦେଇ ନିଯୁକ୍ତି ଦେବା ଘଟଣାରେ ଏବେ ଜେଏସଡବ୍ଲ୍ୟୁ ମାନବ ସମ୍ବଳ ମୁଖ୍ୟଙ୍କ ଆଭିମୁଖ୍ୟକୁ ନେଇ ଦିନକୁ ଦିନ ଅସନ୍ତୋଷ ବଢିବାରେ ଲାଗିଛି । ତାଙ୍କର ଜନବିରୋଧୀ ଓ ସ୍ୱାର୍ଥନିହିତ କାର୍ଯ୍ୟ ଏବେ ପଦାରେ ପଡ଼ିଛି । ମୋଟା ଅଙ୍କର ଅର୍ଥକାରବାର କରି ସ୍ଥାନୀୟଲୋକଙ୍କୁ ନିଯୁକ୍ତିକୁ ଅଣଦେଖା କରି ବାହାର ଲୋକଙ୍କୁ ନିଯୁକ୍ତି ଦେଉଥିବା ଅଭିଯୋଗ ଏବେ ପୁଣିଥରେ ତାଙ୍କ ବିରୋଧରେ ଆସିଛି । ତାଙ୍କର ଏଭଳି କାର୍ଯ୍ୟକୁ ସ୍ଥାନୀୟ ଲୋକେ ବିରୋଧ କରିଆସୁଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଅସନ୍ତୋଷ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ସବୁ ଜାଣି ମାନବ ସମ୍ବଳ ମୁଖ୍ୟଙ୍କ ବିରୋଧରେ କମ୍ପାନୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ଏହି ଘଟଣାକୁ ଚପାଇଦେବା ଉଦ୍ୟମ ଏବେ କମ୍ପାନୀର ନିଯୁକ୍ତି ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନା ଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳରେ ଜେଏସଡବ୍ଲ୍ୟୁ ନାମକ ଘରୋଇ କମ୍ପାନୀ ଦ୍ୱାରା ୨୦୨୧-୨୨ ମସିହାରେ ୬୫୦ରୁ ଊର୍ଦ୍ଧ୍ୱ ଠିକା କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲେ । ତେବେ ଏହି ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ମଧ୍ୟରୁ ଅଧିକାଂଶ କର୍ମଚାରୀଙ୍କର ଜାଲ ପ୍ରମାଣପତ୍ର ଥିବା ଜଣାପଡ଼ିଛି । ଏହି ନିଯୁକ୍ତି ପାଇଁ ମୋଟା ଅଙ୍କର ଟଙ୍କା କାରବାର କରାଯାଇଥିବା ନେଇ ଆଇଟିଏମଏସ କମ୍ପାନୀର ବରିଷ୍ଠ ଅଧିକାରୀ ଶ୍ରୀକାନ୍ତ ନାରାୟଣ ସେଟ୍ଟୀ ଅଭିଯୋଗ କରିଥିଲେ । ତେବେ ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ କରି ୬ଜଣ କର୍ମଚାରୀଙ୍କୁ ଗିରଫ କରିଥିଲେ । ତେବେ ସେମାନଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଇ ନିଯୁକ୍ତି ଦେଇଥିବା ଅଧିକାରୀଙ୍କୁ ଧରାଯାଉନଥିବାରୁ ଏହି ଉତ୍ତେଜନା ଦେଖାଦେଇଛି । ଅନ୍ୟପକ୍ଷରେ କେତେ ଜଣଙ୍କର ଜାଲକାଗଜପତ୍ର ପାଇଁ କେତେ ଟଙ୍କା ଅର୍ଥ କାରବାର କରାଯାଇଛି ତାହା ଏଯାବତ ଜଣାପଡ଼ିନାହି ।
ପ୍ରକାଶ ଥାଉ କି ସ୍ଥାନୀୟ ଅଞ୍ଚଳର ବେକାରୀ ଯୁବକ ଉକ୍ତ କମ୍ପାନୀରେ ଚାକିରୀ ପାଇଁ ଆବେଦନ କରିଥିବାବେଳେ ଜିଲ୍ଲା ବାହାରର ଅଧିକାଂଶ ପ୍ରାର୍ଥୀଙ୍କୁ ଜାଲ ପ୍ରମାଣପତ୍ର ବଦଳରେଅର୍ଥ କାରବାର କରିଦିଆଯାଇଥିବା ନିଯୁକ୍ତିକୁ ରଦ୍ଦ କରି ସ୍ଥାନୀୟ ଲୋକଙ୍କୁ ସୁଯୋଗ ଦେବା ପାଇଁ ବିଜେଡ଼ି ନେତା ତଥା ସମାଜସେବୀ ମିତ୍ରଭାନୁ ମହାକୁଡ଼ ଦାବି କରିଛନ୍ତି । ଏହି ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅର୍ନ୍ତଗତ ପଣସୁଦା ଗ୍ରାମର ଅବଦୁଲ କାସିମ ଖାନ୍ (୪୩), ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅର୍ନ୍ତଗତ ବାରବାଟୀ ଗ୍ରାମର ପ୍ରଦୀପ କୁମାର ମଙ୍ଗରାଜ(୩୭), ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ତେନ୍ତୁଳିଡିହି ଗ୍ରାମର ସୁଶାନ୍ତ ମାନସିଂ (୪୦), ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ବେଣାଗାଡ଼ିଆ ଗ୍ରାମର ପ୍ରକାଶ ଚନ୍ଦ୍ର ମୁଦୁଲି(୩୨), ଢେଙ୍କାନାଳ ସଦର ଥାନା କାଶୀପୁର ଗ୍ରାମର ରାମଚନ୍ଦ୍ର ରାଉତ(୩୨) ଓ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭଗାନଈ ଗ୍ରାମର ରାକେଶ ପରିଡ଼ା (୨୯) ।