ସେବାୟତଙ୍କୁ ମିଳିବ ପରିଚୟ ପତ୍ର : ଲିଙ୍ଗରାଜ ମନ୍ଦିର

ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିର ସେବାୟତଙ୍କୁ ଦିଆଯିବ ପରିଚୟ ପତ୍ର। ପର୍ଯ୍ୟଟକ ତଥା ଶ୍ରଦ୍ଧାଳୁମାନେ ପ୍ରକୃତ ସେବାୟତଙ୍କୁ ଜାଣିବା ସହଜ ହେବ। ସେମାନେ ଆଉ ଅଣସେବାୟତଙ୍କ ଦ୍ବାରା ଠକାମି ବା ଶୋଷଣର ଶିକାର ହେବେ ନାହିଁ। ଏନେଇ ମନ୍ଦିର ପରିଚାଳନା କମିଟି ତଥା ଟ୍ରଷ୍ଟ ବୋର୍ଡ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକର ନିଷ୍ପତ୍ତି କ୍ରମେ ମହାପ୍ରଭୁଙ୍କ ସବୁ ସେବାୟତଙ୍କୁ ପରିଚୟ ପତ୍ର ମିଳିବ। ନିଯୋଗର ପ୍ରମୁଖଙ୍କୁ ପରିଚୟ ପତ୍ର ମିଳିବା ପରେ ପର୍ଯ୍ୟାୟକ୍ରମେ ଅନ୍ୟ ସବୁ ସେବାୟତଙ୍କୁ ଏହା ମିଳିବ। ଶ୍ରୀଲିଙ୍ଗରାଜ ମନ୍ଦିରରେ ଅନେକ ସେବାୟତ ଠାକୁରଙ୍କ ସେବା କରୁଛନ୍ତି। କେତେକ ବଡ଼ ପର୍ବପର୍ବାଣୀରେ ସମସ୍ତଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ଲଗାଇବା ଏବଂ ବିଶେଷ ପୂଜା ନୀତି ବେଳେ ନୀତି ଶୃଙ୍ଖଳିତ ଓ ସୁପରିଚାଳନା ପାଇଁ ଏପରି ପରିଚୟ ପତ୍ର ବ୍ୟବସ୍ଥା କରାଯିବ।
ନିକଟରେ ପୁରୀ ଶ୍ରୀମନ୍ଦିରରେ ଏହି ପରିଚୟ ପତ୍ର ଆରମ୍ଭ କରାଯାଇଛି। ଏଥିପାଇଁ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଜଷ୍ଟିସ୍ ବିପି ଦାସ କମିସନଙ୍କ ସୁପାରିଶ ଆଧାରରେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକର ନିଷ୍ପତ୍ତିକ୍ରମେ ପୁରୀରେ ମହାପ୍ରଭୁଙ୍କ ସମସ୍ତ ସେବାୟତଙ୍କୁ ମିଳିବ ପରିଚୟ ପତ୍ର। ତେଣୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଏହି ବ୍ୟବସ୍ଥା ଲାଗୁ କରିବାକୁ ଟ୍ରଷ୍ଟ ବୋର୍ଡ ସ୍ଥିର କରିଛି। ଟ୍ରଷ୍ଟ ବୋର୍ଡ ନିଷ୍ପତ୍ତି ପରେ ଦେବୋତ୍ତର ବିଭାଗ ସହାୟକ କମିସନର ଏଥିରେ ମୋହର ମାରିଛନ୍ତି। ଏଥିରେ ରାଜ୍ୟ ସରକାରଙ୍କ ମୋହର ବାଜିଲେ, ଅନେକ ପର୍ଯ୍ୟଟକ ମଧ୍ୟ ଏହାର ଉପକାର ପାଇବେ।