ନିରବ ମୋଦୀଙ୍କ ସମ୍ପତ୍ତି ନିଲାମ ହେବ : ପିଏନ୍ବି ଠକେଇ

ମୁମ୍ବାଇ: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍ବି)ରେ ହୋଇଥିବା ୧୪ ହଜାର କୋଟି ଟଙ୍କା ଠକେଇର ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନିରବ ମୋଦିଙ୍କ ଭାରତରେ ଥିବା ଏକ ସମ୍ପତ୍ତି ନିଲାମ ହେବ। ନିରବଙ୍କ ଏକ ସୋଲାର ପାୱାର ପ୍ଲାଣ୍ଟ୍କୁ ୨,୩୪୮ କୋଟି ଟଙ୍କାରେ ବିକ୍ରି କରିବାକୁ ଡେବଟ୍ ରିକଭରି ଟ୍ରିବ୍ୟୁନାଲ୍ ବିଡ୍ ଆହ୍ବାନ କରିଛନ୍ତି। ଏଥି ସହିତ ଦକ୍ଷିଣ ମୁମ୍ବାଇର ପେଦେର ରୋଡ୍ରେ ଥିବା ନିରବଙ୍କ ବିଳାସପୂର୍ଣ୍ଣ ଫ୍ଲାଟ୍କୁ ତୃତୀୟ ଥର ପାଇଁ ନିଲାମ କରିବାକୁ ଉଦ୍ୟମ କରାଯିବ। ଫ୍ଲାଟ୍ ବିକ୍ରି ୧୧.୭୦ କୋଟି ଟଙ୍କା ମିଳିବ ବୋଲି ଆଶା ରହିଛି। ନିରବ କରିଥିବା ଠକେଇର ପରିମାଣ ୮୫୨୬.୨୦ କୋଟି ଟଙ୍କା ଆକଳନ କରାଯାଇଛି। ତାଙ୍କ ସମ୍ପତ୍ତି ବିକ୍ରିରୁ ଯେଉଁ ପାଣ୍ଠି ମିଳିବ ତାହା ସମ୍ପୂର୍ଣ୍ଣ ଠକେଇକୁ ଭରଣା କରିବାକୁ ଯଥେଷ୍ଟ ନୁହେଁ।
ଆଗାମୀ ଦିନରେ ନିରବଙ୍କ ଥିବା ଦୁଇଟି ବଡ଼ ଜମିକୁ ବିକ୍ରି କରିବା ଲାଗି ଟ୍ରିବ୍ୟୁନାଲ୍ ଉଦ୍ୟମ କରିବେ। ବର୍ତ୍ତମାନ ଉଭୟ ଜମି ୟୁନିୟନ ବ୍ୟାଙ୍କ ପାଖରେ ବନ୍ଧକ ରହିଛି। ପିଏନ୍ବିରେ ଠକେଇ କରି ଦେଶ ଛାଡ଼ି ପଳାୟନ କରିଥିବା ନିରବଙ୍କୁ ୨୦୧୯ ମାର୍ଚ୍ଚରେ ବ୍ରିଟେନ୍ରେ ଗିରଫ କରାଯାଇଥିଲା। ସେହିଦିନଠାରୁ ସେ ଜେଲ୍ରେ ଅଛନ୍ତି। ତାଙ୍କୁ ଭାରତ ପ୍ରତ୍ୟର୍ପଣ କରିବା ଲାଗି ଉଦ୍ୟମ ଜାରି ରହିଛି। ୨୦୧୯ରେ ତାଙ୍କୁ ଭାରତୀୟ ଅଦାଲତ ପଳାତକ ଅର୍ଥନୈତିକ ଅପରାଧୀ ଘୋଷଣା କରିଥିଲେ। ଭାରତରେ ଥିବା ତାଙ୍କ ସମ୍ପତ୍ତିଗୁଡ଼ିକୁ ଜବତ କରିବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପିଏନ୍ବି ଠକେଇର ଅନ୍ୟତମ ଅଭିଯୁକ୍ତ ତଥା ନିରବଙ୍କ ସମ୍ପର୍କୀୟ ମେହୁଲ ଚୋକ୍ସି ମଧ୍ୟ ଭାରତରୁ ଲୁଚି ପଳାଇଥିବା ବେଳେ ଏବେ ଆଣ୍ଟିଗୁଆରେ ବସବାସ କରୁଛନ୍ତି। ନିକଟରେ ତାଙ୍କୁ କିଛି ଲୋକ ଅପହରଣ କରିନେଇଥିଲେ।