ବିସର୍ଜନ ନିୟମ ନମାନିଲେ, ଆସନ୍ତା ବର୍ଷ ମିଳିବନି ପୂଜା ଅନୁମତି, ବିସର୍ଜନ ନିୟମ ନମାନିଲେ

ପୁରୀ: ଅଗ୍ରପୂଜ୍ୟଙ୍କ ଆଗମନ ପରେ ଜମୁଛି ପାର୍ବଣ। ସାହି ଗଳିକନ୍ଦିରେ ଚାଲିଛି ପୂଜାର୍ଚ୍ଚନା। ସହର ମଧ୍ୟରେ ୧୫୦ରୁ ଅଧିକ ଗଣେଶ ମୂର୍ତ୍ତି ପୂଜା ପାଉଥିବା ବେଳେ ଦୁଇଦିନ ପରେ ବିସର୍ଜନ ପର୍ବ ଆରମ୍ଭ ହେବ। ଏହି ପରିପ୍ରେକ୍ଷୀରେ ପୌରପାଳିକା ପକ୍ଷରୁ ଅସ୍ଥାୟୀ ପୋଖରୀ ଖନନ ଆରମ୍ଭ ହୋଇଛି। ଚଳିତ ବର୍ଷ ଶ୍ରୀସେତୁ ନିକଟରେ ମୃଣ୍ମୟ ମୂର୍ତ୍ତିଙ୍କର ବିସର୍ଜନ କରାଯିବ। ଗତବର୍ଷ କିଛି ପୂଜା କମିଟି ଅସ୍ଥାୟୀ ପୋଖରୀରେ ବିସର୍ଜନ କରିବା ପରିବର୍ତ୍ତେ ମନଇଚ୍ଛା ବିଭିନ୍ନ ନଦୀ ଓ ତୀର୍ଥ ପୁଷ୍କରିଣୀରେ ମୂର୍ତ୍ତି ବିସର୍ଜନ କରିବା ପରିଲକ୍ଷିତ ହୋଇଥିଲା। ଏହା ଜଳାଶୟକୁ କ୍ଷତି ପହଞ୍ଚାଉଥିବା ନେଇ କିଛି ପରିବେଶପ୍ରେମୀ ଅଭିଯୋଗ କରିଥିଲେ। ଏଥର କିନ୍ତୁ ପୌରପାଳିକା ପକ୍ଷରୁ କଡ଼ା ଆଭିମୁଖ୍ୟ ଆପଣାଯାଇଛି। ଅସ୍ଥାୟୀ ମୂର୍ତ୍ତି ବିସର୍ଜନ ପୋଖରୀ ବ୍ୟତିରେକ ଅନ୍ୟ କୌଣସି ପୁଷ୍କରିଣୀରେ ମୂର୍ତ୍ତି ବିସର୍ଜନ ହେଉଥିବା ଅଭିଯୋଗ ହେଲେ ଓ ଅଭିଯୋଗ ପ୍ରମାଣିତ ହେଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପରିକି ଆସନ୍ତାବର୍ଷ ଏହି ପୂଜାମଣ୍ଡପକୁ ଗଣେଶ ପୂଜା ଆୟୋଜନ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ସତର୍କ କରାଯାଇଛି।
ପାର୍ବଣ ଋତୁ ଆରମ୍ଭରେ ରାଜ୍ୟ ସରକାରଙ୍କ ‘ଓଡ଼ିଶା ପ୍ରିଭେନ୍ସସନ୍ ଆଣ୍ଡ୍ କଣ୍ଟ୍ରୋଲ୍ ଅଫ୍ ୱାଟର୍ ପଲ୍ୟୁସନ୍ ରୁଲ୍ସ-୨୦୧୧’ ଆଧାରରେ ପୂଜା କମିଟି ଉଦ୍ଦେଶ୍ୟରେ କିଛି କଟକଣା ଜାରି କରାଯାଇଛି। ମୂର୍ତ୍ତି ଉଚ୍ଚତା ସୀମିତ ରଖିବା ସହିତ ମୂର୍ତ୍ତିରେ କୌଣସି ରସାୟନିକ ରଙ୍ଗ ବ୍ୟବହାର ହେବ ନାହିଁ ବୋଲି ନିୟମ ହୋଇଛି। ପ୍ରଶାସନ ଓ ପୌରପାଳିକା ପକ୍ଷରୁ ଅସ୍ଥାୟୀ ପୁଷ୍କରିଣୀ କରାଯାଇ ସେଠାରେ ମୂର୍ତ୍ତି ବିସର୍ଜନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିୟମ ଉଲ୍ଲଂଘନ କଲେ ପଞ୍ଚାୟତରେ ପୂଜା ହେଉଥିବା କମିଟିକୁ ୩ ହଜାର ଓ ପୌରାଞ୍ଚଳ ଓ ଏନ୍ଏସିରେ ପୂଜା କମିଟିଠାରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ ହେବାର ନିୟମ ରହିଛି। କିନ୍ତୁ ଇତିମଧ୍ୟରେ କିଛି ମୂର୍ତ୍ତି ବିସର୍ଜନ ହୋଇ ସାରିଲାଣି। ଅଠରନଳା ମୂଷା ନଦୀରେ ସହରର ବର୍ଜ୍ୟପାଣି ଜମା ହେଉଥିବା ଜାଣିଥିଲେ ବି ଲୋକେ ସେଠାରେ ମୂର୍ତ୍ତି ବିସର୍ଜନ କରିଛନ୍ତି। ଏପରିକି ତୀର୍ଥ ପୁଷ୍କରିଣୀ ମଧ୍ୟ ଏ ଶୋଷଣରୁ ବାଦ୍ ପଡ଼ିନଥିଲା। କିଛି କ୍ଷୁଦ୍ର ମୂର୍ତ୍ତି ଇନ୍ଦ୍ରଦ୍ୟୁମ୍ନ ଭଳି ପଞ୍ଚତୀର୍ଥ ପୁଷ୍କରିଣୀରେ ମଧ୍ୟ ବିସର୍ଜନ କରାଯାଇଥିଲା।