ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ

Sep 21, 2023 - 11:05
 5
ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ

ବିଜେପି ଜାତୀୟ ଉପସଭାପତି ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ମିଳିଛି  । ମନ୍ତ୍ରୀ ନବ ଦାସଙ୍କ ଭଳି ଅବସ୍ଥା ଜୟ ପଣ୍ଡାଙ୍କର କରାଯିବ ବୋଲି ଶ୍ରୀ ପଣ୍ଡାଙ୍କର ସହାୟକଙ୍କୁ କେହି ଜଣେ ଫୋନ୍‌ ମାଧ୍ୟମରେ ଧମକ ଦେଇଛି  । ଏହି ଧମକପୂର୍ଣ୍ଣ କଲ୍‌ ଘଟଣାରେ ଦିଲ୍ଲୀ ପୁଲିସରେ ଏତଲା ରୁଜୁ ହୋଇଛି ଓ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡିଛି  ।

ବିଜେପି ଉପସଭାପତି ଶ୍ରୀ ପଣ୍ଡାଙ୍କ କାର୍ଯ୍ୟାଳୟର ଏକଜ୍ୟୁଟିଭ ସେକ୍‌ରେଟେରୀ ରାଜେଶ୍ୱର ଅରୋରା ଏକ ପ୍ରେସ୍‌ ରିଲିଜ୍‌ ଜାରି କରି ଏହି ହତ୍ୟା ଧମକ ଦିଆଯାଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି  । ସେ କହିଛନ୍ତି ଯେ, ବିଜେପି ଜାତୀୟ ଉପସଭାପତି ଶ୍ରୀ ପଣ୍ଡାଙ୍କ ସହାୟକଙ୍କୁ କେହି ଜଣେ କଲ୍‌ କରି ଏହି ଧମକ ଦେଇଛି  । ‘ନବ ଦାସଙ୍କ ଅବସ୍ଥା ଯାହା ହେଲା ତାହା ଜୟ ପଣ୍ଡାଙ୍କର ହେବ’ ବୋଲି ଧମକ ଦେଇଛି  ।

ଅପର ପାର୍ଶ୍ୱର ବ୍ୟକ୍ତିଜଣକ ହିନ୍ଦୀ ଭାଷାରେ ଧମକ ଦେଉଥିବା ବେଳେ ସେ  କେଉଁଠିକାର ବାସିନ୍ଦା ତାହା ସ୍ପଷ୍ଟ ହୋଇ ପାରିନି । ତେବେ ଏହା ବ୍ୟକ୍ତିଗତ ଆକ୍ରୋଶ ନା ଏହା ପଛରେ ଆଉ କିଏ ଅଛି ତାହା ବି ଜଣାପଡିନି  ।

ଓଡିଶାର କ୍ୟାବିନେଟ୍‌ ମନ୍ତ୍ରୀ ନବ ଦାସଙ୍କୁ ଚଳିତବର୍ଷ ସ୍ପଷ୍ଟ ଦିବାଲୋକରେ ହତ୍ୟା କରାଯାଇଥିଲା  । ଶ୍ରୀ ଅରୋରା କହିଛନ୍ତି ଯେ ଏହି ଧମକ ବାସ୍ତବରେ ନା କେହି ଜଣେ ପିଲାଙ୍କ ଭଳି ପ୍ରାଙ୍କ୍‌ କରିଛି ତାହା ଜାଣିବା ସମ୍ଭବପର ନୁହେଁ  । ଯେହେତୁ ଏଭଳି ସନ୍ଦେଶକୁ ହାଲକା ଭାବେ ନେବା କଥା ନୁହେଁ ତେଣୁ ସମସ୍ତ ତଥ୍ୟ ସହ ଦିଲ୍ଲୀ ପୁଲିସ ପାଖରେ ଗତକାଲି ଏକ ଏତଲା ରୁଜୁ ହୋଇଛି, ଯାହାର ତଦନ୍ତ ସେମାନେ କରୁଛନ୍ତି  ।

ସୂଚନାଯୋଗ୍ୟ, କେନ୍ଦ୍ରାପଡାର ପୂର୍ବତନ ସାଂସଦ ଶ୍ରୀ ପଣ୍ଡା ଏବେ ବିଜେପିର ଜାତୀୟ ଉପସଭାପତି ଭାବେ କାର୍ଯ୍ୟ କରିବା ସହ ଦଳର ମୁଖ୍ୟ ପର୍ଯ୍ୟବେକ୍ଷକ ଭାବେ ଆସାମ ଓ ଦିଲ୍ଲୀ ଦାୟିତ୍ୱରେ ମଧ୍ୟ ଅଛନ୍ତି  । ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ