ରାଜନୀତି ନୁହେଁ, ଶତପ୍ରତିଶତ ବିଜ୍ଞାନସମ୍ମତ ଚିନ୍ତାଧାରା : ବନ୍ଦେ ଭାରତ ଟ୍ରେନ୍‌

Oct 5, 2023 - 08:52
 4
ରାଜନୀତି ନୁହେଁ, ଶତପ୍ରତିଶତ ବିଜ୍ଞାନସମ୍ମତ ଚିନ୍ତାଧାରା : ବନ୍ଦେ ଭାରତ ଟ୍ରେନ୍‌

ନୂଆଦିଲ୍ଲୀ : ବନ୍ଦେ ଭାରତ ଟ୍ରେନ୍‌ ଚଳାଚଳରେ କୌଣସି ରାଜନୀତି ନାହିଁ ଏବଂ ଟ୍ରେନ୍‌ର ରଙ୍ଗ କମଳା କରାଯିବା ଘଟଣାରେ ବୈଜ୍ଞାନିକ ଭାବଧାରା ଉପରେ ନିହିତ ଥିବା କଥା ସମ୍ପ୍ରତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସାମ୍ବାଦିକମାନଙ୍କ ସହିତ କଥାବାର୍ତ୍ତା କରିବା ବେଳେ କହିଛନ୍ତି। ଏଥିରେ ରଜାନୀତି ରହିଛି କି ବୋଲି ପଚରା ଯିବାରୁ ବୈଷ୍ଣବ କହିଲେ, ଲୋକଙ୍କ ଦୃଷ୍ଟିକୁ ହଳଦିଆ ଓ କମଳା ରଙ୍ଗ ସବୁଠୁ ଅଧକ ଦିଶିଥାଏ। ୟୁରୋପରେ ପ୍ରାୟ ୮୦% ଟ୍ରେନ୍‌ର ରଙ୍ଗ ହୁଏତ କମଳା ଅଥବା ହଳଦିଆ-କମଳା ମିଶାମିଶି।

ସେ ଆହୁରି ମଧ୍ୟ କହିଛନ୍ତି, ଏମିତି ଅନେକ ପ୍ରକାରର ରଙ୍ଗ ରହିଛି ଯାହା କମଳା ଓ ହଳଦିଆ ପରି ଉଜ୍ଜ୍ବଳ। ସେଥିରୁ ଗୋଟାଏ ହେଲା ରୁପେଲୀ। କିନ୍ତୁ, ମଣିଷ ଆଖିରେ ସ୍ପଷ୍ଟ ଓ ସହଜରେ ଦେଖିହେଉଥିବା ରଙ୍ଗ ଦୁଇଟି ହେଉଛି ହଳଦିଆ ଓ କମଳା। ଏଥିରେ ଆଦୌ ରାଜନୀତି ନାହିଁ। ଏହା ୧୦୦% ବିଜ୍ଞାନ ଚିନ୍ତାଧାରା ସମ୍ବଳିତ।

ବିମାନର ଓ ପାଣିଜାହାଜର ‘ବ୍ଲାକ୍‌ବକ୍ସ’ ସବୁ କମଳା ରଙ୍ଗ କରାଯାଇଥାଏ। ‘ନ୍ୟାସ୍‌ନାଲ୍‌ ଡିଜାଷ୍ଟର୍‌ ରେସ୍‌ପନ୍ସ୍ ଫୋର୍ସ’ ବ୍ୟବହାର କରୁଥିବା ଉଦ୍ଧାରକାରୀ ବୋଟ୍‌ ଓ ‘ଲାଇଫ୍‌ ଜ୍ୟାକେଟ୍‌’ର ରଙ୍ଗ ମଧ୍ୟ କମଳା।ପ୍ରଥମ ଥର ପାଇଁ ଭାରତୀୟ ରେଳବାଇ ସେପ୍ଟେମ୍ବର ୨୪ ତାରିଖ ଦିନ କେରଳର କାସରଗୋଡ଼ ଓ ତିରୁଅନନ୍ତପୁରମ୍‌ ମଧ୍ୟରେ କମଳା-ଧୂସର ରଙ୍ଗର ‘ବନ୍ଦେ ଭାରତ ଟ୍ରେନ୍‌’ ଚଳାଚଳ କରାଇଛନ୍ତି।