ଆଇଫୋନ୍ ଉତ୍ପାଦନ ବୃଦ୍ଧି ପାଇବାରେ ଲାଗିଛି

Sep 23, 2023 - 11:11
 3
ଆଇଫୋନ୍ ଉତ୍ପାଦନ ବୃଦ୍ଧି ପାଇବାରେ ଲାଗିଛି

ନୂଆଦିଲ୍ଲୀ: ଆଇଫୋନ୍‌ କିଣିବା ଲାଗି ଦେଶର ବିଭିନ୍ନ ସ୍ଥାନରେ ଗ୍ରାହକଙ୍କ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। କଂପାନି ପକ୍ଷରୁ ନୂଆଦିଲ୍ଲୀ ଓ ମୁମ୍ବାଇଠାରେ ଖୋଲାଯାଇଥିବା ଷ୍ଟୋର୍‌ରେ ସକାଳ ପ୍ରହରରୁ ଲୋକଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ଟିକସ ‌ପାଇଁ ଆମେରିକା ତୁଳନାରେ ଭାରତରେ ଆଇଫୋନ୍ ୧୫ର ବିଭିନ୍ନ ମଡେଲ୍‌ ଦାମ୍ ୨୦ ହଜାର ଟଙ୍କାରୁ ୪୮ ହଜାର ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ଥିଲେ ମଧ୍ୟ ତାହା ଗ୍ରାହକଙ୍କ ଉତ୍ସାହକୁ ରୋକିପାରିନାହିଁ। ଅନ୍ୟ ପକ୍ଷରେ ଭାରତର ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ବହୁତ ବଡ଼ ବଳ ମିଳିଛି।

ଚଳିତ ବର୍ଷ ଏପ୍ରିଲ୍‌-ଜୁନ୍ ତିନି ମାସରେ ଭାରତରୁ ରପ୍ତାନି କରାଯାଇଥିବା ୧.୨ କୋଟି ‌ଫୋନ୍ ମଧ୍ୟରୁ ୪୯ ପ୍ରତିଶତ ଫୋନ୍‌ ଆପଲ୍ ପଠାଇଛି। ପୂର୍ବରୁ ଏହି ତାଲିକାରେ ଏକ ନମ୍ବର ସ୍ଥାନରେ ଥିବା ସାମସଙ୍ଗ୍‌କୁ ଆପଲ୍‌ ପଦଚ୍ୟୁତ କରିଛି। ରପ୍ତାନିରେ ଆପଲ୍‌ ପଛକୁ ୪୫% ଅଂଶ ସହ ସାମସଙ୍ଗ୍‌ ଦ୍ବିତୀୟ ସ୍ଥାନରେ ରହିଛି। ଦେଶରୁ ସର୍ବାଧିକ ଫୋନ୍ ଏହି ଦୁଇ କଂପାନି ରପ୍ତାନି କରିଛନ୍ତି। ତେବେ ଶାଓମି, ମୋଟୋରୋଲା, ଭିଭୋ ଓ ଟ୍ରାନ୍‌ସନ୍‌ ଭଳି ସଂସ୍ଥାର ରପ୍ତାନି ଏହି ତିନି ମାସରେ ହ୍ରାସ ପାଇଛି। ଭାରତରେ ଆଇଫୋନ୍ ଉତ୍ପାଦନ ବୃଦ୍ଧି ପାଇବାରେ ଲାଗିଛି।