ଓବିସି ସର୍ଭେ ରିପୋର୍ଟ ଅନୁସାରେ ରାଜ୍ୟରେ ୧କୋଟି ୯୫ଲକ୍ଷ ପଛୁଆ ବର୍ଗ

Oct 4, 2023 - 09:20
Oct 4, 2023 - 09:23
 4
ଓବିସି ସର୍ଭେ ରିପୋର୍ଟ ଅନୁସାରେ ରାଜ୍ୟରେ ୧କୋଟି ୯୫ଲକ୍ଷ ପଛୁଆ ବର୍ଗ

ଭୁବନେଶ୍ବର:   ପ୍ରକାଶ ପାଇଛି ସରକାରଙ୍କ ଦ୍ବାରା ହୋଇଥିବା ପଛୁଆ ବର୍ଗ ସର୍ଭେର ରିପୋର୍ଟ  । ଓବିସି କମିଶନ ଜଷ୍ଟିସ ରଘୁନାଥ ବିଶ୍ୱାଳ ରାଜ୍ୟ ସରକାରଙ୍କୁ ଏହି ସର୍ଭେ ରିପୋର୍ଟ ପ୍ରଦାନ କରିଛନ୍ତି । ନୀତିଶ ସରକାରଙ୍କ ଜାତିଭିତ୍ତିକ ଗଣନା ରିପୋର୍ଟ ପ୍ରକାଶ ପାଇଛି ଓ ବିହାରରେ ୬୦ ପ୍ରତିଶତରୁ ଅଧିକ ଓବିସି ବର୍ଗର ଲୋକ ରହିଛନ୍ତି ।

ଯାହାକୁ ନେଇ ବିହାରରେ ବାକଯୁଦ୍ଧ ଆରମ୍ଭ ହୋଇଛି । ସେହିପରି ଓଡ଼ିଶା ସରକାର କରାଇଥିବା ସର୍ଭେର ରିପୋର୍ଟ ପ୍ରକାଶ ପାଇଥିବା ସୂଚନା ମିଳିଛି । ଓବିସି କମିଶନ ଜଷ୍ଟିସ ରଘୁନାଥ ବିଶ୍ୱାଳ ରାଜ୍ୟ ସରକାରଙ୍କୁ ଏହି ସର୍ଭେ ରିପୋର୍ଟ ପ୍ରଦାନ କରିଛନ୍ତି ।

ସୂଚନା ଅନୁସାରେ, ଗତ ମେ ୧ରୁ ଜୁଲାଇ ୧୦ ତାରିଖ ଯାଏଁ ରାଜ୍ୟରେ ହୋଇଥିଲା ଓବିସି ସର୍ଭେ । ଅନ୍‌ଲାଇନ୍‌, ଅଫ୍‌ଲାଇନ୍‌ ଓ ଡୋର୍‌ ଟୁ ଡୋର୍‌ ସର୍ଭେ ହୋଇଥିଲା । ରାଜ୍ୟରେ ପ୍ରାୟ ୧ କୋଟି ୯୧ ଲକ୍ଷ ଓବିସି ବର୍ଗର ଲୋକ ଥିବାବେଳେ ଆଉ କେତେକ ଜାତି ଓବିସି ବର୍ଗରେ ସାମିଲ ପାଇଁ ଦାବି କରିଥିଲେ । ପରେ ଶୁଣାଣି ଜରିଆରେ ସେମାନଙ୍କୁ ମଧ୍ୟ ଓବିସି ବର୍ଗରେ ସାମିଲ କରାଯାଇଛି । ଏହାପରେ ଓବିସି ବର୍ଗଙ୍କ ସଂଖ୍ୟା ପ୍ରାୟ ୧ କୋଟି ୯୫ଲକ୍ଷରେ ପହଁଚିଛି । ଯାହା ରାଜ୍ୟର ମୋଟ ଜନସଂଖ୍ୟାର ୪୩ ପ୍ରତିଶତ ବୋଲି କୁହାଯାଉଛି ।

ତେବେ ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେବାକୁ ହେଲେ ରାଜ୍ୟରେ ସେମାନଙ୍କ ସଂଖ୍ୟା ୫୪ ପ୍ରତିଶତ ବା ତାହା ଠାରୁ ଅଧିକ ହେବା ଦରକାର । ଏହା ହେଲେ ହିଁ ଓବିସି ବର୍ଗଙ୍କୁ ବିଭିନ୍ନ କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ପାଇଁ ଆଇନ ଅଣାଯାଇ ପାରିବ । ସେହିପରି ରାଜ୍ୟରେ ଏସ୍‌ଟି ବର୍ଗଙ୍କୁ ୨୨.୫ ପ୍ରତିଶତ ଓ ଏସ୍‌ସି ବର୍ଗଙ୍କୁ ୧୬.୨୫ପ୍ରତିଶତ ସଂରକ୍ଷଣ ଦିଆଯାଉଛି । ସର୍ଭେ ମାଧ୍ୟମରେ ରାଜ୍ୟର ୩୦ଟି ଜିଲ୍ଲାର ୩୧୪ ବ୍ଲକ ଓ ୧୧୪ ପୌରାଞ୍ଚଳରେ ପଛୁଆ ବର୍ଗଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିର ସମୀକ୍ଷା କରିବାକୁ ସରକାର ଲକ୍ଷ୍ୟ ରଖିଥିଲେ

୨୦୨୧ ମେ' ମାସରେ ପଛୁଆ ବର୍ଗ ସର୍ଭେ ପାଇଁ ଘୋଷଣା ହୋଇଥିଲା । କୋଭିଡ୍‌ ସଂକ୍ରମଣ ଲାଗି ସେତେବେଳେ ଗଣନା ସ୍ଥଗିତ ରଖାଯାଇଥିଲା । ତେବେ ଚଳିତ ବର୍ଷ ମେ' ୧ ତାରିଖରୁ ଜୁନ୍‌ ମାସ ୬ ତାରିଖ ପର୍ଯ୍ୟନ୍ତ ହୋଇଥିଲା । ତେବେ ସର୍ଭେରେ ପ୍ରତିଦିନ ଏନୁମରେଟରମାନେ ଘରକୁ ଘର ବୁଲି ପଛୁଆ ବର୍ଗ ଲୋକମାନଙ୍କର ତଥ୍ୟ ସଂଗ୍ରହ କରିଥିଲେ । ୬ ଜଣ ଅତିରିକ୍ତ ସଚିବ ପାହ୍ୟାର ଅଫିସରଙ୍କୁ ୩୦ ଜିଲ୍ଲାର ଜୋନାଲ୍‌ ଅଫିସର ଦାୟିତ୍ୱ ଦିଆଯାଇଥିଲା । ସେହିପରି ପଞ୍ଚାୟତରେ ଅଙ୍ଗନବାଡ଼ି କର୍ମୀ ଓ ସହରାଞ୍ଚଳରେ ୱାର୍ଡ୍‌ ଅଫିସର, ଟ୍ୟାକ୍ସ କଲେକ୍ଟର ଗଣନାକାରୀ କାର୍ଯ୍ୟ ତୁଲାଉଥିଲେ । ପ୍ରତ୍ୟେକ ୧୦ ଗଣନାକାରୀଙ୍କ କାର୍ଯ୍ୟ ତଦାରଖ ପାଇଁ ଜଣେ ଲେଖାଏଁ ସୁପରଭାଇଜରଙ୍କୁ ନିଯୁକ୍ତି ଦିଆଯାଇଥିଲା । ପ୍ରତ୍ୟେକ ସର୍ଭେ କେନ୍ଦ୍ରରେ ୨ରୁ ୫ ଜଣ ଲେଖାଏଁ ଗଣନାକାରୀ ରହିଥିଲେ ।