ଏଣିକି ଏସ୍‌ସିବିରେ ଆଡମିସନ୍‌ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ

Sep 24, 2023 - 07:01
 2
ଏଣିକି ଏସ୍‌ସିବିରେ ଆଡମିସନ୍‌ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ

କଟକ: ଏସ୍‌ସିବି ପକ୍ଷରୁ ଜାରି ହୋଇଛି ନୂଆ ନିୟମ । ଡାକ୍ତରଖାନାର ବିଭିନ୍ନ ୱାର୍ଡରେ ଆଡ୍‌ମିସନ୍‌ ନେଇ ଚିକିତ୍ସା  ହେଉଥିବା ରୋଗୀଙ୍କ ପାଇଁ ଆଧାର କାର୍ଡ ଲାଗୁ କରାଯାଇଛି । ଫଳରେ ଏଣିକି ବିଭାଗୀୟ ସ୍ତରରେ  ୱାର୍ଡ ହେଉ କିମ୍ବା ଆଇସିୟୁରେ ଚିକିତ୍ସାଧୀନ ରୋଗୀ, ଦୁର୍ଘଟଣାଗ୍ରସ୍ତ, ପ୍ରସୂତି, ସମସ୍ତଙ୍କୁ  ଆଧାର କାର୍ଡ ଜେରକ୍ସ କପି ଜମା କରିବାକୁ  ହେବ । ଏ ସଂକ୍ରାନ୍ତରେ ଡାକ୍ତରଖାନା ଅଧୀକ୍ଷକ ଏସ୍‌ସିବିର ସମସ୍ତ କ୍ଲିନିକାଲ୍‌ ବିଭାଗର ମୁଖ୍ୟ  ଏବଂ ୱାର୍ଡର ନର୍ସିଂ ଅଫିସର ଇନଚାର୍ଜମାନଙ୍କୁ  ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି ।  ଆଡ୍‌ମିସନ୍‌ ସମୟରେ ଯଦି କେହି ଆଧାର କାର୍ଡ ଜେରକ୍ସ ଜମା କରି ନପାରିଲେ, ଚିକିତ୍ସା ସମୟ ଭିତରେ ସମ୍ପର୍କୀୟମାନେ ୱାର୍ଡରେ ଜମା  କରିପାରିବେ ବୋଲି ବ୍ୟବସ୍ଥା ରଖାଯାଇଛି ।  

ଏସ୍‌ସିବି ଆଉଟ୍‌ଡୋର୍‌ରେ ଏବଂ ଆଶୁ  ଚିକିତ୍ସା କେନ୍ଦ୍ରରେ ଆଡମିସନ୍‌ କରାଯିବା  ସମୟରେ ରୋଗୀ, ଦୁର୍ଘଟଣାଗ୍ରସ୍ତ ଏବଂ ପ୍ରସୂତିଙ୍କ  ନାମ ଓ ଠିକଣା ଆଦି ସବିଶେଷ ବିବରଣୀ  ଲେଖା ହେବା ବେଳେ ଅଧିକାଂଶ ରୋଗୀଙ୍କ  ସଂପର୍କୀୟ ଠିକ୍‌ ତଥ୍ୟ ଦେଉନାହାନ୍ତି । ଫଳରେ ପରବର୍ତ୍ତୀ ସମୟରେ ବହୁ ସମସ୍ୟା ଉପୁଜୁଛି ।  ଚିକିତ୍ସାଧୀନ ରୋଗୀ କିମ୍ବା ଦୁର୍ଘଟଣାଗ୍ରସ୍ତଙ୍କ  ମଧ୍ୟରୁ କୌଣସି ୱାର୍ଡରେ ଯଦି କାହାର  ମୃତ୍ୟୁ ଘଟୁଛି, ସେମାନଙ୍କ ନାଁ କିମ୍ବା ଠିକଣା  ଭୁଲ୍‌ ଉଲ୍ଲେଖ ଥିଲେ ମୃତକଙ୍କ ସମ୍ପର୍କୀୟମାନେ  କଟକ ମହାନଗର ନିଗମ (ସିଏମ୍‌ସି)ରୁ ମୃତ୍ୟୁ ସାର୍ଟିଫିକେଟ୍‌ ପାଇବା ପାଇଁ ହଇରାଣ ହେଉଛନ୍ତି ।  କାରଣ ବେଡ୍‌ହେଡ୍‌ ଟିକେଟ୍‌ରେ ଉଲ୍ଲେଖ ଥିବା  ସୂଚନା ଆଧାରରେ ସିଏମ୍‌ସିରେ ମୃତକଙ୍କ ନାଁ  ଏସ୍‌ସିବି ପକ୍ଷରୁ ଅନ୍‌ଲାଇନ୍‌ରେ ପଞ୍ଜିକୃତ  ହୋଇଥାଏ । ପଞ୍ଜୀକରଣ ସମୟରେ ଉଲ୍ଲେଖ  ଥିବା ତଥ୍ୟ ଆଧାରରେ ଆବେଦନକାରୀଙ୍କୁ ମତ୍ୟୁ  ପ୍ରମାଣପତ୍ର (ଡେଥ୍‌ ସାର୍ଟିଫିକେଟ୍‌) ମିଳିଥାଏ ।