ଭୁବନେଶ୍ୱର ଉପକଣ୍ଠରେ ବାର୍ଡ ଫ୍ଲୁ: ବିଏମ୍‌ସିର କଟକଣା

Aug 31, 2024 - 15:21
 3
ଭୁବନେଶ୍ୱର ଉପକଣ୍ଠରେ ବାର୍ଡ ଫ୍ଲୁ: ବିଏମ୍‌ସିର କଟକଣା

ନବୀନ ଓଡିଶା ବ୍ଯୂର:ଭୁବନେଶ୍ବର: ଭୁବନେଶ୍ବର ଉପକଣ୍ଠରେ ବାର୍ଡ ଫ୍ଲୁ ଭୂତାଣୁ ସଂକ୍ରମଣ ଦେଖାଦେଇଛି। ଉପକଣ୍ଠରୁ ହିଁ ଭୁବନେଶ୍ବରକୁ କୁକୁଡ଼ା ମାଂସ ଆସୁଥିବାରୁ ଭୁବନେଶ୍ବରରେ ମଧ୍ୟ ଭୂତାଣୁ ସଂକ୍ରମଣ ଆଶଙ୍କା ସୃଷ୍ଟି ହୋଇଛି। ଏଣୁ ଭୁବନେଶ୍ବରରେ କୁକୁଡ଼ା ମାଂସ ବିକ୍ରି କରୁଥିବା ବ୍ୟବସାୟୀ ଯେଉଁଠି ସଂକ୍ରମଣ ହୋଇଛି ସେ ଅଞ୍ଚଳରୁ କୁକୁଡ଼ା ନକିଣିବା ପାଇଁ ପରାମର୍ଶ ଦେଇଛି ବିଏମ୍‌ସି। କିନ୍ତୁ ଏହାକୁ କିଏ ଜଗିବ? ଭୁବନେଶ୍ବରବାସୀ କେମିତି ଜାଣିବେ କେଉଁଠୁ କୁକୁଡ଼ା ଆସିଲା? ବିଏମ୍‌ସିର ବିଜ୍ଞପ୍ତି ପ୍ରକାଶ ପରେ ଏଭଳି ଅନେକ ପ୍ରଶ୍ନ ରାଜଧାନୀର କୁକୁଡ଼ାମାଂସପ୍ରେମୀଙ୍କ ନିଦ ହଜାଇଛି।

କମିସନର ରାଜେଶ ପ୍ରଭାକର ପାଟିଲଙ୍କ ପରାମର୍ଶ ମୁତାବକ, ଭୁବନେଶ୍ବରକୁ ଅଧିକାଂଶ କୁକୁଡ଼ା ଉପକଣ୍ଠରୁ ହିଁ ସହରକୁ ଆସୁଛି। ଏବେ ଉପକଣ୍ଠରେ ଏହି ସଂକ୍ରମଣ ଦେଖାଯାଇଥିବାରୁ ଭୁବନେଶ୍ବର ପ୍ରତି ବିପଦ ରହିଛି। ଏହା କିଭଳି ସହରବାସୀ ତଥା ଭୁବନେଶ୍ବରରେ ବିକ୍ରି ହେଉଥିବା କୁକୁଡ଼ାଙ୍କୁ ସଂକ୍ରମିତ ନ ହେବ ସେଥିପାଇଁ ଯେଉଁ ଅଞ୍ଚଳରେ ବାର୍ଡ ଫ୍ଲୁ ଭୂତାଣୁ ସଂକ୍ରମିତ ହେଉଥ‌ିବାରୁ ନଜରକୁ ଆସିଛି ସେହି ସବୁ ଅଞ୍ଚଳରୁ ଭୁବନେଶ୍ବରର କୁକୁଡ଼ା ମାଂସ ବ୍ୟବସାୟୀ କୁକୁଡ଼ା କିଣିବେ ନାହିଁ। ଯେଉଁ କୁକୁଡା ଅସ୍ବାଭାବିକ ଭାବେ ଅସୁସ୍ଥ ହୋଇ ପଡୁଛି ତାକୁ ତୁରନ୍ତ ନିକଟସ୍ଥ ପ୍ରାଣୀ ଚିକିତ୍ସା କେନ୍ଦ୍ର କିମ୍ବା ୱାର୍ଡ ଅଫିସରେ ଜଣାଇବେ। ମୃତ୍ୟୁ ହେଲେ ଏଣେତେଣେ ଫିଙ୍ଗିବେ ନାହିଁ। ନିର୍ଦ୍ଦିଷ୍ଟ ସ୍ଥାନରେ ପୋତିବା ସହ ତା’ ଉପରେ ବ୍ଲିଚିଂ ସିଞ୍ଚନ କରିବେ। ଏହି କାମ କରିବା ବେଳେ ମୁହଁରେ ମାସ୍କ ଓ ହାତରେ ଗ୍ଲୋଭ୍‌ସ୍ ପିନ୍ଧିବେ। ଯଦି ଏହି କୁକୁଡା ସଂସ୍ପର୍ଶରେ ଆସି କୌଣସି ବ୍ୟକ୍ତି ବା ଶିଶୁଙ୍କର ଜ୍ବର, ଛିଙ୍କ, କାଶ ଲାଗି ରୁହେ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବେ। 

ବିଏମ୍‌ସି ଅଧିକାରୀ ତଥା ସାଇନ୍ ଟିମ୍ ବିଭିନ୍ନ ଜାଗା ବୁଲି ସ୍ଥିତି ପରଖିବେ। ଏହି ସମୟରେ ବ୍ୟବସାୟୀମାନେ ସଠିକ୍‌ ତଥ୍ୟ ପ୍ରଦାନ କରିବେ। ଭୁବନେଶ୍ବରକୁ ବାର୍ଡ ଫ୍ଲୁ ଭୂତାଣୁମୁକ୍ତ କରିବାରେ ସମସ୍ତଙ୍କର ସକ୍ରିୟ ସହଯୋଗ ଆବଶ୍ୟକ ବୋଲି କମିସନର ଶ୍ରୀ ପାଟିଲ ନି‌ବେଦନ କରିଛନ୍ତି। 
ଉଲ୍ଲେଖଯୋଗ୍ୟ, କ୍ବିଣ୍ଟାଲ୍‌ କ୍ବିଣ୍ଟାଲ୍‌ ଓଜନର କୁକୁଡ଼ା ମାଂସ ସାଧାରଣ ଗ୍ରାହକଙ୍କ ସହ ବିଭିନ୍ନ ହଷ୍ଟେଲ୍‌କୁ ଯୋଗାଯାଉଛି। ରାସ୍ତା କଡ଼ରେ ମଧ୍ୟ କୁକୁଡ଼ା ମାଂସରେ ପ୍ରସ୍ତୁତ ନାନା ରକମର ଖାଦ୍ୟ ପାଇଁ ପ୍ରବଳ ଭିଡ଼ ଜମୁଛି। କେତେକ ଦୋକାନୀ ତ’ କେବଳ କୁକୁଡ଼ା ମାଂସରେ ପ୍ରସ୍ତୁତ ଖାଦ୍ୟ ହିଁ ବିକ୍ରି କରୁଛନ୍ତି। ବିଏମ୍‌ସିର ଏହି ନୋଟିସ ପରେ ଉଭୟ ବ୍ୟବସାୟୀ ଓ ଗ୍ରାହକ ଛାନିଆ ହୋଇଛନ୍ତି। ଟିମ୍‌ ସାଇନ୍‌ ଓ ବିଏମ୍‌ସିର ସ୍ବତନ୍ତ୍ର ଅଧିକାରୀ ଆସନ୍ତାକାଲି ଠାରୁ ଘନଘନ ଚଢ଼ଉ କରିବେ ‌ବୋଲି ସୂଚନା ମିଳିଛି। କିନ୍ତୁ ଉପକଣ୍ଠରୁ କୁକୁଡ଼ା ଆସିବା ଉପରେ କିଭଳି ନଜର ରଖାଯିବ ସେ ନେଇ ସମ୍ପୃକ୍ତ ବ୍ୟବସାୟୀଙ୍କ ତଥ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଥିବାରୁ ସମସ୍ୟା ହୋଇଛି।