ରାଜଧାନୀରେ ଭସାଣି, ଏହି ସବୁ ରୁଟରେ ଗାଡ଼ି ଯିବା ମନା

ଭୁବନେଶ୍ୱର: ସରିଲା ଶାରଦୀୟ ଦୁର୍ଗାପୂଜା । ଆଜି ମେଲାଣି ନେବେ ମହାମାୟା । ଭସାଣି ଶୋଭାଯାତ୍ରା ଓ ମାଆଙ୍କୁ ବିସର୍ଜନ ପାଇଁ ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ବରରେ ଟ୍ରାଫିକ ବ୍ୟବସ୍ଥା କଡାକଡି କରାଯାଇଛି । ଏନେଇ କମିଶନରେଟ ପୋଲିସ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ତେବେ ଭସାଣି ପାଇଁ ଦିନ ୩ଟାରୁ ରାତି ୧ଯାଏଁ ଭୁବନେଶ୍ବରରେ ଯାନବାହାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ତେବେ ଭୁବନେଶ୍ୱରର ସମସ୍ତ ମେଢ଼ର ବିସର୍ଜନ ଓ ଭସାଣି ଶୋଭାଯାତ୍ରା ପାଇଁ ତିନୋଟି ସ୍ଥାନ ନିରୁପଣ ହୋଇଛି । ଭସାଣି ସମୟରେ ଭିଡ଼କୁ ଦୃଷ୍ଟିରେ ରଖି କଟକଣା ଜାରି କରାଯାଇଛି । ଦିନ ୩ଟାରୁ ରାତି ୧ଯାଏଁ ଯାନବାହନ ଚଳାଚଳ ଉପରେ କଟକଣା ଲଗାଇଛି କମିଶନରେଟ ପୋଲିସ ।
ତେବେ ପୋଲିସର ସୂଚନା ମୁତାବକ ଭୁବନେଶ୍ୱର ଭସାଣି ଉତ୍ସବ ସମିତି ପକ୍ଷରୁ ଶହୀଦନଗରଠାରେ, ରାଜଧାନୀ ମନ୍ଦିର ସୁରକ୍ଷା ଓ ଭସାଣି କମିଟି ପାଇଁ ନୟାପଲ୍ଲୀ ସେହିପରି ଉତ୍ତର ଭୁବନେଶ୍ୱର ଭସାଣି କମିଟି ପାଇଁ ଚନ୍ଦ୍ରଶେଖରପୁରଠାରେ ସ୍ଥାନ ନିରୁପଣ କରାଯାଇଛି । ତିନୋଟି ଜୋନରେ ଭୁବନେଶ୍ୱର ଓ ଏହାର ଉପକଣ୍ଠର ପୂଜା କମିଟି କର୍ତ୍ତୃପକ୍ଷ ମାଆଙ୍କ ମେଢ଼ ସହ ଶୋଭାଯାତ୍ରାରେ ଆସି ଭସାଣି କରିବେ ।
ଶହୀଦନଗରଠାରେ ଏକାଠି ହେବାକୁ ଥିବା ମେଢ଼ମାନେ ବାଣୀବିହାରଠାରୁ ସିଧା ରାଜମହଲ ଛକ ପର୍ୟ୍ୟନ୍ତ ଯିବେ । ସେଠାରୁ ୟୁ ଟର୍ଣ୍ଣ କରି ପ୍ରସ୍ତୁତ ହୋଇଥିବା କୃତ୍ରିମ ଜଳାଶୟରେ ବିସର୍ଜନ କରିବେ । ତେବେ ବାଣୀବିହାରରୁ ରାଜମହଲ ପର୍ୟ୍ୟନ୍ତ ଭସାଣି ପାଇ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ରାଜମହଲରୁ ବାଣୀବିହାର ପର୍ୟନ୍ତ ଦିନ ୩ଟାରୁ ଗାଡ଼ି ଯିବା ଆସିବା ଉପରେ କଟକଣା ରହିବ । ଅର୍ଥାତ୍ ରାତି ୧ଟା ଯାଏଁ ସେହି ରୁଟରେ କୌଣସି ଗାଡି ଯାଇପାରିବ ନାହିଁ। ଏନେଇ କଳ୍ପନା ପଟୁ ବା ଶିଶୁଭବନ ପଟୁ ଯାଉଥିବା ସମସ୍ତ ଗାଡ଼ିକୁ ଏଜି ଟ୍ରାଫିକ ଦେଇ ସେକ୍ରେଟାରିଅଟ ଅର୍ଥାତ୍ ଆଚାର୍ୟ୍ୟବିହାର ରୋଡ୍ ଦେଇ ଡାଇଭର୍ଟ କରାଯିବ । ସେହିପରି ବାଣୀବିହାର ପଟୁ ଆସୁଥିବା ଗାଡ଼ି ଆଚାର୍ୟ୍ୟବିହାର ଦେଇ ଏଜି ପର୍ୟ୍ୟନ୍ତ ଡାଇଭର୍ସନରେ ଯିବ ।
ସେହିପରି ନୟାପଲ୍ଲୀରେ ଏକାଠି ହେଉଥିବା ମେଢ଼ ସବୁ ସିଆରପି ଦେଇ ଯିବା ବେଳେ ଷ୍ଟୁଆର୍ଟ ସ୍କୁଲ୍ ୟୁନିଟ ୮ ଓ ଓୟୁଏଟି ନିୟୁ ଏୟାରପୋର୍ଟ ରୋଡ଼ ପର୍ୟନ୍ତ କଟକଣା ରହିବ।ସେହିପରି ଚନ୍ଦ୍ରଶେଖରପୁର ଇଣ୍ଡିଆନ ଅଏଲ ଅଫିସ ପାଖରୁ ପଟିଆ ପର୍ୟନ୍ତ ମଧ୍ୟ ଭସାଣି ଶୋଭାଯାତ୍ରା ପାଇଁ ଯାନବାହାନ ଉପରେ କଟକଣା ରହିଛି । ତେବେ ଅନ୍ୟ ରୁଟରେ ଯାନବାହନ ଚଳାଚଳ କରିପାରିବ ।