ଇ-ରୁପିରେ ୟୁପିଆଇ ପେମେଣ୍ଟ୍ : ସାତଟି ବ୍ୟାଙ୍କରେ ସୁବିଧା

ନୂଆଦିଲ୍ଲୀ: ଫୋନ୍ପେ, ପେଟିଏମ୍, ଗୁଗୁଲ୍ପେ ଭଳି ଆପ୍ ଜରିଆରେ ଲୋକମାନେ କ୍ୟୁଆର୍ କୋଡ୍ ସ୍କାନ୍ କରି ପେମେଣ୍ଟ୍ କରୁଛନ୍ତି। ଏଥିରେ ଆପ୍ ସହ ଯୋଡ଼ିହୋଇଥିବା ବ୍ୟାଙ୍କ ଖାତାରୁ ଟଙ୍କା କଟୁଛି। ତେବେ ଲୋକମାନେ ଚାହିଲେ କ୍ୟୁଆର୍ କୋଡ୍କୁ ସ୍କାନ୍ କରି କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ମୁଦ୍ରା (ସିବିଡିସି) ବା ଇ-ରୁପିରେ ପେମେଣ୍ଟ୍ କରିପାରିବେ। ଦେଶର ସାତଟି ବ୍ୟାଙ୍କ ସେହି ସୁବିଧା ପ୍ରଦାନ କରୁଛନ୍ତି। ଏହି ତାଲିକାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ଯୋଡ଼ିହୋଇଛି।
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, ୟେସ୍ ବ୍ୟାଙ୍କ, ଏଚ୍ଡିଏଫ୍ସି ବ୍ୟାଙ୍କ, କାନାରା ବ୍ୟାଙ୍କ ଓ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ନିଜର ସିବିଡିସି ଆପ୍ରେ ଇଣ୍ଟରଅପରେବିଲିଟି ସୁବିଧା ପ୍ରଦାନ କରାଯାଉଛି। ଏହି ବ୍ୟାଙ୍କଗୁଡ଼ିକ ନିଜସ୍ବ ସିବିଡିସି ଆପ୍ ଉନ୍ମୋଚନ କରିଛନ୍ତି। ୨୦୨୨ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ନିଜର ଡିଜିଟାଲ୍ ମୁଦ୍ରା ଇ-ରୁପିକୁ ଉନ୍ମୋଚନ କରିଥିଲା। ଏହା ହେଉଛି କାଗଜ ନୋଟ୍ର ଡିଜିଟାଲ ରୂପ। ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ତାହା ଜାରି ହୋଇଥିବା ବେଳେ ନିୟନ୍ତ୍ରଣରେ ମଧ୍ୟ ରହିଛି। ବିଟ୍କଏନ୍ ଭଳି ଡିଜିଟାଲ୍ ମୁଦ୍ରାଠାରୁ ତାହା ସମ୍ପୂର୍ଣ୍ଣ ଭିନ୍ନ। ସିବିଡିସିକୁ ୟୁପିଆଇ ସହ ଯୋଡ଼ିବା ଦ୍ବାରା ତାହାର ଗ୍ରହଣୀୟତା ବଢ଼ିବ ବୋଲି ଆଶା କରାଯାଉଛି।