କେନ୍ଦ୍ର ଠାରେ ଓଡ଼ିଶାର ଦାବି: ମିଲେଟ ଉତ୍ପାଦିତ ଦ୍ରବ୍ୟ ଉପରୁ ଜିଏସଟି ଛାଡ ହେଉ

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଦ୍ରବ୍ୟ ଓ ସେବା କର (ଜିଏସଟି) ପରିଷଦର ୫୨ତମ ବୈଠକ ନୂଆଦିଲ୍ଲୀସ୍ଥିତ ସୁଷମା ସ୍ୱରାଜ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଦ୍ରବ୍ୟ ଓ ସେବା କର (ଜିଏସଟି) ପରିଷଦର ଏହି ୫୨ତମ ବୈଠକରେ ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ ରାଜ୍ୟ ପକ୍ଷରୁ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ଓ ବିଭିନ୍ନ ଦାବି ପରିଷଦ ବୈଠକରେ ଉପସ୍ଥାପନ କରିଥିଲେ ।
ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ କହିଲେ ଯେ, ମିଲେଟ ମିଶନ ମାଧ୍ୟମରେ ମିଲେଟ ଚାଷକୁ ପ୍ରୋତ୍ସାହନ ଦେବାରେ ଓଡ଼ିଶା ହେଉଛି ଅଗ୍ରଣୀ ରାଜ୍ୟ । ମିଲେଟ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଶା ମିଲେଟ ମିଶନ ମଡେଲକୁ ଗ୍ରହଣ କରିବାକୁ ଭାରତ ସରକାର ସମସ୍ତ ରାଜ୍ୟକୁ କହିଛନ୍ତି । ମିଲେଟଭିତ୍ତିକ ଉତ୍ପାଦ ଉପରେ ଜିଏସଟି ହାର ହ୍ରାସ ଓଡ଼ିଶା ମିଲେଟ୍ ମିଶନ ଉପରେ ଯଥେଷ୍ଟ ସକାରାତ୍ମକ ପ୍ରଭାବ ପକାଇପାରେ । ମିଲେଟ ଆଧାରିତ ଉତ୍ପାଦ ଉପରେ ଜିଏସଟି ହାର ହ୍ରାସ କରି ସରକାର ସେଗୁଡ଼ିକୁ ଅଧିକ ସୁଲଭ ଓ ସହଜଲଭ୍ୟ କରିପାରିବେ । ଏହି ପଦକ୍ଷେପ ଦ୍ୱାରା ଅଧିକରୁ ଅଧିକ ଲୋକ ମିଲେଟକୁ ନିଜ ଖାଦ୍ୟରେ ସାମିଲ କରିବା ପାଇଁ ଉତ୍ସାହିତ ହୋଇପାରିବେ, ଫଳରେ ଉତ୍ତମ ସ୍ୱାସ୍ଥ୍ୟ ଲାଭ ହୋଇପାରିବ ଏବଂ ସ୍ଥାନୀୟ ମିଲେଟ ଚାଷୀମାନଙ୍କୁ ସହାୟତା ମିଳିପାରିବ ।
ମିଲେଟ ଆଧାରିତ ସ୍ୱାସ୍ଥ୍ୟ ମିଶ୍ରଣ ଉପରେ ଜିଏସଟି ଛାଡ଼, (ଯେଉଁଥିରେ ସର୍ବନିମ୍ନ ୭୦ ପ୍ରତିଶତ ମିଲେଟ ଖୋଲାରେ ବିକ୍ରି ହୋଇଥାଏ) ମୂଲ୍ୟଯୁକ୍ତ ମିଲେଟ ଉତ୍ପାଦକୁ ବୃଦ୍ଧି କରିବାରେ ସହାୟକ ହେବ । ଓଡ଼ିଶାରେ ବିଶେଷ କରି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଉଦ୍ୟୋଗୀମାନଙ୍କ ପାଇଁ ବ୍ୟବସାୟିକ ସୁଯୋଗର ସାମଗ୍ରିକ ବିକାଶରେ ଏହା ସହାୟକ ହେବ ।କେବଳ ସେତିକି ନୁହେଁ, ଜିଏସଟି ହାର ହ ୍ରାସ ଦ୍ୱାରା ମିଲେଟ ଆଧାରିତ ସ୍ୱାସ୍ଥ୍ୟ ମିଶ୍ରଣ ଉତ୍ପାଦନରେ ନିୟୋଜିତ ଉଦ୍ୟୋଗୀମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ସୁନିଶ୍ଚିତ ହୋଇପାରିବ । ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ଏହି ଜିଏସଟି ହାର ହହ୍ରାସ ପାଇଁ ଜିଏସଟି ପରିଷଦର ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ ।
ଡିଏମ୍ଏଫ୍ ଟ୍ରଷ୍ଟ ପକ୍ଷରୁ ଦିଆଯାଉଥିବା ସେବା ଉପରେ ଜିଏସଟି ଛାଡ଼ ପାଇଁ ଓଡ଼ିଶା ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ଫିଟମେଣ୍ଟ କମିଟି ଓଡ଼ିଶାର ପ୍ରସ୍ତାବକୁ ଅନୁଧ୍ୟାନ କରିଥିଲା ଏବଂ ଏହା ସ୍ପଷ୍ଟ କରିବାକୁ ସୁପାରିଶ କରିଥିଲା ଯେ ଡି.ଏମ୍.ଏଫ୍.ଟି ଏକ ସରକାରୀ କର୍ତ୍ତୃପକ୍ଷ ଏବଂ ତେଣୁ ବର୍ତ୍ତମାନର ଯୋଜନାରେ ଯେକୌଣସି ସରକାରୀ କର୍ତ୍ତୃପକ୍ଷ ସମାନ ରିହାତି ପାଇବାକୁ ଯୋଗ୍ୟ ।ଏହି ପରିପ୍ରେକ୍ଷୀରେ ପରିଷଦର ବିଚାର ପାଇଁ ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ନିମ୍ନଲିଖିତ ବିଷୟଗୁଡ଼ିକୁ ଉପସ୍ଥାପନ କରିଥିଲେ ।