ଜେରେନୁକ୍ ପାଣି ନ ପିଇ ସାରା ଜୀବନ କାଟିପାରେ

ନୂଆଦିଲ୍ଲୀ: ଉତ୍ତପ୍ତ ପରିବେଶରେ ତିଷ୍ଠି ରହିବା ଲାଗି ନିୟମିତ ପାଣି ପିଇବା ପ୍ରାୟ ସବୁ ପଶୁପକ୍ଷୀଙ୍କ ଲାଗି ଅପରିହାର୍ଯ୍ୟ। କିନ୍ତୁ ଜେରେନୁକ୍ ଏଭଳି ଏକ ପଶୁ ଯାହା ଏ ନିୟମ ପାଳନ ନ କରି ସାରା ଜୀବନ କାଟିପାରେ। ଏହା ଦେଖିବାକୁ ହରିଣ ପରି, କିନ୍ତୁ ଏହାର ବେକ ଓ ଗୋଡ଼ ଅଧିକ ଲମ୍ବା, ମୁଣ୍ଡର ଆକାର ଛୋଟ ଏବଂ ଆଖି ଓ କାନ ବହୁତ ବଡ଼। ଏହା ନିଜର ଦୁଇଟି ପଛ ଗୋଡ଼ରେ ଛିଡ଼ା ହୋଇପାରେ।
ଜିରାଫ ଭଳି ଲମ୍ବା ବେକ ଯୋଗୁଁ ସେ ଉଚ୍ଚା ଗଛ ଓ ବୁଦାର ଡାଳପତ୍ର ସହଜରେ ଖାଇପାରେ। ସୋମାଲି ଭାଷାରେ ‘ଜେନେରୁକ୍’ର ଅର୍ଥ ହେଉଛି ଜିରାଫ ଭଳି ବେକଧାରୀ ଜୀବ। ଖାଦ୍ୟ ଅଭ୍ୟାସ ଓ ସ୍ବତନ୍ତ୍ର ଧରଣର ନାକ ଯୋଗୁଁ ଜେନେରୁକ୍କୁ ପାଣି ଖୋଜିବାକୁ ପଡ଼େ ନାହିଁ।
ଡାଳପତ୍ରରୁ ସେ ଆବଶ୍ୟକ ଜଳୀୟ ଅଂଶ ହାସଲ କରିପାରେ। ଏହାର ନାସା ଗହ୍ବରର ଗଢ଼ଣ ଏପରି ଯେ ତାହା ଦ୍ବାରା ଅଧିକ ଜଳ ବାଷ୍ପୀଭୂତ ହୁଏ ନାହିଁ। ତେଣୁ ମରୁଭୂମି ଓ ଶୁଷ୍କ ସ୍ଥାନରେ ରହିବାରେ ମଧ୍ୟ ତାକୁ ବିଶେଷ ସମସ୍ୟା ହୁଏ ନାହିଁ। ଅଳ୍ପ କେତେକ ପୂର୍ବ ଆଫ୍ରିକୀୟ ଦେଶରେ ଏହି ଜୀବ ଦେଖାଯାଏ।