ରାଜ୍ୟସଭାରେ ପାରିତ ହେଲା ମହିଳା ସଂରକ୍ଷଣ ବିଲ୍

ନୂଆଦିଲ୍ଲୀ: ଲୋକସଭା ଭଳି ରାଜ୍ୟସଭାରେ ମଧ୍ୟ ମହିଳା ସଂରକ୍ଷଣ ବିଲ୍ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ସର୍ବସମ୍ମତିକ୍ରମେ ପାରିତ ହୋଇଛି । ଏହି ବିଲ୍ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିବା ବେଳେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ଏହାକୁ ଐତିହାସିକ ସଫଳତା କହିଛନ୍ତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ବିଲ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ଅନୁମୋଦନ ପାଇଁ ଯିବ । ସେ ଏହା ଉପରେ ମୋହର ମାରିବା ପରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଆଇନରେ ପରିଣତ ହୋଇଯିବ । ଦୀର୍ଘ ୮ ଘଣ୍ଟାର ବିତର୍କ ପରେ ସର୍ବସମ୍ମତିକ୍ରମେ ଏହି ବିଲ୍ ପାରିତ ହୋଇଛି । ତେବେ ବିରୋଧୀ ଏହାର ପ୍ରାବଧାନ ଉପରେ ଅନେକ ପ୍ରଶ୍ନ କରିଥିଲେ ମଧ୍ୟ ବିଲ୍କୁ ସମର୍ଥନ ପ୍ରଦାନ କରିଛନ୍ତି । ବିଲ୍ ସପକ୍ଷରେ ୨୧୫ ଭୋଟ ପଡିଥିବା ବେଳେ ବିପକ୍ଷରେ କୌଣସି ଭୋଟ୍ ପଡିନାହିଁ । ଏଥିସହ ବିଲ୍ରେ ଥିବା ବ୍ୟବସ୍ଥାକୁ ତୁରନ୍ତ ଲାଗୁ କରିବା ଓ ଓବିସି ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ ବିରୋଧି ଯୁକ୍ତି ବାଢ଼ିଥିଲେ ମଧ୍ୟ ସରକାର ବିଲ୍ରେ କୌଣସି ପରିବର୍ତ୍ତନ କରିନାହାନ୍ତି ।