ଅତିରିକ୍ତ ବଜେଟ୍: ସୁଭଦ୍ରା ଯୋଜନା ପାଇଁ ୨୯୫ କୋଟି
ନବୀନ ଓଡିଶା ବ୍ଯୂର: ଭୁବନେଶ୍ବର : ରାଜ୍ୟ ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ଉପସ୍ଥାପିତ ହୋଇଛି। ଏଥିରେ ମୋଟ ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ଅତିରିକ୍ତ ବଜେଟ୍ ଆଗତ କରିଛନ୍ତି।
ଏହି ଅତିରିକ୍ତ ବଜେଟରେ ମହିଳା ଓ ଶିଶୁ ସଶକ୍ତିକରଣ ବିଭାଗ ପାଇଁ ୧୫୫୮କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ସୁଭଦ୍ରା ଯୋଜନା ପାଇଁ ୨୯୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ଅଙ୍ଗନୱାଡ଼ି କେନ୍ଦ୍ରର ଅସମ୍ପୂର୍ଣ୍ଣ କୋଠା ସମ୍ପୂର୍ଣ୍ଣ କରିବା ପାଇଁ ୨୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ମମତା ଅଧୀନରେ ଗର୍ଭବତୀ ମହିଳାଙ୍କ ପାଇଁ ସର୍ଭମୂଳକ ନଗଦ ହସ୍ତାନ୍ତର ପାଇଁ ୧୪୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ICDS ଯୋଜନା କାର୍ଯ୍ୟକାରୀ କରିବା ରାଜ୍ୟ ସହାୟତା ବାବଦକୁ ୬୯ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।
କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ ନିର୍ମାଣ ବାବଦକୁ ୪୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ପିତାମାତାହୀନ, ଏକାକୀ ପିତାମାତା ଏବଂ ଅବହେଳିତ ପିଲାମାନଙ୍କର ଯତ୍ନ, ସୁରକ୍ଷା, ଶିକ୍ଷା ଏବଂ ଆର୍ଥିକ ସୁରକ୍ଷା ପାଇଁ ଯଶୋଦା-ଆଶୀର୍ବାଦ ଅଧୀନରେ ୧୧ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ଶକ୍ତି ସଦନ (ସାମର୍ଥ୍ୟ) ପାଇଁ ୩୩ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ମିଶନ ଶକ୍ତି କାର୍ଯ୍ୟକ୍ରମ ଅଧୀନରେ ୪୦୫ କୋଟି ଟଙ୍କାର ବ୍ୟବସ୍ଥା । ଜାତୀୟ ଗ୍ରାମୀଣ ଜୀବିକା ମିଶନ (NRLM) ଅଧୀନରେ ୪୨୦ କୋଟି ଟଙ୍କାର ବ୍ୟବସ୍ଥା ।
