ପାରମ୍ପରିକ ବାଦ୍ୟର ଧ୍ବନିରେ କମ୍ପୁଛି କଟକ : ଭସାଣି ଯାତ୍ରା ଆରମ୍ଭ

କଟକ : ଆଜି ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ମା ଦୁର୍ଗା। ମା ଜଗତଜନନୀ ଦୁର୍ଗାଙ୍କ ଭସାଣି ଯାତ୍ରା କଟକରେ ଆରମ୍ଭ ହୋଇଥିବାର ସୂଚନା ମିଳିଛି।। କଟକ ସହର ଏବେ ପାରମ୍ପରିକ ବାଦ୍ୟର ଧ୍ବନିରେ କମ୍ପୁଛି। ବିଭିନ୍ନ ମଣ୍ଡପରୁ ଦୁର୍ଗାଙ୍କ ଭସାଣି ଯାତ୍ରା ଆରମ୍ଭ ହୋଇଛି। ଗତକାଲି ରାତିରୁ ଭସାଣି ପର୍ବ ଆରମ୍ଭ ହୋଇ ଏବେ ଏହା ଜମି ଆସୁଛି। ଛତ୍ରବଜାର ମେଢ ଏବେ ସାହି ପରିକ୍ରମା କରୁଥିବାର ସୂଚନା ରହିଛି। ଅନ୍ୟ କେତେକ ମେଢକୁ ଏବେ ଭସାଣି ଯାତ୍ରାରେ ନିଆଯାଉଛି। ଏଥିଲାଗି କଟକ ସହର ଏବେ ଲୋକାରଣ୍ୟ ହୋଇଛି।
ଆଜି ଦେବୀଗଡ଼ା ଘାଟଠାରେ ବିସର୍ଜନ ପର୍ବ ଅନୁଷ୍ଠିତ ହେବ। ଦେବୀଗଡ଼ା ଘାଟଠାରେ ବି ଜନଗହଳି ପରିଲକ୍ଷିତ ହେଉଛି। ଏଣେ ଭସାଣିକୁ ନେଇ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଛି। ଦେବୀଗଡ଼ାଠାରେ ପୂର୍ବରୁ କୁତ୍ରିମ ପୋଖରୀ ପ୍ରସ୍ତୁତ ହୋଇଛି। ରାସ୍ତାଘାଟ ସଫା କରାଯାଇଛି। ଦେବୀଗଡ଼ାଠାରେ ଆଲୋକୀକରଣ, ପବ୍ଲିକ ଶୌଚାଳୟର ବ୍ୟବସ୍ଥା କରିଛି କଟକ ମହାନଗର ନିଗମ। କଟକରେ ୧୫୦ରୁ ଅଧିକ ମଣ୍ଡପରେ ପୂଜା ପାଉଥିବା ଦୁର୍ଗାଙ୍କୁ ମୃଣ୍ମୟୀ ମୂର୍ତ୍ତି ଆଜି ବିସର୍ଜିତ ହେବ। କଟକରେ ଏଥିଲାଗି ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଜନସାଧାରଣଣଙ୍କୁ ସହଯୋଗ କରିବାକୁ କମିଶନରେଟ ପୁଲିସ ପକ୍ଷରୁ ନିବେଦନ କରାଯାଇଛି। ଉକ୍ତ ନିୟମ ଉଲ୍ଲଂଘନ କରିଲେ, ୫୦୦ ଟଙ୍କାରୁ ୧ ହଜାର ଟଙ୍କା ଯାଏ ଜରିମାନା ଆଦାୟ କରାଯିବା ନେଇବି ଚେତାବନୀ ଦିଆଯାଇଛି।