ମାଡି ବସିଛନ୍ତି ୩୦ କୋଟିର ସରକାରୀ ଜାଗା: ଗଢି ଉଠିଛି ବ୍ୟାବସାୟିକ ପ୍ରତିଷ୍ଠାନ

ରାଉରକେଲା: ସହରର ମୂଲ୍ୟବାନ ସରକାର ଜମି ଏବେ ଜବରଦଖଲକାରୀଙ୍କ କବ୍ଜାରେ । ଗୋଟିଏ କି ଦୁଇଟି ନୁହେଁ ସହରର ପ୍ରାୟ ଅଧିକାଂଶ ସ୍ଥାନରେ କୋଟିକୋଟି ଟଙ୍କାର ସରକାରୀ ଜାଗାକୁ ମାଡିବସିଛନ୍ତି । କେଉଁଠି ବ୍ୟବସାୟିକ ପ୍ରତିଷ୍ଠାନ, ଗୋଦାମ ଗୃହ ତ ଆଉ କେଉଁଠି ସୋରୁମ୍ ଗଢି ଉଠିଛି । ହେଲେ ଆଜି ପର୍ଯ୍ୟନ୍ତ ଏମାନଙ୍କ ବିରୋଧରେ ଜିଲ୍ଲା ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଶୂନ୍ । ଆଶ୍ଚର୍ଯ୍ୟର କଥା ଯେଉଁ ସ୍ଥାନକୁ ଜିଲ୍ଲା ପ୍ରଶାସନ ଉଚ୍ଛେଦ କରୁଛି, କିଛି ମାସ ପରେ ସେଠି ପୁଣି ଗୃହ ନିର୍ମାଣ ହେଉଛି । ଏମିତି ସ୍ଥିତି ଉପୁଜିଛି ଉଦିତନଗର ଓରାମପଡା ଇଣ୍ଡୋ ଇଂରାଜୀ ମାଧ୍ୟମ ସ୍କୁଲ ନିକଟରେ ।
ପ୍ରାୟ ୨ ଏକରରୁ ଅଧିକ ସରକାରୀ ଜାଗାରୁ ୭୦% ମାଡି ବସିଲେଣି । ଯେଉଁଠି ଗଢି ଉଠିଛି ଗୋଦାମ, ଦୋକାନ ଓ ଅନ୍ୟାନ୍ୟ ଗୃହ । ଅବଶିଷ୍ଟ ୩୦% ଜାଗାରେ ବେଆଇନ ଭାବେ ଏବେ ଗୃହ ନିର୍ମାଣ ଚାଲିଛି । ସ୍ଥାନୀୟ ତହସିଲଦାରଙ୍କୁ ଖୋଲା ଚାଲେଞ୍ଜ ଦେଇ ମାସମାସ ଧରି ଏଭଳି ବେଆଇନ କାମ ଚାଲିଛି । ହେଲେ ତଦାରଖ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀଙ୍କ ନଜର ନ ପଡିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୂର୍ବରୁ ଏହି ମୂଲ୍ୟବାନ ସରକାରୀ ଜାଗାକୁ ଜଣେ ବ୍ୟବସାୟୀ ଓ ରାଜନୈତିକ ଦଳର ନେତା ମାଡି ବସିଥିଲେ । ସିମେଣ୍ଟ ଖୁଣ୍ଟ ଓ ଟିଣ ଚାଦର ଘେରାଇ କିଛି ମାସ ରଖିଥିଲେ । ପରବର୍ତ୍ତୀ ସମୟରେ ସେହି ଜାଗାରେ ଗୋଟିଏ ପରେ ଗୋଟିଏ ଘର ନିର୍ମାଣ କରିଥିଲେ । ଜିଲ୍ଲା ପ୍ରଶାସନ ନିକଟରେ ସୂଚନା ପହଞ୍ଚିବା ପରେ ସେହି ଜାଗାରୁ ଜବରଦଖଲକାରୀଙ୍କୁ ହଟାଯାଇଥିଲା । ପ୍ରାୟ ୧୦% ଜାଗାରେ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ କରାଯାଇଛି ।
ଅବଶିଷ୍ଟ ଜାଗା ଏବେ ଜବରଦଖଲକାରୀଙ୍କ କବ୍ଜାକୁ ଚାଲିଯାଇଛି । ମୁଖ୍ୟ ନାଳର ଦୁଇ ପାର୍ଶ୍ୱ ଜାଗାରେ ଦିନରାତି ବେଆଇନ ଦୋକାନ ଓ ଗୋଦାମ ଗୃହ ନିର୍ମାଣ ଚାଲିଛି । ଏଭଳି ବେଆଇନ କାର୍ଯ୍ୟକୁ ବିରୋଧ କରୁଥିବା ସ୍ଥାନୀୟ ଲୋକଙ୍କୁ ଜବରଦଖଲକାରୀ ଓଲଟା ଧମକଚମକ ଦେଉଥିବା ଅଭିଯୋଗ ହୋଇଛି । ଏ ସଂକ୍ରାନ୍ତରେ ରାଉରକେଲା ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକଙ୍କୁ ପଚାରିବାରୁ ସେ କହଛନ୍ତି, ତଦନ୍ତ କରି ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଆସନ୍ତା ଦିନରେ ମୂଲ୍ୟବାନ ସରକାରୀ ଜମିକୁ ରୋକିବାକୁ ଜିଲ୍ଲା ପ୍ରଶାସନ କେତେ ତତ୍ପର ହେଉଛନ୍ତି, ତା ଉପରେ ସମସ୍ତଙ୍କ ନଜର ରହିଛି । ଉଲ୍ଲେଖଯୋଗ୍ୟ, ରାଉରକେଲାର କେବଳ ଗୋଟିଏ ସ୍ଥାନ ନୁହେଁ, ଉଦିତନଗର, ବାସନ୍ତୀକଲୋନି ରେଳ ଫାଟକ ପାର୍ଶ୍ୱରେ ପ୍ରାୟ ୫ ଏକର ୬ ଡିସିମିଲ ଅର୍ଥାତ୍ ୨୦୦ କୋଟି ଟଙ୍କା ମୂଲ୍ୟର ଜଙ୍ଗଲ ଜମି ଏବେ ବଡବଡ ବ୍ୟବସାୟୀଙ୍କ କବ୍?ଜାରେ ରହିଛି । ସେମିତି ମାଲଗୋଦାମରେ ଆର୍ସିଏମ୍ଏସ୍ର ପ୍ରାୟ ୫୦ କୋଟିର ସରକାରୀ ଜାଗାକୁ ବି ସ୍ଥାନୀୟ ଲୋକ ମାଡି ବସିଛନ୍ତି ।