‘ଚନ୍ଦ୍ରଯାନ-୩ ଅଭିଯାନ’ ନାରୀଶକ୍ତିର ଜୀବନ୍ତ ଉଦାହରଣ: କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Aug 27, 2023 - 07:03
 4
 ‘ଚନ୍ଦ୍ରଯାନ-୩ ଅଭିଯାନ’ ନାରୀଶକ୍ତିର ଜୀବନ୍ତ ଉଦାହରଣ: କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ‘ଚନ୍ଦ୍ରଯାନ-୩’ ଅଭିଯାନରେ ‘ଇସ୍‌ରୋ’ ବୈଜ୍ଞାନିକମାନଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହିତ ଏହି ଅଭିଯାନ ଭାରତୀୟ ନାରୀମାନଙ୍କର ସାମର୍ଥ୍ୟର ଜୀବନ୍ତ ଉଦାହରଣ ବୋଲି ଆଜି ‘ମନ୍‌ କୀ ବାତ୍‌’ର ୧୦୪ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।
ସେପ୍ଟେମ୍ବର ୮ରୁ ୧୦ ପର୍ଯ୍ୟନ୍ତ ଦିଲ୍ଲୀରେ ହେବାକୁ ଥିବା ‘ଜି୨୦’ ଶିଖର ସମ୍ମିଳନୀ ପାଇଁ ଭାରତ ପ୍ରସ୍ତୁତ ବୋଲି ମଧ୍ୟ ଗୁରୁତ୍ୱାରୋପ କରି ‘ମନ୍‌ କୀ ବାତ୍‌’ରେ  ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି, ୨୦୨୨ ଡିସେମ୍ବର ୧ରୁ ଭାରତ ଅଧ୍ୟକ୍ଷତା ଭାର ବହନ କରିବା ପରଠାରୁ ‘ଜି୨୦’ ଫୋରମ୍‌କୁ ଅଧିକ ଅନ୍ତର୍ଭୁକ୍ତିକରଣ କରାଯାଇଛି । ଭାରତର ‘ଜି୨୦’ ଅଧ୍ୟକ୍ଷତା ହେଉଛି ଜନତାଙ୍କ ଅଧ୍ୟକ୍ଷତା । ତେଣୁ, ଦିଲ୍ଲୀରେ ହେବାକୁ ଥିବା ‘ଜି୨୦’ ଶିଖର ସମ୍ମିଳନୀକୁ ସଫଳ କରି ଦେଶକୁ ଗୌରବାନ୍ୱିତ କରିବା ଲାଗି ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

‘ୱାର୍ଲଡ୍‌ ୟୁନିଭର୍ସିଟି ଗେମସ୍‌’ ୨୦୨୩ର ବିଜେତାମାନଙ୍କୁ ପ୍ରଶଂସା କରିବା ସହିତ ପ୍ରଧାନମନ୍ତ୍ରୀ ମୋଦୀ ଏହି କ୍ରୀଡାରେ ଭାଗ ନେଇଥିବା କେତେକ ଖେଳାଳିଙ୍କ ସହିତ କଥାବର୍ତ୍ତା କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଉତ୍ତର ପ୍ରଦେଶର ତୀରନ୍ଦାଜ ପ୍ରଗତି । ଦେଶର ପ୍ରତିନିଧିତ୍ୱ କରିଥିବାର ସୁଯୋଗ ପାଇଥିବାରୁ ଅତ୍ୟନ୍ତ ପ୍ରୀତ ବୋଲି ପ୍ରଗତି କହିଛନ୍ତି । ମେ ମାସରେ ହୋଇଥିବା ‘ବ୍ରେନ୍‌ ହାମ୍‌ରେଜ୍‌’ ଏବଂ ଅନ୍ୟାନ୍ୟ ବହୁ ପ୍ରତିବନ୍ଧକ ଏଡାଇ ସେ ପଦକ ବିଜୟୀ ହୋଇଥିଲେ । ପ୍ରଧାନମନ୍ତ୍ରୀ କହିଲେ ଯେ, ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନ ଅବସରରେ ୧୦ କୋଟିରୁ ଅଧିକ ଜନତା ଜାତୀୟ ପତାକା ସହିତ ଉଠାଇଥିବା ‘ସେଲ୍‌ଫି’ ପଠାଇଛନ୍ତି ।
ସେହିପରି, ଏବେ ସଂସ୍କୃତ ଭାଷାର ପ୍ରସାର ପାଇଁ କରାଯାଉଥିବା ଉଦ୍ୟମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରି ଅଗଷ୍ଟ ୩୧ ତାରିଖରେ ହେବାକୁ ଥିବା ‘ବିଶ୍ୱ ସଂସ୍କୃତ ଦିବସ’ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଲେ, ସଂସ୍କୃତ ବିଶ୍ୱର ସବ ର୍ପୁରାତନ ଭାଷାରୁ ଗୋଟିଏ ବୋଲି ଆମେ ସମସ୍ତେ ଜାଣନ୍ତି । ଏହାକୁ ଅନେକ ଆଧୁନିକ ଭାଷାର ଜନନୀ ବୋଲି କୁହାଯାଏ । ସଂସ୍କୃତ ତା’ର ପ୍ରାଚୀନତା ତଥା ବୈଜ୍ଞାନିକତା ଓ ବ୍ୟାକରଣ ନିମନ୍ତେ ପ୍ରସିଦ୍ଧ ।
ଦୁଗ୍ଧଜାତ ସାମଗ୍ରୀ କ୍ଷେତ୍ରକୁ ସୁଦକ୍ଷ କରିବା ଲାଗି ସର୍ବସାଧାରଣଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହିତ ଆଗାମୀ ରକ୍ଷା ବନ୍ଧନ ଲାଗି ମଧ୍ୟ ସେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।