ପ୍ରଜ୍ଞାନ ରୋଭର ଠାରୁ ଯାହା ଆଶା କରିଥିଲୁ ସେ ତାହା ସଫଳତାର ସହ ସମାପ୍ତ କରିଛି - ଇସ୍ରୋ ମୁଖ୍ୟ

Sep 29, 2023 - 07:19
 4
ପ୍ରଜ୍ଞାନ ରୋଭର ଠାରୁ ଯାହା ଆଶା କରିଥିଲୁ ସେ ତାହା ସଫଳତାର ସହ ସମାପ୍ତ କରିଛି - ଇସ୍ରୋ ମୁଖ୍ୟ

ନୂଆଦିଲ୍ଲୀ: ଗତ ଶୁକ୍ରବାର ଠାରୁ ଚନ୍ଦ୍ରପୃଷ୍ଠରେ ପଡିଲାଣି ସୂର୍ୟ୍ୟାଲୋକ। ସମସ୍ତଙ୍କର ଆଶା ରହିଥିଲା ଚନ୍ଦ୍ରପୃଷ୍ଠରେ ସୂର୍ୟ୍ୟାଲୋକ ପଡିଲେ ନିଦରୁ ଉଠିବେ ପ୍ରଜ୍ଞାନ ଏବଂ ବିକ୍ରମ। ହେଲେ ଏହାରି ଭିତରେ ୮ ଦିନ ବିତିଯାଇଥିଲେ ହେଁ ଦୁହିଁଙ୍କ ଠାରୁ କୌଣସି ସିଗନାଲ ମିଳିପାରି ନାହିଁ। ଇସ୍ରୋ ବୈଜ୍ଞାନିକଙ୍କ ଚେଷ୍ଟା ଜାରି ରହିଥିଲେ ହେଁ କେବେ ଜାଗ୍ରତ ହେବେ ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭର ସେ ଉପରେ ରହିଛି ସମସ୍ତଙ୍କର ନଜର। ଏହାରି ଭିତରେ ଗତକାଲି(ଗୁରୁବାର) ଇସ୍ରୋ ମୁଖ୍ୟ ଗଣମାଧ୍ୟମକୁ ନିଜର ବୟାନ ଦେଇଛନ୍ତି । ଏସ୍. ସୋମନାଥ କହିଛନ୍ତି, "ଆମେ ଚନ୍ଦ୍ରଯାନ-୩ର ପ୍ରଜ୍ଞାନ ରୋଭର ଠାରୁ ଯାହା ଆଶା କରିଥିଲୁ ସେ ତାହା ସଫଳତାର ସହ ସମାପ୍ତ କରିଛି ।"

କହିରଖୁଛୁ କି, ଗତ ସପ୍ତାହରେ ଚନ୍ଦ୍ରପୃଷ୍ଠରେ ସୂର୍ୟ୍ୟାଲୋକ ପଡିବା ପରେ ଇସ୍ରୋ ପକ୍ଷରୁ କୁହାଯାଇଥିଲା ଯେ," ଚନ୍ଦ୍ରପୃଷ୍ଠରେ ଦିନ ହେବା ପରେ ଆମେ ରୋଭର ପ୍ରଜ୍ଞାନ ଏବଂ ବିକ୍ରମ ଲ୍ୟାଣ୍ଡର ସହିତ ଯୋଗାଯୋଗ ତକିବା ପାଇଁ ପ୍ରୟାସ କରିଥିଲୁ । ସ୍ଲିପମୋଡ୍ରୁ ସେମାନଙ୍କୁ ଜାଗ୍ରତ କରିବା ପାଇଁ ଚେଷ୍ଟା କରିବା ସତ୍ତ୍ବେ ମଧ୍ୟ କୌଣସି ସିଗନାଲ ମିଳିନଥିଲା ।"ପ୍ରକାଶ ଥାଉକି, ଗତ ଜୁଲାଇ ୧୪ ତାରିଖରେ ଚନ୍ଦ୍ରଯାନ-୩ କୁ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ପେଶ୍ ସେଣ୍ଟରରୁ ସଫଳତାର ସହିତ ଉତକ୍ଷେପଣ କରାଯାଇଥିଲା । ଏହା ଅଗଷ୍ଟ ୩ ତାରିଖରେ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲା । ଏହାପରେ ଚନ୍ଦ୍ରପୃଷ୍ଠରେ ବିକ୍ରମ ଲ୍ୟାଣ୍ଡରରୁ ରୋଭର ପ୍ରଜ୍ଞାନ ବାହାରି ନିଜ ଗବେଷଣା ଜାରି ରଖିଥିଲା । ଏହାପରେ ଗତ ସେପ୍ଟେମ୍ବର ୨ ତାରିଖରେ ରୋଭର ପ୍ରଜ୍ଞାନକୁ ସ୍ଲିପମୋଡ୍ରେ ନେବା ପରେ ଇସ୍ରୋ ଟ୍ବିଟ୍ କରି କହିଥିଲା ଯେ,"ରୋଭର ତାର କାର୍ୟ୍ୟଭାରକୁ ପୂର୍ଣ୍ଣ କରିଛି । ଏହାକୁ ବର୍ତ୍ତମାନ ସୁରକ୍ଷିତ ଭାବରେ ପାର୍କ କରାଯାଇ ସ୍ଲିପମୋଡରେ ରଖାଯାଇଛି ।