ଆଜି ପ୍ରଧାନମନ୍ତ୍ରୀଙ୍କ ମହାରାଷ୍ଟ୍ର ଓ ଗୋଆ ଗସ୍ତ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ଗୁରୁବାର) ମହାରାଷ୍ଟ୍ର ଓ ଗୋଆ ଗସ୍ତରେ ଆସିବେ । ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏକାଧିକ ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ ସହିତ ଶିଳାନ୍ୟାସ କରିବେ । ଦିନ ପ୍ରାୟ ଗୋଟାଏ ବେଳେ ପ୍ରଧାନମନ୍ତ୍ରୀ ଅହମ୍ମଦନଗର ଜିଲ୍ଲାର ଶିରିଡିଠାରେ ପହଞ୍ଚି ଶ୍ରୀସାଇବାବା ସମାଧି ମନ୍ଦିରରେ ପୂଜା କରିବା ସହିତ ବାବାଙ୍କ ଆଶୀର୍ବାଦ ନେବେ । ମନ୍ଦିରରେ ନବନିର୍ମିତ ଧାଡି ଦର୍ଶନ ପରିସରକୁ ଉଦଘାଟନ କରିବେ । ଅପରାହ୍ନ ଦୁଇଟା ବେଳେ, ପ୍ରଧାନମନ୍ତ୍ରୀ ନୀଳୱାଣ୍ଡେ ଆନିକଟରେ ଜଳପୂଜନ କରିବା ସହ ବାମପାର୍ଶ୍ବର କେନାଲକୁ ଉଦଘାଟନ କରିବେ । ଅପରାହ୍ନ ୩ଟା ୧୫ ମିନିଟରେ ପ୍ରଧାନମନ୍ତ୍ରୀ ଶିରିଡି ଠାରେ ଏକ ସାଧାରଣ ସଭାରେ ଯୋଗଦେବେ । ସେଠାରେ ବିଭିନ୍ନ ମନ୍ତ୍ରଣାଳୟର ୭୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ସନ୍ଧ୍ୟା ୬ଟା ୩୦ରେ ପ୍ରଧାନମନ୍ତ୍ରୀ ଗୋଅ ପହଞ୍ଚି ୩୭ତମ ଜାତୀୟ କ୍ରୀଡାକୁ ଉଦଘାଟନ କରିବେ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ସଂଧ୍ୟାରେ ଗୋଆ ପହଞ୍ଚିବେ । ଗୋଆର ମାଓଗାଓଁ ସ୍ଥିତ ଜବାହରଲାଲ ନେହେରୁ ଷ୍ଟାଡିୟମଠାରେ ୩୭ତମ ଜାତୀୟ କ୍ରୀଡାର ଉଦଘାଟନ କରି କ୍ରୀଡାବିତଙ୍କୁ ସମ୍ବୋଧନ କରିବେ । ୩୭ତମ ଜାତୀୟ କ୍ରୀଡା ଅକ୍ଟୋବର ୨୬ ରୁ ନଭେମ୍ବର ୯ତାରିଖ ପର୍ୟ୍ୟନ୍ତ ଚାଲିବ । ସାରା ଦେଶରୁ ୧୦ହଜାରରୁ ଅଧିକ କ୍ରୀଡାବିତ ଏଥିରେ ଅଂଶଗ୍ରହଣ କରିବେ । ଏହି ଇଭେଣ୍ଟରେ ୪୩ଟି ବିଭିନ୍ନ ପ୍ରକାର ଖେଳ ୨୮ଟି ସ୍ଥାନରେ ଅନୁଷ୍ଠିତ ହେବ ।