‘ମେରା ଯୁବା ଭାରତ’ ପ୍ରତିଷ୍ଠାକୁ କ୍ୟାବିନେଟର ଅନୁମୋଦନ

Oct 12, 2023 - 07:45
 4
‘ମେରା ଯୁବା ଭାରତ’ ପ୍ରତିଷ୍ଠାକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏକ ସ୍ୱୟଂଶାସିତ ସଂସ୍ଥା ଭାବେ ମେରା ଯୁବା ଭାରତ ପ୍ରତିଷ୍ଠାକୁ ମଞ୍ଜୁରି ମିଳିଛି । ଯୁବ ବିକାଶ ଏବଂ ଯୁବ ନେତୃତ୍ୱାର ବିକାଶ ପାଇଁ ବୈଷୟିକ ଜ୍ଞାନକୌଶଳ ଦ୍ୱାରା ପରିଚାଳିତ ଏକ ବ୍ୟାପକ ସକ୍ଷମ ବ୍ୟବସ୍ଥା କାର୍ୟ୍ୟକ୍ଷମ କରିବା ଏବଂ ସରକାରଙ୍କ ସମଗ୍ର କ୍ଷେତ୍ରରେ ଯୁବପିଢୀଙ୍କୁ ସେମାନଙ୍କ ଆଶା ଆକାଂକ୍ଷାକୁ ସାକାର କରିବା ଲାଗି ସମାନ ସୁବିଧା ପ୍ରଦାନ କରିବା ଏବଂ ବିକଶିତ ଭାରତ ଗଠନ କରିବା ଉଦ୍ଦେଶ୍ୟରେ ଏହି ସଂସ୍ଥା ଗଠନ କରାଯିବ। ମେରା ଯୁବା ଭାରତର ମୂଳ ଉଦ୍ଦେଶ୍ୟ ହେଉଛି ଏହାକୁ ଯୁବ ବିକାଶ ପାଇଁ ଏକ ସମ୍ପୂର୍ଣ୍ଣ ସରକାରୀ ମଞ୍ଚ (ପ୍ଲାଟଫର୍ମ)ରେ ପରିଣତ କରିବା। ନୂତନ ବ୍ୟବସ୍ଥା ଅଧୀନରେ, ସମ୍ବଳର ଉପଲବ୍ଧତା ଏବଂ ସୁଯୋଗ ସହିତ ସଂଯୋଗ ଜରିଆରେ ଯୁବକମାନଙ୍କୁ ଗୋଷ୍ଠୀ ପରିବର୍ତ୍ତନ ଏଜେଣ୍ଟ ଏବଂ ରାଷ୍ଟ୍ର ନିର୍ମାତା ଭାବେ ପରିଣତ କରିବା ଲାଗି ପଦକ୍ଷେପ ନିଆଯିବ। ଯଦ୍ଦ୍ୱାରା ସେମାନେ ସରକାର ଏବଂ ନାଗରିକମାନଙ୍କ ମଧ୍ୟରେ ଯୁବ ସେତୁ ଭାବରେ କାର୍ୟ୍ୟ କରିବାକୁ ସକ୍ଷମ ହୋଇପାରିବେ । ଏଥିରେ ବିପୁଳ ଯୁବ ଶକ୍ତିକୁ ରାଷ୍ଟ୍ର ନିର୍ମାଣରେ ଉପଯୋଗ କରିବାକୁ ଚେଷ୍ଟା କରାଯାଇଛି । ଜାତୀୟ ଯୁବ ନୀତିରେ ‘ଯୁବ’ର ସଂଜ୍ଞା ଅନୁଯାୟୀ ସ୍ୱାୟତ୍ତ ସଂସ୍ଥା ମେରା ଯୁବା ଭାରତ (ଏମୱାଇ ଭାରତ) ୧୫ରୁ ୨୯ ବର୍ଷ ବୟସର ଯୁବକମାନଙ୍କୁ ଉପକୃତ କରିବ। ବିଶେଷ କରି କିଶୋରମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ୟ୍ୟକ୍ରମ ଉପାଦାନ କ୍ଷେତ୍ରରେ ୧୦ରୁ ୧୯ ବର୍ଷ ବୟସ ବର୍ଗର ହିତାଧିକାରୀମାନେ ଉପକୃତ ହେବେ। ମେରା ଯୁବା ଭାରତ (ଏମୱାଇ ଭାରତ) ପ୍ରତିଷ୍ଠା ଦ୍ୱାରା ଯୁବଗୋଷ୍ଠୀଙ୍କ ନେତୃତ୍ୱାଧୀନ ବିକାଶ, ପୃଥକ ବ୍ୟକ୍ତିଗତ ସାକ୍ଷାତ ପରିବର୍ତ୍ତେ କାର୍ୟ୍ୟକ୍ରମ ଆଧାରିତ କୌଶଳକୁ ସ୍ଥାନାନ୍ତର କରି ଅନୁଭୂତିମୂଳକ ଶିକ୍ଷା ମାଧ୍ୟମରେ ନେତୃତ୍ୱ ଦକ୍ଷତାକୁ ଉନ୍ନତ କରିବା। ଯୁବକମାନଙ୍କୁ ସାମାଜିକ ଉଦ୍ଭାବକ, ସାମାଜିକ ନେତା କରିବା ପାଇଁ ସେମାନଙ୍କ ଉପରେ ଅଧିକ ନିବେଶ କରିବା, ଯୁବ ନେତୃତ୍ବାଧୀନ ବିକାଶ ଉପରେ ସରକାରଙ୍କ ପ୍ରାଥମିକତା ନିର୍ଦ୍ଧାରଣ କରିବା ଏବଂ ଯୁବଗୋଷ୍ଠୀଙ୍କୁ କେବଳ ‘ନିଷ୍କ୍ରିୟ ଲାଭାର୍ଥୀ’ ନୁହେଁ ବରଂ ବିକାଶର ‘ସକ୍ରିୟ ଚାଳକ’ କରିବା।