ବସରେ ବୁଲିଲେ ନବୀନ

ମାଲକାନଗିରି: ମାଲକାନଗିରି ଷ୍ଟାଡିୟମରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବା ପରେ ନିଜେ ବସରେ ବସି ଏମଭି-୩ ଯାଇଥିଲେ ମୁଖ୍ୟମନ୍ତ୍ରୀ । ଉଭୟ ପାର୍ଶ୍ବରେ ଶହ ଶହ ଜନତାଙ୍କୁ ହାତ ହଲାଇ ଶୁଭେଚ୍ଛା ଜଣାଇଥିଲେ। ଏମଭି-୩ରେ ବସଷ୍ଟପର ଶୁଭାରମ୍ଭ କରିଛନ୍ତି ନବୀନ। ଏହି ଅବସରରେ ଆଦିବାସୀଙ୍କ ସହ ଭାବବିନିମୟ କରିଥିଲେ। ମାଲକାନଗିରିରେ ପତାକା ଦେଖାଇ ଲକ୍ଷ୍ମୀ ଯୋଜନା ଶୁଭାରମ୍ଭ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲକ୍ଷ୍ମୀ ଯୋଜନା ମାଲକାନଗିରି ଅର୍ଥନୀତିକୁ ସମୃଦ୍ଧ କରିବ। ଜିଲ୍ଲାରେ ୩୬ଟି ବସ ସେବା ଯୋଗାଇବ। ଜିଲ୍ଲାର ୧୧୧ଟି ପଞ୍ଚାୟତକୁ ବସ ସୁବିଧା ମିଳିବ । ଅର୍ଥନୀତି ସୁଦୃଢ ହେବ, ଗାଁ ଗାଁରେ ସମୃଦ୍ଧି ଆଣିବ । ଘରେ ଘରେ ଖୁସି ଆଣିବ । ଗୁରୁପ୍ରିୟା ସେତୁ ମାଲକାନଗିରି ବିକାଶର ମାଇଲଖୁଣ୍ଟ। ଲକ୍ଷ୍ମୀ ଯୋଜନା ଦ୍ବାରା ମାଲକାନଗିରି ବିକାଶ ଆହୁରି ଉଜ୍ଜ୍ୱଳ ହେବ। ପଞ୍ଚାୟତରୁ ଜିଲ୍ଲାକୁ ଏହି ଯୋଜନା ଯୋଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପରବର୍ତ୍ତୀ ସମୟରେ ପୂରା ଓଡ଼ିଶାରେ ବସ୍ ଚଳାଚଳ କରିବ। ଆଜି ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ଗଜପତି ଜିଲ୍ଲାରେ ଚାଲିଛି ଲକ୍ଷ୍ମୀ ବସ।
ଘରେ ଘରେ ଲକ୍ଷ୍ମୀ ଯୋଜନା ଖୁସି ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଯୋଜନା ଅଧିନରେ ସାରା ରାଜ୍ୟରେ ହଜାରେରୁ ଅଧିକ ବସ ଚଳାଚଳ କରିବ। ଏହି ଅବସରରେ ଜିଲ୍ଲାରେ ୧୯୨ କୋଟି ବ୍ୟୟରେ ୧୮ଟି ଲୋକାଭିମୁଖି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ନବୀନ। ଏଥିସହ ୬୦୧ କୋଟିରୁ ଅଧିକ ବ୍ୟୟର ୯୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।