ରତ୍ନଭଣ୍ଡାର ମରାମତି ମାମଲା, ଆଜି ହାଇକୋର୍ଟରେ ଶୁଣାଣି

କଟକ : ହାଇକୋର୍ଟରେ ରତ୍ନଭଣ୍ଡାର ମରାମତି ମାମଲା । ମଙ୍ଗଳବାର ଦିନ ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି । ସୋମବାର ଏହି ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ (ଲିଷ୍ଟିଂ) ହୋଇଥିଲା । କିନ୍ତୁ ସମୟ ଅଭାବରୁ ମାମଲାର ଶୁଣାଣି ହୋଇପାରିନଥିଲା । ହାଇକୋଟ ଶୁଣାଣି ମଙ୍ଗଳବାର ଧାର୍ୟ୍ୟ କରିଛନ୍ତି । ବିଜେପିର ବରିଷ୍ଠ ନେତା ସମୀର ମହାନ୍ତିଙ୍କ ପକ୍ଷରୁ ଆଗତ ଏହି ମାମଲାର ଶୁଣାଣି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଏବଂ ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଚାଲିଛି ।
ଖବର ଅନୁଯାୟୀ, ସୋମବାର ମାମଲାର ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିଲେ ମଧ୍ୟ ଶେଷ ସମୟରେ ଆସିବାରୁ ଶୁଣାଣି ହୋଇପାରିନଥିଲା । କିନ୍ତୁ ଏଥିରେ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ୟ୍ୟ ରତ୍ନଭଣ୍ଡାର ପ୍ରସଙ୍ଗରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ଭେକ୍ଷଣ ସଂସ୍ଥା (ଏଏସ୍ଆଇ) ପକ୍ଷରୁ ଦାଖଲ ଯାଞ୍ଚ ରିପୋର୍ଟ ଉପରେ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ସେହିପରି ଏଏସ୍ଆଇ ପକ୍ଷରୁ ୨୦୨୨ରେ ଶ୍ରୀମନ୍ଦିରର ରତ୍ନଭଣ୍ଡାରର ଯାଞ୍ଚ କରାଯାଇଥିଲା । ଯେଉଁଥିରେ ରତ୍ନଭଣ୍ଡାରର ମରାମତିର ନିହାତି ଆବଶ୍ୟକତା ଥିବା ଏଏସ୍ଆଇ କହିଛି । ତେଣୁ ଏଏସ୍ଆଇର ଏହି ରିପୋର୍ଟ ଆଧାରରେ ଅଦାଲତ ରତ୍ନଭଣ୍ଡାର ମରାମତି ପାଇଁ ନିର୍ଦ୍ଦେଶ ଦେବାକୁ ଶ୍ରୀ ଆଚାର୍ୟ୍ୟ ପ୍ରାର୍ଥନା କରିଥିଲେ । ଅଦାଲତ ମାମଲାର ଗୁରୁତ୍ୱ ଦୃଷ୍ଟିରୁ ଆସନ୍ତାକାଲିକୁ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।