ଆଜିଠୁ ପୁଣି ଯାଞ୍ଚ ହେବ ଉତ୍କଳ ବିଶ୍ୱବିଦ୍ୟାଳୟର ନାକ୍ ମାନ୍ୟତା

ଭୁବନେଶ୍ୱର: ଆଜିଠୁ ପୁଣି ଯାଞ୍ଚ ହେବ ଉତ୍କଳ ବିଶ୍ୱବିଦ୍ୟାଳୟର ନାକ୍ ମାନ୍ୟତା। ନାକ୍ ଟିମ୍ ତିନିଦିନିଆ ଗସ୍ତକରି ବିଶ୍ୱବିଦ୍ୟାଳୟର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବେ। ଗତ ଏପ୍ରିଲ ମାସରେ ନାକ୍ ଟିମ୍ ଗସ୍ତ ଓ ମୂଲ୍ୟାୟନରେ ବିଶ୍ୱବିଦ୍ୟାଳୟରେ ନାକ୍ ମାନ ହ୍ରାସ ଘଟିବା ପରେ ଏହାକୁ ନେଇ ବିବାଦ ତେଜିଥିଲା। ମାନ୍ୟତାରେ ହ୍ରାସ ଘଟିବା ପରେ କର୍ତ୍ତୃପକ୍ଷ ପୁନଃଯାଞ୍ଚ ଲାଗି ଆବେଦନ କରିଥିଲେ। ତଦନୁଯାୟୀ ନାକ୍ର ପ୍ରତିନିଧି ମଣ୍ଡଳୀ ୨୮ ତାରିଖ ପର୍ୟ୍ୟନ୍ତ ପୁଣି ଥରେ କ୍ୟାମ୍ପସ୍ ପରିଦର୍ଶନରେ ଆସିବେ।
ଉତ୍କଳ ବିଶ୍ୱବିଦ୍ୟାଳୟ ଶୈକ୍ଷିକ ମାନ ଯାଞ୍ଚ କରିବାକୁ ପୁଣିଥରେ ନ୍ୟାସନାଲ ଆସେସ୍ମେଣ୍ଟ ଆଣ୍ଡ ଆକ୍ରିଡେସନ୍ କାଉନସିଲ୍(ନାକ୍)ର ପ୍ରତିନିଧି ଦଳ କ୍ୟାମ୍ପସ ଆସିବେ। ପ୍ରଥମ ଦିନରେ ନାକ୍ ଟିମ ବିଭିନ୍ନ ବିଭାଗ ବୁଲି ପାଠପଢ଼଼ା ଏବଂ ଶିକ୍ଷାଦାନର ମାନ ଯାଞ୍ଚ କରିବେ। ଦ୍ୱିତୀୟ ଦିନରେ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ଯାଞ୍ଚ ହେବାକୁ ଥିବାବେଳେ ତୃତୀୟ ଦିନ ନାକ୍ ଟିମ ବିଭିନ୍ନ ହଷ୍ଟେଲ ପରିଦର୍ଶନ କରିବେ। ୩ ଦିନ ଧରି ଏହି ପ୍ରତିନିଧି ଦଳର ସଦସ୍ୟମାନେ କ୍ୟାମ୍ପସର ଭିତ୍ତିଭୂମି, ଶିକ୍ଷାଦାନର ମାନ ସମେତ ଗବେଷଣା ବିଷୟ ଉପରେ ପୁନଃମୂଲ୍ୟାୟନ କରିବେ। ଗତ ଏପ୍ରିଲ ମାସରେ ଆସିଥିବା ପ୍ରତିନିଧି ଦଳ ଯେଉଁ ରିପୋର୍ଟ ଦେଇଥିଲା ତାହାକୁ ସମୀକ୍ଷା କରିବେ। ସେମାନେ ଯେଉଁ ରିପୋର୍ଟ ଦେବେ ତାହାରି ଆଧାରରେ ବିଶ୍ୱବିଦ୍ୟାଳୟକୁ ନାକ୍ ଗ୍ରେଡ୍ ମିଳିବ। ତେବେ ନାକ୍ ଟିମ୍ ଆସିବା ପୂର୍ବରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଜ ପ୍ରସ୍ତୁତିକୁ ଜୋର୍ଦାର କରିଛନ୍ତି।