ରାଜ୍ୟରେ ଭୋଟରଙ୍କ ସଂଖ୍ୟା ବଢ଼ିଛି

Oct 28, 2023 - 06:08
 3
ରାଜ୍ୟରେ ଭୋଟରଙ୍କ ସଂଖ୍ୟା ବଢ଼ିଛି

ଭୁବନେଶ୍ୱର: ରାଜ୍ୟରେ ଭୋଟରଙ୍କ ସଂଖ୍ୟା ବଢ଼ିଛି । ମହିଳା ଭୋଟରଙ୍କ ଅନୁପାତ ବଢ଼ିଛି । ମୋଟ୍ ଭୋଟର ସଂଖ୍ୟା ୩କୋଟି ୨୬ଲକ୍ଷ ୫୫ହଜାର ୨୧୩ରେ ପହଂଚିଛି । ଯାହାକି ୦.୯୪ ପ୍ରତିଶତ ଅଧିକ । ଆଜି ଚିଠା ଭୋଟର ତାଲିକା ଜାରି କରି ଏଭଳି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।

ସାଧାରଣ ନିର୍ବାଚନ ପୂର୍ବରୁ ଆଜି ଜାରି ଚିଠା ଭୋଟର ତାଲିକା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଧଳ କହିଛନ୍ତି ଯେ, ରାଜ୍ୟରେ ମୋଟ ୩ଲକ୍ଷ ୩ହଜାର ୯୪ଜଣ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଛି । ତାଲିକାରେ ୬ଲକ୍ଷ ୨୨ହଜାର ୪୨୯ଜଣ ନୂଆ ଭୋଟର ସାମିଲ ହୋଇଛନ୍ତି ଓ ୩ଲକ୍ଷ ୧୯ହଜାର ୩୪୫ଜଣ ଅଯୋଗ୍ୟ ଭୋଟରଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି । ଏକାଧିକ ସ୍ଥାନରେ ଭୋଟର କାର୍ଡ ଓ ଠିକଣା ପରିବର୍ତ୍ତନ ଓ ମୃତ୍ୟୁ ଯୋଗୁ ଏହି ବ୍ୟକ୍ତିମାନେ ତାଲିକାରୁ ବାଦ୍ ପଡ଼ିଛନ୍ତି । ରାଜ୍ୟରେ ମୋଟ ଭୋଟର ସଂଖ୍ୟା ୩କୋଟି ୨୩ଲକ୍ଷ ୫୨ହଜାର ୧୧୯ ଥିବାବେଳେ ୦.୯୪% ବୃଦ୍ଧି ପାଇ ଏହା ୩କୋଟି ୨୬ଲକ୍ଷ ୫୫ହଜାର ୨୧୩ରେ ପହଂଚିଛି। କେବଳ ସେତିକି ନୁହେଁ ରାଜ୍ୟରେ ମହିଳା ଭୋଟରଙ୍କ ପରିମାଣ ମଧ୍ୟ ବୃଦ୍ଧି ପାଇଛି । ପୂର୍ବରୁ ପ୍ରତି ଏକ ହଜାର ପୁରୁଷ ଭୋଟରଙ୍କ ଅନୁପାତରେ ୯୬୧ଜଣ ମହିଳା ଭୋଟର ଥିଲେ । ଏବେ ତାହା ବୃଦ୍ଧି ପାଇ ପ୍ରତି ଏକ ହଜାର ପୁରୁଷ ଭୋଟରଙ୍କ ତୁଳନାରେ ୯୬୩ଜଣ ମହିଳା ଭୋଟର ଅଛନ୍ତି। ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନ ମଧ୍ୟ ରାଜ୍ୟରେ ବୁଥ ସଂଖ୍ୟାକୁ ୩୭୬୦୬ରୁ ୩୭୮୦୯କୁ ବୃଦ୍ଧି କରିଛନ୍ତି।