ବିଜେଡିର ଜନସମ୍ପର୍କ ପଦଯାତ୍ରା : ଏକାମ୍ରରେ ଶୁଭାରମ୍ଭ କରିବେ ସୁପ୍ରିମୋ ନବୀନ

ନବୀନ ଓଡିଶା ବ୍ଯୂର: ଭୁବନେଶ୍ୱର : ଆଜିଠାରୁ ବିଜେଡି ସାରା ରାଜ୍ୟରେ ଆରମ୍ଭ କରିବ ଜନ ଜାଗରଣ ପଦଯାତ୍ରା। ଏକାମ୍ର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଡଗଡ଼ ବ୍ରିଟ୍ କଲୋନୀ ସ୍ଥିତ ନେତାଜୀ ଖେଳ ପଡିଆରୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରିବେ।
ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ୨ ‘ଗାନ୍ଧୀ ଜୟନ୍ତୀ’ ଠାରୁ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୧ରୁ ୩୦ ତାରିଖ ପର୍ଯ୍ୟନ୍ତ ପଦଯାତ୍ରା ଚାଲିବ। ଏଥିପାଇଁ ବିଭିନ୍ନ ନିର୍ବାଚନମଣ୍ଡଳୀର ବ୍ଲକ୍ ତଥା ପୌରାଞ୍ଚଳରେ ଜନ ସମ୍ପର୍କ ପଦଯାତ୍ରା/ଅଭିଯାନ ଆୟୋଜନ କରିବା ପାଇଁ ସ୍ଥିର ହୋଇଛି। ପଦଯାତ୍ରା ସମୟରେ ବିଜୁ ଜନତା ଦଳ ସରକାର ସମୟରେ ଗ୍ରାମାଞ୍ଚଳ ଓ ପୌରାଞ୍ଚଳର ବିକାଶ ସହିତ ଜନସାଧାରଣଙ୍କ କଲ୍ୟାଣ ପାଇଁ ନିଆଯାଇଥିବା ବିଭିନ୍ନ ସଫଳ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଯିବ।
ଏଥିସହିତ ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନରେ ବର୍ତ୍ତମାନ ସରକାରଙ୍କ ବିମୁଖତା, ଦରଦାମ ନିୟନ୍ତ୍ରଣରେ ବିଫଳତା, ଆଇନ୍ ଶୃଙ୍ଖଳାର ଅଧୋଗତି ଏବଂ ମହିଳା ନିର୍ଯାତନା ଆଦି ପ୍ରସଙ୍ଗ ସମେତ ସ୍ଥାନୀୟ ଲୋକଙ୍କ ନିକଟରେ ଅବତାରଣା କରାଯିବ। ରାଜ୍ୟର ବିଜେପି ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଥିବା ବେଳେ ଜନ ସମ୍ପର୍କ ପଦଯାତ୍ରା ଏକ ଜନ ଜାଗରଣ ଯାତ୍ରା ସଦୃଶ ହେବ। ସରକାରଙ୍କ ଅପାରଗତା ବିରୋଧରେ ଦଳ ଜନମତ ସୃଷ୍ଟି କରିବ। କ୍ଷମତାକୁ ଆସିବାର ତିନି ମାସରୁ ଅଧିକ ସମୟ ବିତିଥିଲେ ସୁଦ୍ଧା ଅଦ୍ୟାବଧି ନିର୍ବାଚନୀ ପ୍ରତିଶ୍ରୁତି ପାଳନ ନିମନ୍ତେ ଆନ୍ତରିକତା ଦେଖାଇ ନାହିଁ। ନିର୍ବାଚନ ପୂର୍ବର ସମସ୍ତ ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି । ବହୁ ଉନ୍ନୟନ ମୂଳକ କାର୍ଯ୍ୟକ୍ରମକୁ ନୂଆ ସରକାର ବନ୍ଦ କରିଛନ୍ତି। ଗରିବ ହିତାଧିକାରୀ ନିଜ ଅଧିକାରରୁ ବଞ୍ଚିତ ହେଉଛନ୍ତି। ସୁଭଦ୍ରା ଯୋଜନାର ପ୍ରତାରଣ ସବୁ ସୀମା ଟପି ଯାଇଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ରୋଷ ରହିଛି। ଏହାକୁ ବିଜେଡି ତୃଣମୂଳସ୍ତରରେ ପହଞ୍ଚାଇବ ବୋଲି ସୂଚନା ମିଳିଛି ।