ଭୁବନେଶ୍ବର: ଭେଣ୍ଡିଂ ଜୋନ୍ ବ୍ୟବସାୟୀମାନେ ମାଡ଼ି ବସିଥିବା ଅଞ୍ଚଳ ଉଚ୍ଛେଦ ଦାବିରେ ୟୁନିଟ୍-୧ ହାଟକୁ ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖିଛି। ବ୍ୟବସାୟୀମାନେ ପୂର୍ବାହ୍ନରେ ବିଏମ୍ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ୟୁନିଟ୍-୧ ହାଟ ସମ୍ମୁଖରେ ଧାରଣା ଦେଇଛନ୍ତି। ମଙ୍ଗଳବାର ଦିନ ବିଏମ୍ସି ଏହି ବିବାଦକୁ ନେଇ ଆଲୋଚନା କରିବ ବୋଲି କହିଥିବାରୁ ଅନ୍ତତଃ ମଙ୍ଗଳବାର ପର୍ଯ୍ୟନ୍ତ ହାଟ ବନ୍ଦ ରହିବ ବୋଲି ସଂଘ କହିଛି।
୧ ନମ୍ବର ହାଟରେ ଅନ୍ୟ ହାଟ ତୁଳନାରେ ଜିନିଷପତ୍ର ଶସ୍ତା ହୋଇଥିବାରୁ ଏହି ହାଟ ଉପରେ ସହର ଠାରୁ ଆରମ୍ଭ କରି ଉପକଣ୍ଠ ଓ ପାଖ ଜିଲ୍ଲାର ଲୋକ ନିର୍ଭର କରନ୍ତି। ଆଗକୁ ପାର୍ବଣ ଋତୁ ରହିଥିବାରୁ ଏଠାରୁ କିଣାକିଣି କରିବାକୁ ସମସ୍ତେ ଲକ୍ଷ୍ୟ ରଖିଥିଲେ। ଏହି ସମୟରେ ବ୍ୟବସାୟ ଭଲ ହେଉଥିବାରୁ ବ୍ୟବସାୟୀମାନେ ମଧ୍ୟ ଏହି ପାର୍ବଣ ଋତୁକୁ ଅପେକ୍ଷା କରିଥାନ୍ତି। କିନ୍ତୁ ହାଟ ବନ୍ଦ ହେବା ଫଳରେ ଏବେ ଉଭୟ ଗ୍ରାହକ ଓ ବ୍ୟବସାୟୀ କ୍ଷତିରେ ଚିନ୍ତାରେ ପଡ଼ିଛନ୍ତି।
୧୯୫୬ ମସିହାରେ ଜିଏ ବିଭାଗର ୩.୮୨୨ ଏକର ଜାଗାରେ ଏହି ହାଟ ଆରମ୍ଭ ହୋଇଥିଲା। ପରିଚାଳନା ତଥା ଉନ୍ନତୀକରଣ ପାଇଁ ଜିଏ ବିଭାଗ ୧୯୮୪ ମସିହାରେ ହାଟକୁ ତତ୍କାଳୀନ ଭୁବନେଶ୍ବର ମୁନିସିପାଲିଟି (ବର୍ତ୍ତମାନ ବିଏମ୍ସି)କୁ ହସ୍ତାନ୍ତର କରିଥିଲା। ସେତେବେଳେ ରଖା ଯାଇଥିବା ଏକାଧିକ ସର୍ତ୍ତ ମଧ୍ୟରୁ ଥିଲା, ମାର୍କେଟ ପରିସରରେ ହୋଲ୍ ସେଲ୍ ପରିବା ବ୍ୟବସାୟ ହୋଇପାରିବ ନାହିଁ, ଏହି ହାଟର ଆଖପାଖ ରାସ୍ତାରେ ବଡ଼ ଗାଡ଼ି (ଟ୍ରକ୍, ଲରି)କୁ ଅନୁମତି ଦିଆଯିବ ନାହିଁ, ହାଟର ଉତ୍ତର (ରାଜପଥ) ପାର୍ଶ୍ବକୁ ଫାଟକ ଖୋଲିବ ନାହିଁ।