ଖଡ଼ାଶାଗ ବିକିବାକୁ ଅଡି କାର୍

କେରଳ : ରାସ୍ତାକଡ଼ ହାଟରେ ବିକିବା ପାଇଁ କେରଳର ଜଣେ କୃଷକ ‘ଅଡ଼ି ଏ୪’ କାର୍ରେ ଖଡ଼ା ବୋହି ନେବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି। କୃଷକ ହେଉଛନ୍ତି ସୁଜିତ ଏସ୍. ପି. ଯିଏ ‘ଭେରାଇଟି ଫାର୍ମର୍’। କୃଷି କ୍ଷେତ୍ରରେ ଅଭିନବ ପଦ୍ଧତି ଅବଲମ୍ବନ କରି ଉଚ୍ଚ ପ୍ରଶଂସିତ ହୋଇଥିବା ସୁଜିତ ଏଥର ୪୪ ଲକ୍ଷ ଟଙ୍କା ମୂଲ୍ୟର ‘ଅଡି ଏ୪’ କାର୍ରେ ଖଡ଼ାଶାଗ ବିକ୍ରି କରିବାକୁ ନେଇ କୃଷିକାରୀର କ୍ଷମତା ପ୍ରଦର୍ଶନ କରିଛନ୍ତି।
ଜମିରୁ ଖଡ଼ା ଉପାଡ଼ି ସାରି ରାସ୍ତାକଡ଼ ହାଟରେ ବିକିବା ପାଇଁ ତାଙ୍କ ‘ଅଡି ଏ୪’ କାର୍ରେ ବୋଝେଇ କରୁଛନ୍ତି। ହାଟରେ ପହଞ୍ଚି ତଳେ ଜରିଅଖା ଖଣ୍ଡେ ବିଛାଇ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ତା’ ଉପରେ ଲାଲ୍ର ଖଡ଼ାଶାଗ ଅଟା ବା ବିଡ଼ା ସଜାଇ ରଖୁଛନ୍ତି। ପୂର୍ବରୁ ସୁଜିତ ଥିଲେ ଜଣେ ଟ୍ୟାକ୍ସି ଚାଳକ। କୃଷିକ୍ଷେତ୍ରରେ ତାଙ୍କର ଜ୍ଞାନ ଥିଲା ସୀମିତ। ତଥାପି ସେ କିଛି ଜମି ‘ଲିଜ୍’ ଆଣି ଚାଷବାସ ଆରମ୍ଭ କଲେ। କୃଷି ପ୍ରତି ଆଗ୍ରହ ଓ ନିଷ୍ଠା ବଢ଼ିବା ସହିତ ସେ ଏଥିପାଇଁ ଆବଶ୍ୟକ ସମସ୍ତ କୌଶଳ ଖୁବ୍ ଶୀଘ୍ର ଆୟତ କରି ନିପୁଣ ଚାଷୀ ହୋଇଗଲେ।