ବିଜେପି ସାଂସଦ ମୁହଁରେ ତୁଣ୍ଡି ବାନ୍ଧି ବସିଛନ୍ତି : ବିଜେଡି

ଭୁବନେଶ୍ବର: ରାଜ୍ୟରେ ଜାତୀୟ ରାଜପଥ କାମ ଧିମା ଗତିରେ ଚାଲିବାକୁ ନେଇ ରାଜ୍ୟ ବିଜେପିକୁ ଟାର୍ଗେଟ କରିଛି ବିଜେଡି । ରାଜ୍ୟ ବିଜେପି ନେତା କାହିଁକି ଏନେଇ ମୁହଁ ଖୋଲୁ ନାହାନ୍ତି ଓ ନିଜ ଦଳର କେନ୍ଦ୍ରୀୟ ନେତାଙ୍କୁ କାହିଁକି ପ୍ରଶ୍ନ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଏବଂ ଶ୍ରୀମୟୀ ମିଶ୍ର ।
ବିଜେଡି ପକ୍ଷରୁ କୁହାଯାଇଛି, ଧିମା ଗତିରେ ଚାଲିଛି ଏନଏଚ୍-୫୫ କାମ । କିଛି ସ୍ଥାନରେ କାମ ବନ୍ଦ ଥିବା ବେଳେ କେବେ ସରିବ ଜଣାନାହିଁ । ଆଜି ଯାଏଁ କେନ୍ଦ୍ର ଆଗରେ ପ୍ରଶ୍ନ କରିନାହାନ୍ତି ବିଜେପି ସାଂସଦ । କେନ୍ଦ୍ରମନ୍ତ୍ରୀଙ୍କ ଘର ଯେଉଁ ଜିଲ୍ଲାରେ, ସେ ରାସ୍ତା ଦେଇ ଏନଏଚ୍-୫୫ ଯାଏ, ହେଲେ ଲୋକଙ୍କ ସମସ୍ୟା ତାଙ୍କ ଆଖିକୁ ଦିଶୁନି ବୋଲି କହିଛି ବିଜେଡି।
୨୦୧୫ରେ କୋଷ୍ଟାଲ ହାଇୱେ ଘୋଷଣା ହୋଇଥିଲା । ରାମେଶ୍ୱରମରୁ ଦୀଘା ଯାଏଁ ୮ ହଜାର କୋଟିର ଏହି ପ୍ରକଳ୍ପ ପାଇଁ ୮ କୋଟି ଟଙ୍କା ବି ଖର୍ଚ୍ଚ ହେଲାନି । ଏ ରାସ୍ତାରେ ବାଲି ମୁଠାଏ ପଡ଼ିଲାନି, ହେଲେ ବିଜେପି ସାଂସଦ ମୁହଁରେ ତୁଣ୍ଡି ବାନ୍ଧି ବସିଛନ୍ତି । ସେହିପରି ଭୁବନେଶ୍ୱର ପାଇଁ ୨୦୨୨ ଏପ୍ରିଲରେ ଘୋଷଣା ହୋଇଥିଲା କ୍ୟାପିଟାଲ ରିଜିଆନ ରିଂ ରୋଡ୍ । ଏହାକୁ ରାଜ୍ୟ ସରକାର ଗ୍ରହଣ କରି ଟ୍ରାଫିକ ସମସ୍ୟା ନରହିବା ପାଇଁ ଆଲାଇନମେଣ୍ଟ କରିଥିଲେ । ଜମି ଅଧିଗ୍ରହଣ ପାଇଁ ବି ରାଜ୍ୟ ସରକାର ସହଯୋଗ କରିବେ ବୋଲି କହିଥିଲେ । ହେଲେ ଭୁବନେଶ୍ୱର ସାଂସଦ ଆଜି ଏପ୍ରସଙ୍ଗକୁ ଏଡାଇ ଦେଉଛନ୍ତି । ଏହାର ଭାଗ୍ୟ ଓ ଭବିଷ୍ୟତ କଥା କହୁ ନାହାନ୍ତି । ସେମାନେ ଆସନ୍ତା ନିର୍ବାଚନରେ ଲୋକଙ୍କୁ କେମିତି ସାମ୍ନା କରିବେ ବୋଲି ପ୍ରଶ୍ନ କରିଛି ବିଜେଡି । ଲୋକଙ୍କ ହିତ ପାଇଁ ଶୀଘ୍ର ରାଜରାସ୍ତାକୁ ଆସି ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ବିଜେଡି କହିଛି