ପୁରୀରେ ପହଞ୍ଚିଲା ପ୍ରଥମ ରଥକାଠ : ୩ଟି ଟ୍ରକ୍‌ରେ ଆସିଛି ୧୦୧ ଖଣ୍ଡ ଅସନ ଓ ଧଉରା

Jan 28, 2025 - 22:11
 1
ପୁରୀରେ ପହଞ୍ଚିଲା ପ୍ରଥମ ରଥକାଠ : ୩ଟି ଟ୍ରକ୍‌ରେ ଆସିଛି ୧୦୧ ଖଣ୍ଡ ଅସନ ଓ ଧଉରା

ନବୀନ ଓଡିଶା ବ୍ଯୂର: ପୁରୀ : ଚଳିତବର୍ଷର ଘୋଷଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତିପର୍ବ। ମହାପ୍ରଭୁଙ୍କ ତିନିରଥ ନିର୍ମାଣ ଲାଗି ପ୍ରଥମ ପର୍ଯ୍ୟାୟ ରଥକାଠ ପୁରୀରେ ପହଞ୍ଚିଛି। ମଙ୍ଗଳବାର ଅପରାହ୍ନରେ ନୟାଗଡ଼ ବନଖଣ୍ଡ ଦଶପଲ୍ଲା ବନାଞ୍ଚଳରୁ ୩ଟି ଟ୍ରକ୍‌ ଯୋଗେ ଅସନ ୪୮ ଖଣ୍ଡ ଓ ଧଉରା ୫୩ ଖଣ୍ଡ ଏହିପରି ମୋଟ ୧୦୧ ଖଣ୍ଡ କାଠ ଆସିଛି।

ରଥ ସଂହିତା ଅନୁଯାୟୀ, ତିନିରଥ ନିର୍ମାଣ ଲାଗି ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ହୋଇଥାଏ। ଗତବର୍ଷ ଆସିଥିବା କାଠ ମଧ୍ୟରୁ ୫୧ ଖଣ୍ଡ ବଳକା ରହିଛି। ବାକି ୮୧୪ ଖଣ୍ଡ କାଠ ଏଥର ଆସିବ। ମୁଖ୍ୟ ତତ୍ତ୍ୱାବଧାରକ ମେକାପ କହିଛନ୍ତି, ରଥ ନିର୍ମାଣ ପାଇଁ ଅସନ, ଧଉରା, ଫାଶି, ଶିମିଳି କାଠ ଆସିଥାଏ। ଏଥର ୮୧୪ ଖଣ୍ଡ କାଠ ଆସିବ। ମଙ୍ଗଳବାର ୩ଟି ଟ୍ରକ୍‌ରେ ୧୦୧ ଖଣ୍ଡ ଅସନ ଓ ଧଉରା କାଠ ଆସି ପହଞ୍ଚିଛି। ପରମ୍ପରା ଅନୁଯାୟୀ, ସେଥିମଧ୍ୟରୁ ୧୨ ଫୁଟିଆ ୩ ଖଣ୍ଡ ଧଉରା କାଠ ବସନ୍ତ ପଞ୍ଚମୀ ତିଥିରେ ଅନୁକୂଳ କରାଯିବ। ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ କରାଯିବାର ବିଧି ରହିଛି।