ନିଲାମ ହେଲା କରମଣ୍ଡଳ ବଗି ଓ ଇଞ୍ଜିନ

ବାଲେଶ୍ୱର: କୋର୍ଟ ଆଦେଶ ଆସିବା ପରେ ବାଲେଶ୍ୱର ବାହାନଗାରେ ହୋଇଥିବା ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର ବଗି ଓ ଇଞ୍ଜିନ ନିଲାମ ହୋଇଛି । ଜୁନ୍ ୨ ତାରିଖରେ ବାଲେଶ୍ୱର ବାହାନଗା ଷ୍ଟେସନ ନିକଟରେ ଭୀଷଣ ଦୁର୍ଘଟଣାଗ୍ରସ୍ତ ହେବା ପରେ କରମଣ୍ଡଳ ଏକ୍ସପ୍ରେସର ଇଞ୍ଜିନ୍ ଓ ବଗି ସହ ଯଶବନ୍ତପୁର-ହାୱଡା ଏକ୍ସପ୍ରେସର ଦୁଇଟି କୋଚ୍ ବାହାନଗା ରେଲୱେ ଷ୍ଟେସନରେ ପଡି ରହିଥିଲା । କୋର୍ଟଙ୍କ ନିର୍ଦ୍ଦେଶ ପରେ ହାୱଡାର ‘ମୋହିତ୍ ଷ୍ଟିଲ୍ କମ୍ପାନୀ’ ଏହାକୁ ୩ କୋଟି ୮୨ ଲକ୍ଷଟଙ୍କାରେ କିଣିନେଇଛି । ବାଲେଶ୍ୱର ରେଲୱେ ଷ୍ଟେସନ ପରିଦର୍ଶନରେ ଆସିଥିବା ଦକ୍ଷିଣପୂର୍ବ ରେଲୱେ ପ୍ରବନ୍ଧକଙ୍କ ସୂଚନା ମୁତାବକ, ‘ମୋହିତ୍ ଷ୍ଟିଲ୍ କମ୍ପାନୀ’ ଡିସେମ୍ବର ୫ ତାରିଖ ସୁଦ୍ଧା ଷ୍ଟେସନ ନିକଟରେ ପଡିରହିଥିବା ସମସ୍ତ କ୍ଷତିଗ୍ରସ୍ତ କୋଚ୍ ଓ ଇଞ୍ଜିନକୁ ନେଇଯିବ । ଏହି ଦୁର୍ଘଟଣା ସାରା ଦେଶକୁ ଦୋହଲାଇଦେଇଥିଲା ।
ଜୁନ୍ ୨ ତାରିଖରେ ସାଲିମାର୍ – ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍ ଲୁପଲାଇନ୍ ଚାଲିଯାଇ ବାହାନଗା ଷ୍ଟେସନଠାରୁ କିଛି ମାତ୍ର ଦୂରରେ ଛିଡା ହୋଇଥିବା ଏକ ମାଲଗାଡି ଉପରେ ମାଡିଯାଇଥିଲା ଏବଂ ଲାଇନଚ୍ୟୁତ ହୋଇଯାଇଥିଲା । ଦୁର୍ଭାଗ୍ୟକୁ ଏହାର କିଛି ମାତ୍ର ମିନିଟ ପରେ ଆସିଥିଲା ବେଙ୍ଗାଲୁରୁରୁ ହାୱଡା ଯାଉଥିବା ଏକ୍ସପ୍ରେସ୍, ଯାହା ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସ ସହ ଭୀଷଣ ଭାବେ ଧକ୍କା ହୋଇଥିଲା । ଯେଉଁଥିରେ ୨୯୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶହଶହ ଲୋକ ଆହତ ହୋଇଥିଲେ । ଏବଂ କିଛି ଲୋକ ନିଖୋଜ ମଧ୍ୟ ହୋଇଗଲେ ।
ନିକଟରେ ଓଡିଶା ହାଇକୋର୍ଟ କ୍ଷତିଗ୍ରସ୍ତ ଟ୍ରେନର କୋଚ୍ ଓ ଇଞ୍ଚିନକୁ ନିଲାମ କରିବାକୁ ନିର୍ଦ୍ଦେଶ ଜାରି କରିବା ପରେ ମୋହିତ ଷ୍ଟିଲ କମ୍ପାନୀ ଏହାକୁ କିଣିନେଇଛି ।