ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ଦେବାରେ ଓଡିଶା ଦେଶର ଏକମାତ୍ର ରାଜ୍ୟ

ଭୁବନେଶ୍ୱର: ଗରିବ ଲୋକଙ୍କ ପାଇଁ ଆଜି ଏକ ଐତିହାସିକ ଦିବସ। ଯେଉଁମାନେ ସହରର ଗଳି କନ୍ଦିରେ ବର୍ଷ ବର୍ଷ ଧରି ରହି ଏହାର ବିକାଶରେ, ଲୋକଙ୍କ ସେବାରେ ନିଜ ଜୀବନ ବିତାଇ ଆସିଛନ୍ତି, ସେ ସହରରେ ସେମାନଙ୍କର ନଥିଲା ନିଜର ବୋଲି କହିବାକୁ ଖଣ୍ଡେ ଜାଗା ବା ଘର। ନା ଥିଲା ଅଧିକାର, ନା ସମ୍ମାନ। ଆଜି ଠାରୁ ଏସବୁ ଇତିହାସ। ୫ଟି ମହାନଗରର ଗରିବ ବସ୍ତି ପରିବାରକୁ ମିଳିଲା ଭୂମି ଅଧିକାର ପ୍ରମାଣ ପତ୍ର । ଜାଗା ମିଶନରେ ୬୫ ହଜାର ପରିବାରକୁ ମିଳିଲା ଜମି ଅଧିକାର। ସବୁ ପରିବାରକୁ ଜମି ଅଧିକାର ମିଳିବା ପର୍ୟ୍ୟନ୍ତ ଜାରି ରହିବ ଏ କାର୍ୟ୍ୟକ୍ରମ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗରିବ ଲୋକଙ୍କୁ ଦେଇଛନ୍ତି ସେମାନଙ୍କର ହକ୍, ସେମାନଙ୍କର ଅଧିକାର । ରାଜ୍ୟରେ ଆଉ ରହିବନି ବସ୍ତି। ସବୁ ବସ୍ତି ହେବ ଆଦର୍ଶ କଲୋନୀ। ବିଜୁ ଆଦର୍ଶ କଲୋନୀ।
କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉଲକେଲା- ୫ଟି ମହାନଗର ନିଗମର ୬୫ ହଜାର ଗରିବ ପରିବାରକୁ ଭୂମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜାଗା ସହ ଘର କରିବା ପାଇଁ ଆର୍ଥିକ ସହାୟତା ମଧ୍ୟ ଦିଆଯିବ। ଆସନ୍ତା ଅକ୍ଟୋବର ମାସରେ ଏହାର ଦ୍ୱିତୀୟ ପର୍ୟ୍ୟାୟ ପ୍ରମାଣ ପତ୍ର ପ୍ରଦାନ କରାଯିବ। ସହରର ସବୁ ଗରିବ ପରିବାରଙ୍କୁ ଭୂମି ଅଧିକାର ମିଳିବା ପର୍ୟ୍ୟନ୍ତ ଏ ଅଭିଯାନ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ ୨୦୧୮ ମସିହାରୁ ଆରମ୍ଭ ହୋଇଥିବା ଜାଗା ମିଶନ କାର୍ୟ୍ୟକ୍ରମରେ ସହରର ବସ୍ତି ଗୁଡିକରେ ରହୁଥିବା ଗରିବ ପରିବାର ଗୁଡିକୁ ଭୂମି ଅଧିକାର ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ସହରର ୧ ଲକ୍ଷ ୭୦ହଜାରରୁ ଅଧିକ ପରିବାରକୁ ଭୂମି ଅଧିକାର ମିଳିଛି। ଆଜିର କାର୍ୟ୍ୟକ୍ରମକୁ ମିଶାଇ ରାଜ୍ୟରେ ୨ ଲକ୍ଷ ୪୦ ହଜାର ପରିବାରକୁ ଭୂମି ଅଧିକାର ମିଳିଲା। ଏହା ସହିତ ୪୦ ହଜାର ପରିବାରକୁ ଘର ତିଆରି ପାଇଁ ସହାୟତା ମଧ୍ୟ ଦିଆ ଯାଇଛି। ବସ୍ତିମୁକ୍ତ ଓଡିଶା ଗଠନ ଉଦ୍ଦେଶ୍ୟ ନେଇ ଏହି ସବୁ ବସ୍ତି ଗୁଡିକୁ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗ ଦିଆଯାଇ ଏସବକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୬୮ଟି ପୌରାଞ୍ଚଳର ୧୦୧୦ ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯାଇଛି।