୪୦ ହଜାରରୁ ଊର୍ଦ୍ଧ୍ବ ବ୍ରତଧାରୀ : ଅନନ୍ତବାସୁଦେବ ମନ୍ଦିର

ଭୁବନେଶ୍ବର: ଅନନ୍ତ ବ୍ରତ ଅବସରରେ ବାସୁଦେବ ମନ୍ଦିରରେ ୪୦ ହଜାରରୁ ଊର୍ଦ୍ଧ୍ବ ମହିଳା ବ୍ରତଧାରୀଙ୍କ ଭିଡ଼ ଜମିଥିଲା। କିନ୍ତୁ ଭୋର୍ରୁ ବ୍ରତଧାରୀମାନେ ଧାଡ଼ିବାନ୍ଧି ଅପେକ୍ଷା କରିଥିଲେ ବି ଅବଢ଼ା ପାଇବା ପାଇଁ ସେମାନଙ୍କୁ ବହୁ କସରତ କରିବାକୁ ପଡ଼ିଥିଲା। କୁଡ଼ୁଆ ଅଭାବରୁ କମ୍ ପରିମାଣର ଅବଢ଼ା ବାହାରିବାରୁ ସମସ୍ତଙ୍କୁ ମିଳିବା କାଠିକର ପାଠ ହୋଇଥିଲା। ତେଣୁ ଆନନ୍ଦବଜାରରେ ଗୋଡ଼ କୁଦାକୁଦି ଅବସ୍ଥା ସୃଷ୍ଟି ହୋଇଥିଲା। ଠେଲାପେଲାରେ କିଛି ଶ୍ରଦ୍ଧାଳୁ ଅବଢ଼ା ନପାଇ ଲିଙ୍ଗରାଜ ମନ୍ଦିରକୁ ଧାଇଁଥିଲେ। ସେଠି ବି ସମାନ ଅବସ୍ଥା ଦେଖିବାକୁ ମିଳିଥିଲା।
ବୁଧବାର ରାତି ପ୍ରାୟ ସାଢ଼େ ୨ଟାରେ ବାସୁଦେବ ମନ୍ଦିରର ପହୁଡ଼ ଖୋଲାଯାଇଥିଲା। ରାତି ୩ ଟାରେ ମଙ୍ଗଳ ଆଳତି ଅବକାଶ ନୀତି ସମ୍ପନ୍ନ ହେବା ପରେ ବ୍ରତପୂଜା ଆରମ୍ଭ ହୋଇଥିଲା। ଏହି ପୂଜା ଗୁରୁବାର ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିଥିଲା। ମନ୍ଦିର ସିଂହଦୁଆରଠାରୁ ଦୁଇ ପଟେ ଦୁଇ ଶହ ମିଟର ପର୍ଯ୍ୟନ୍ତ ବ୍ୟାରିକେଡ୍ ବନ୍ଧା ଯାଇଥିଲେ ମଧ୍ୟ ଭକ୍ତମାନେ ଗୋଟିଏ ପଟେ ଲିଙ୍ଗରାଜ ମାର୍କେଟ ପର୍ଯ୍ୟନ୍ତ ଓ ଅନ୍ୟ ପଟେ ଦ୍ବାରବାସିନୀ ମନ୍ଦିର ପର୍ଯ୍ୟନ୍ତ ଧାଡ଼ିରେ ଠିଆ ହୋଇଥିଲେ। ମନ୍ଦିର ସିଂହଦ୍ବାର ନିକଟରେ ମହିଳା ପୁଲିସ ଉଭୟ ପଟେ ଶୃଙ୍ଖଳିତ ଭାବେ ମହିଳାଙ୍କୁ ଭିତରକୁ ଛାଡ଼ିଥିଲେ।
ବ୍ରତ ପୂଜା ପରେ ଅବଢ଼ା ପ୍ରସାଦ ସେବନ ପାଇଁ ବାସୁଦେବ ମନ୍ଦିର ଆନନ୍ଦ ବଜାରରେ ବ୍ରତଧାରୀମାନଙ୍କ ପ୍ରବଳ ଭିଡ଼ ହୋଇଥିଲା। ଅବଢ଼ା ଚାହିଦା ଅଧିକ ଥିବାରୁ ଅପରାହ୍ଣ ୪ଟାରେ ବାସୁଦେବ ମନ୍ଦିର ଓ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରସାଦ ବାହରିବା ପରେ ଶ୍ରଦ୍ଧାଳୁମାନେ ନେଇଥିଲେ। ମନ୍ଦିରରେ ସକାଳ ସାଢ଼େ ୯ଟାରୁ ପ୍ରଥମ ଧୂପ ଆରମ୍ଭ ହୋଇ ସାଢ଼େ ୧୦ଟାରେ ଶେଷ ହୋଇଥିଲା। ଦ୍ବିତୀୟ ଧୂପ ୧୧ଟାରୁ ସାଢ଼େ ୧୨ଟା ମଧ୍ୟରେ ହୋଇଥିଲା। ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ବ୍ରାହ୍ମଣ ନିଯୋଗ ସମିତି ତରଫରୁ ଅବଢ଼ା ବ୍ୟବସ୍ଥା କରାଯାଇଥିଲା।