ରାଉରକେଲାରେ ଭୋଟ୍ ହାର ବୃଦ୍ଧି ପାଇଁ ପ୍ରଶାସନର ପ୍ରୟାସ

May 16, 2024 - 18:02
 3
ରାଉରକେଲାରେ ଭୋଟ୍ ହାର ବୃଦ୍ଧି ପାଇଁ ପ୍ରଶାସନର ପ୍ରୟାସ

ନବୀନ ଓଡିଶା ବ୍ଯୂର: ରାଉରକେଲା: ଆସନ୍ତା ୨୦ ତାରିଖରେ ସୁନ୍ଦରଗଡ ଜିଲ୍ଲାରେ ଉଭୟ ସୁନ୍ଦରଗଡ ଲୋକ ସଭା ଏବଂ ଏହା ଅଧିନରେ ଥିବା ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବାକୁ ଯାଉଛି। ଏହି ଭୋଟ୍ ଗ୍ରହଣ ପାଇଁ ପ୍ରଶାସନିକ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଁଚିଥିବାବେଳେ ଏଥର କିପରି ରାଉରକେଲା ଏବଂ ରଘୁନାଥପାଲୀ ବିଧାନସଭା କ୍ଷେତ୍ରରେ ଭୋଟ୍ ହାର ବୃଦ୍ଧିପାଇବ ତାହା ଉପରେ ବିଶେଷ ଜୋର ଦିଆଯାଉଛି ।

ରାଉରକେଲା ଏବଂ ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀରେ ଭୋଟ ହାର ୬୨ ରୁ ୬୩ ପ୍ରତିଶତ ମଧ୍ୟରେ ସୀମିତ ଥିବାରୁ ଏହା କିପରି ବୃଦ୍ଧି ପାଇବ ସେ ନେଇ ଜିଲ୍ଲା ପ୍ରଶାସନ ତରଫରୁ ଏକାଧିକ ପଦକ୍ଷେପ ହାତକୁ ନିଆଯାଇଛି । ମହିଳା, ପ୍ରଥମ ଥର ଭୋଟ୍ ଦେଉଥିବା ଭୋଟର, ଭିନ୍ନକ୍ଷମ ଆଦିଙ୍କ ପାଇଁ ଭିନ୍ନ ଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବିଭିନ୍ନ କଲେଜ ଛାତ୍ରଛାତ୍ରୀଙ୍କ୍ ମଧ୍ୟରେ ଚିତ୍ରାଙ୍କନ ଏବଂ କୁଇଜ୍ ପ୍ରତିଯୋଗୀତା ଆୟୋଜନ କରାଯିବା ସହ ମାରାଥନ, ୱାକାଥନ ଏବଂ ପଥପ୍ରାନ୍ତ ନାଟକ ର ମଧ୍ୟ ଆୟୋଜନ କରାଯାଇଛି।

ସେହିପରି ଭିନ୍ନକ୍ଷମ ଭୋଟରମାନେ ମଧ୍ୟ ଲୋକମାନଙ୍କ ପାଖରେ ଭୋଟ ଦେବାର ବାର୍ତା ପହଁଚାଇଛନ୍ତି । ବୁଥ ସ୍ତରରେ ଅଧିକାରୀମାନେ ଘରକୁ ଘର ବୁଲି ସର୍ଭେ କରି ଅଧିକ ରୁ ଅଧିକ ଲୋକ କିପରି ଭୋଟ ଦାନ ଦିନ ବୁଥରେ ପହଁଚି ଭୋଟ ଦେବେ ସେ ନେଇ ଲୋକଙ୍କୁ ବୁଝାଇଛନ୍ତି । ଏହା ସହିତ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଥ୍ ସବୁକୁ ବିଭିନ୍ନ ଥିମ୍ ରେ ସଜା ଯାଇଛି । ହକି ବୁଥ୍ , କେବଳ ମହିଳା ଅଫିସରଙ୍କୁ ନେଇ ପରିଚାଳିତ ହେଉଥିବା ପିଙ୍କ ବୁଥ, ଯୁବ ଅଧିକାରୀମାନଙ୍କୁ ନେଇ ଯୁବ ବୁଥ ଏପରିକି ଆଦିବାସୀ ମାନଙ୍କର ଜୀବନ ଶୈଳୀକୁ ନେଇ ଏଥିନିକ୍ ବୁଥ୍ ଏବଂ ଅର୍ଥାନିକ୍ ବୁଥ ଆଦିର ପରିକଳ୍ପନା କରାଯାଇଛି । ଏହା ସହିତ ଅଟୋରେ ଲୋକଙ୍କୁ ଭୋଟ ଅପିଲ ପାଇଁ ପୋଷ୍ଟର ମାରିବା ସହ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ନାଟକ କରି ଲୋକଙ୍କୁ ଭୋଟଦାନର ମହତ୍ୱ ବିଷୟରେ ଜଣାଇ ଦିଆଯାଉଛି ।

ବୁଥ ଗୁଡିକ ଲୋକଭୀମୁଖି ଏବଂ ଆକର୍ଷଣୀୟ କରିବା ପାଇଁ ଏକାଧିକ ବ୍ୟବସ୍ଥା କରାଯାଉଛି । ତୀବ୍ର ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ବୁଥ୍ ମାନଙ୍କରେ ପାନୀୟଜଳ, ଭିନ୍ନକ୍ଷମଙ୍କ ପାଇଁ ର‌୍ୟାମ୍ପ ବ୍ୟବସ୍ଥା କରିବା ସହ ଛାମୁଣ୍ଡିଆର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହା ସହିତ ଏହି ନିର୍ବାଚନ ମଣ୍ଡଳୀରେ ଭୋଟ ଦାନର ସମୟସୀମା ବୃଦ୍ଧି କରାଯାଇଛି । ଏଠାରେ ସକାଳ ୭ ଟା ରୁ ସଂଧ୍ୟା ୬ଯାଏ ମତଦାନ ଗ୍ରହଣ କରାଯିବ । ଯାହା ଫଳରେ ଲୋକମାନେ କାମରୁ ଫେରି ବୁଥ୍ କୁ ଯାଇ ନିଜର ଭୋଟ ଦେଇ ପାରିବେ ।

ରଘୁନାଥପାଲୀ ଏବଂ ରାଉରକେଲାର ଶିଳ୍ପାନୁଷ୍ଠାନରେ କାମ କରୁଥିବା ଲୋକମାନେ ଭୋଟଦିନ ଯେପରି ସବୈତନିକ ଛୁଟି ପାଇପାରିବାର ବ୍ୟବସ୍ଥା ହୋଇଛି । ଏହା ସହିତ ଲୋକ ରହୁଥିବା ଅଂଚଳର ଭୋଟ ଦାନ ବୃଦ୍ଧିପାଇଁ ୱାଲ ପେଟିଂର ବ୍ୟବସ୍ଥା ହୋଇଛି । ପ୍ରଶାସନକୁ ଏପରି କାର୍ଯ୍ୟରେ ସହାୟତା କରିବା ପାଇଁ ରାଉକେଲା ହୋଟେଲ ଏବଂ ରେଷ୍ଟୁରାଂଟ ଆସୋସିଏସନ ମଧ୍ୟ ଆଗେଇ ଆସିଛି । ନିର୍ବାଚନରେ ଭୋଟ ଦେଉଥିବା ଲୋକାମାନଙ୍କୁ ଆସୋସିଏସନ ଅର୍ନ୍ତଗତ କୌଣସି ହୋଟେଲରେ ଖାଇଲେ ସେଦିନ ୧୦% ରିହାତି ମିଳିବାର ଘୋଷଣା ହୋଇଛି । ପୁଣି ରାଉରକେଲାର ବୁଦ୍ଧିଜୀବୀମାନେ ମଧ୍ୟ ଲୋକଙ୍କୁ ଭୋଟ ଦେବାକୁ ଭିଡିଓ ବାର୍ତା ମାଧ୍ୟମରେ ଅପିଲ କରିଛନ୍ତି ।
ଏହା ସହିତ ପିଆଇବି ତରଫରୁ ମଧ୍ୟ ବିଭିନ୍ନ ବସ୍ତିରେ କୁଇଜ ସୋ ଏବଂ ପଥପ୍ରାନ୍ତ ନାଟକ କରାଯାଉଛି । ଏହା ଦ୍ୱାରା ଲୋକଙ୍କ ମଧ୍ୟରେ ଭୋଟ ଦାନ ପାଇଁ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି । ଏହି ଅବସରରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଡ. ପରାଗ ହର୍ଷଦ ଗାଭାଲୀ ଆଇଏଏସ ୨୦ ମେ ଅନୁଷ୍ଠିତ ହେଉଥିବା ଗଣତନ୍ତ୍ରର ଏହି ବିରାଟ ପର୍ବରେ ସମସ୍ତଙ୍କୁ ଭାଗ ନେଇ ଭୋଟ ଦେବାକୁ ଅନୁରୋଧ କରିଛନ୍ତି ।