ଯୁକ୍ତ ଦୁଇ ପରୀକ୍ଷା ପ୍ରସ୍ତୁତି ଆରମ୍ଭ, ଶିକ୍ଷକଙ୍କ ତାଲିକା ମାଗିଲା ସିଏଚ୍ଏସ୍ଇ

ଭୁବନେଶ୍ବର : ଯୁକ୍ତ ଦୁଇ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ( ସିଏଚ୍ଏସ୍ଇ) । ପରୀକ୍ଷା ପରିଚାଳନା ପାଇଁ ଶିକ୍ଷକଙ୍କ ତାଲିକା ମାଗିଛି ପରିଷଦ । ସିଏଚ୍ଏସ୍ଇ ପରୀକ୍ଷା ନିୟନ୍ତ୍ରକ ଏନେଇ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ କମ୍ପୋଜିଟ୍ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି । ଆସନ୍ତା ୧ରୁ ୧୫ ତାରିଖ ମଧ୍ୟରେ ଅନଲାଇନ୍ ମାଧ୍ୟମରେ ନିଜ ଶିକ୍ଷାନୁଷ୍ଠାନରେ ଥିବା ଶିକ୍ଷକଙ୍କ ତାଲିକା ବା ଷ୍ଟାଫ୍ ଇନ୍ ପୋଜିସନ୍ (ଏସ୍ଆଇପି) ତାଲିକା ଦେବାକୁ ଚିଠିରେ ଉଲ୍ଲେଖ ରହିଛି ।
ତେବେ ବାର୍ଷିକ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ୨୦୨୪ ପରୀକ୍ଷାରେ ନିୟୋଜିତ ହେବାକୁ ଥିବା ପରୀକ୍ଷକ ଅତି କମ୍ରେ ଜୁନିୟର ଅଧ୍ୟାପକ ରାଙ୍କରୁ କମ ହୋଇନଥିବା ଆବଶ୍ୟକ ବୋଲି ମଧ୍ୟ ଚିଠିରେ ଦର୍ଶାଯାଇଛି । ସେହିପରି ସାମ୍ସ ଇ-ସ୍ପେସ୍ରେ ଥିବା ନିର୍ଦ୍ଧିଷ୍ଟ ଫର୍ମାଟ୍ରେ ଏହି ତାଲିକା ଦେବାକୁ କୁହାଯାଇଛି । ଅନ୍ଲାଇନ୍ରେ ଫର୍ମପୂରଣ କରିବା ବେଳେ ଉକ୍ତ ଶିକ୍ଷକଙ୍କ ମୋବାଇଲ ନମ୍ବର(ହ୍ୱାଟ୍ସଆପ୍ ନମ୍ବର) ଏବଂ ଇ-ମେଲ୍ ଆଇଡି ବାଧ୍ୟତାମୂଳକ ଭାବେ ଦେବାକୁ କୁହାଯାଇଛି । ଯଦି ସଠିକ୍ ସମୟରେ ଏସ୍ଆଇପି ଡାଟା ଦିଆ ନଯାଏ, ତାହେଲେ ଉକ୍ତ ଶିକ୍ଷାନୁଷ୍ଠାନକୁ ଆର୍ଡମିଟ୍ କାର୍ଡ ଦିଆଯିବ ନାହିଁ ବୋଲି ସ୍ପଷ୍ଟ ଭାବେ ଶୁଣାଇ ଦିଆଯାଇଛି । ଏସ୍ଆଇପି ଡାଟାର ହାର୍ଡକପି ସିଏଚ୍ଏସ୍ଇ କାର୍ୟ୍ୟାଳୟକୁ ପଠାଇବାର ଆବଶ୍ୟକତା ନଥିବା ଚିଠିରେ ଉଲ୍ଲେଖ ରହିଛି ।
ସୂଚନା ଅନୁଯାୟୀ, ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ଥିଓରୀ ପରୀକ୍ଷା ଫେବୃଆରୀ ୧୪ରୁ ମାର୍ଚ୍ଚ ୧୩ ମଧ୍ୟରେ ଶେଷ ହେବ । ଏପ୍ରିଲ ଶେଷ ସପ୍ତାହ କିମ୍ବା ମେ’ ମାସ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ ।