ନିବେଶକ ୫ ଦିନରେ ହରାଇଲେ ୧୪ ଲକ୍ଷ କୋଟି

Oct 27, 2023 - 07:43
 4
ନିବେଶକ ୫ ଦିନରେ ହରାଇଲେ ୧୪ ଲକ୍ଷ କୋଟି

ମୁମ୍ବାଇ : ଛୁଟି ପରେ ଖୋଲିଥିବା ଷ୍ଟକ ବଜାରରେ ବୁଧବାରର କାରବାର ବେଶ ଚିନ୍ତାଜନକ ରହିଥିଲା। ଅର୍ଥନୀତି ଓ ଭୂରାଜନୈତିକ ସ୍ଥିତିକୁ ଦୃଷ୍ଟିରେ ରଖି ନିବେଶକମାନେ ସେୟାର ବିକ୍ରି କରିବାରୁ ବମ୍ବେ ଷ୍ଟକ ବଜାରର ସେନ୍‌ସେକ୍ସ ଆଜି ୫୨୩ ପଏଣ୍ଟ ହ୍ରାସ ପାଇ ୬୪,୦୪୯ ପଏଣ୍ଟ୍‌ରେ ବନ୍ଦ ହୋଇଥିବା ବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍‌ଟି ୧୬୦ ପଏଣ୍ଟ୍‌ ହ୍ରାସ ପାଇ ୧୯,୧୨୨ ପଏଣ୍ଟ୍‌ରେ ବନ୍ଦ ହୋଇଛି। ସେନ୍‌ସେକ୍ସରେ ଆଜି ଘଟିଥିବା ହ୍ରାସ ପ୍ରଭାବରେ ନିବେଶକମାନଙ୍କ ସମ୍ପତ୍ତିରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ହ୍ରାସ ଘଟିଛି। ଷ୍ଟକ ବଜାରରେ ତାଲିକାଭୁକ୍ତ ଥିବା ସମସ୍ତ କଂପାନିର ମୋଟ ବଜାର ପୁଞ୍ଜି (ମାର୍କେଟ କ୍ୟାପିଟାଲାଇଜେସନ) ୩୦୯.୨୨ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି। ଗତ ପାଞ୍ଚଟି କାରବାର ଦିନ‌ରେ ନିବେଶକମାନେ ୧୪ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। 

ଆଜି ଷ୍ଟକ ବଜାରରେ ବିଦେଶୀ ନିବେଶକମାନେ ୪,୨୩୬.୬୦ କୋଟି ଟଙ୍କାର ସେୟାର ବିକ୍ରି କରିଥିବା ବେଳେ ଘରୋଇ ନିବୋକମାନେ ୩,୫୬୯.୩୬ କୋଟି ଟଙ୍କାର ସେୟାର କିଣିଛନ୍ତି। ଚଳିତ ବର୍ଷ ବିଦେଶୀ ନିବେଶକମାନେ ୧,୧୦,୫୮୪ କୋଟି ଟଙ୍କାର ଭାରତୀୟ ସେୟାର କିଣିଛନ୍ତି। ଆଜି ଷ୍ଟକ ବଜାରରେ ହୋଇଥିବା ହ୍ରାସ ସମ୍ପର୍କରେ ବିଶେଷଜ୍ଞମାନେ କହିଛନ୍ତି ଯେ ଇସ୍ରାଏଲ ଓ ହମାସ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ସାରା ବିଶ୍ବର ନିବେଶକମାନଙ୍କୁ ବିଚଳିତ କରିଛି। ‌ଏହା ବ୍ୟତୀତ ଆଗାମୀ ଦିନରେ ସାରା ବିଶ୍ବରେ ଦରଦାମ ସ୍ଥିତି ଆହୁରି ଖରାପ ହୋଇପାରେ ବୋଲି ଏସ୍‌ଆଣ୍ଡ୍‌ପି ଗ୍ଲୋବାଲ ଆକଳନ କରିବା ପରେ ସେମାନେ ଆହୁରି ଚିନ୍ତିତ ହୋଇପଡ଼ିଛନ୍ତି।

ବିଭିନ୍ନ ଦେଶର ମୁଦ୍ରା ତୁଳନାରେ ଆମେରିକୀୟ ଡଲାର ସଶକ୍ତ ‌ହେଉଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ମଧ୍ୟ ୮୮ ଡଲାରକୁ ବୃଦ୍ଧି ପାଇଛି। ଏହି ସବୁ କାରଣ ବିଚାରକୁ ନେଇ ନିବେଶକମାନେ ପ୍ରଭାବିତ ହେବାକୁ ଥିବା କଂପାନିଗୁଡ଼ିକର ସେୟାର ବିକ୍ରି କରିଥିଲେ। ଆଜି ବମ୍ବେ ଷ୍ଟକ ବଜାରରେ ଇନ୍‌ଫୋସିସ୍, ଭାରତୀ ଏୟାରଟେଲ୍‌, ଏନ୍‌ଟିପିସି, ଇଣ୍ଡ୍‌ସଇଣ୍ଡ୍‌ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଟାଟା ମୋଟର୍ସ, ଏଲ୍‌ଆଣ୍ଡ୍‌ଟି, ବଜାଜ ଫାଇନାନ୍ସ, ଟେକ୍ ମହିନ୍ଦ୍ରା, ଟାଇଟାନ୍ ଓ ଆକ୍ସିସ୍ ବ୍ୟାଙ୍କର ସେୟାର ମୂଲ୍ୟ ହ୍ରାସ ପାଇଥିଲା।