ପୁରୀରେ ଭି.କେ ପାଣ୍ଡିଆନ୍ଙ୍କ ସମୀକ୍ଷା

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନର ସମୃଦ୍ଧ, ସଶକ୍ତ ଓ ନୂତନ ଓଡ଼ିଶା ଗଠନର ନୂତନ ସ୍ଥପତି ତଥା ‘୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ନୂଆ ଦାୟିତ୍ଵ ଗ୍ରହଣ ପରେ ଆଜି ଭୋରୁ ପୁରୀରେ ପ୍ରଥମ ସମୀକ୍ଷା କରିଛନ୍ତି। ଆଜି ବଡିଭୋରୁ ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ଭି.କେ.ପାଣ୍ଡିଆନ। ଭୋର ୪ଟାରେ ପୁରୀରେ ପହଞ୍ଚି ସକାଳ ୬ଟା ପର୍ୟ୍ୟନ୍ତ ସମୀକ୍ଷା କରିଥିଲେ ପାଣ୍ଡିଆନ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ତ୍ୱରାନ୍ୱିତ କରି ଡିସେମ୍ବର ୧୫ ତାରିଖ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ପରିକ୍ରମା ପ୍ରକଳ୍ପ ଡିସେମ୍ବର ୧୫ ତାରିଖ ସୁଦ୍ଧା ସରିଲେ ଏହା ନୂଆବର୍ଷରେ ଭକ୍ତଙ୍କ ପାଇଁ ନୂଆ ଅନୁଭୂତି ହେବ ବୋଲି କହିଛନ୍ତି ଭି.କେ.ପାଣ୍ଡିଆନ। ଏହା ସହ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ଗୁଡ଼ିକର ପୁନରୁଦ୍ଧାର କାମ ତ୍ୱରାନ୍ୱିତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ସେ ଶ୍ରୀମନ୍ଦିର ଚାରି ଦ୍ୱାର କାମ ମଧ୍ୟ ବୁଲି ଦେଖିଥିଲେ । ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ଦୁଇ ଚକିଆ ଗାଡିର ପାର୍କିଂ ପାଇଁ ପର୍ୟ୍ୟାପ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପରିକ୍ରମା ପ୍ରକଳ୍ପର ବିଦ୍ୟୁତ୍ ବ୍ୟବସ୍ଥା କାମ ନିର୍ଦ୍ଧାରିତ ସମୟରେ ଶେଷ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଜଗନ୍ନାଥ ବଲ୍ଲଭ ପାର୍କିଂ କାମ ସହ ଯାତ୍ରୀଙ୍କ ପାଇଁ କରାଯାଉଥିବା ବିଭିନ୍ନ ବିକାଶ କାମର ସମୀକ୍ଷା କରିଥିଲେ ଫାଇଭ୍-ଟି ଓ ମୋ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ଏହି ସମୟରେ ପୁରୀ ଜିଲ୍ଲାପାଳ, ଏସପି, ଓବିସିସି ଏମଡି ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ ୨୦୨୧ ନଭେମ୍ବର ମାସରେ ଏହି ୮୦୦ କୋଟି ଟଙ୍କାର ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା।