ଶିକ୍ଷା ଅଧିକାର ଆଇନ୍‌ ପାଳନରେ ବିଫଳ ହୋଇଛନ୍ତି ୟୁପି ସରକାର : ସୁପ୍ରିମକୋର୍ଟ  

Sep 26, 2023 - 03:32
 3
ଶିକ୍ଷା ଅଧିକାର ଆଇନ୍‌ ପାଳନରେ ବିଫଳ ହୋଇଛନ୍ତି ୟୁପି ସରକାର : ସୁପ୍ରିମକୋର୍ଟ  

ନୂଆଦିଲ୍ଲୀ: ନିକଟରେ ଭାଇରାଲ ହୋଇଥିବା ବିବାଦୀୟ ଭିଡିଓ ଜଣେ ମୁସଲିମ ଛାତ୍ରଙ୍କୁ ତାର ସହପାଠୀଙ୍କ ଦ୍ୱାରା ଚାପୁଡ଼ା ମାରାଇବା ଘଟଣାକୁ ସୁପ୍ରିମକୋର୍ଟ ଗୁରୁତର ସହ ବିଚାର କରିଛନ୍ତି । ସୁପ୍ରିମକୋର୍ଟ ସୋମବାର ଦିନ  ମୁଜାଫରନଗରର ଏକ ସ୍କୁଲରେ ଜଣେ ଶିକ୍ଷୟିତ୍ରୀଙ୍କ ନିର୍ଦ୍ଦେଶରେ ମୁସଲିମ ଛାତ୍ରଙ୍କୁ ତାର ସହପାଠୀ ଚାପୁଡ଼ା ମାରିବା ଘଟଣାର ଶୁଣାଣି କରିଛନ୍ତି । ଏହା ଶିକ୍ଷା ଅଧିକାର ଆଇନ ପାଳନ କରିବାରେ ଉତ୍ତର ପ୍ରଦେଶ ସରକାରଙ୍କ ବିଫଳତା ବୋଲି ଦର୍ଶାଇଛନ୍ତି ସୁପ୍ରିମକୋର୍ଟ । ଏଥି ସହିତ  ଏହି ମାମଲାର ତଦନ୍ତ ପାଇଁ ଜଣେ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ନିଯୁକ୍ତ କରିବାକୁ କୋର୍ଟ ସୋମବାର ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  । 
ସୋମବାର ଏହି ମାମଲାର ଶୁଣାଣି କରି ଜଷ୍ଟିସ ଅଭୟ ଏସ୍‌ ଓକା ଏବଂ ପଙ୍କଜ ମିତ୍ତଲଙ୍କ ଏକ ଖଣ୍ଡପୀଠ କହିଛନ୍ତି ଯେ ଆଇପିଏସ୍‌ ଅଧିକାରୀ ସର୍ବୋଚ୍ଚ ନ୍ୟାୟାଳୟରେ ତଦନ୍ତ ରିପୋର୍ଟ ଦାଖଲ କରିବେ । ଏହାଛଡ଼ା ପେସାଦାର କାଉନସେଲରଙ୍କ ଦ୍ୱାରା ପୀଡିତ ଛାତ୍ର ଓ ଏହି ଘଟଣାର ଶିକାର ଅନ୍ୟ ଛାତ୍ରମାନଙ୍କର କାଉନସେଲିଂ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ  ।
ସର୍ବୋଚ୍ଚ ଅଦାଲତ କହିଛନ୍ତି, ଏହି ମାମଲା ଶିକ୍ଷା ଅଧିକାର ଆଇନ ପାଳନ କରିବାରେ ଉତ୍ତର ପ୍ରଦେଶ ସରକାରଙ୍କ ବିଫଳ ହୋଇଛନ୍ତି । ଏହି ଆଇନ ଜାତି, ଧର୍ମ କିମ୍ବା ଲିଙ୍ଗ ଆଧାରରେ ଭେଦଭାବ ନକରି ୧୪ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ଗୁଣାତ୍ମକ, ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ ସହ ଜଡ଼ିତ  । ଖଣ୍ଡପୀଠ ଏହି ଘଟଣାକୁ ଗମ୍ଭୀର ବୋଲି ବର୍ଣ୍ଣନା କରିବା ସହ ଚାରି ସପ୍ତାହ ମଧ୍ୟରେ ରାଜ୍ୟର ସ୍କୁଲ ଗୁଡିକରେ ଶିକ୍ଷା ଅଧିକାର ଆଇନ କିପରି କାର୍ଯ୍ୟକାରୀ ହେଉଛି ସେ ସମ୍ପର୍କରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି ।