୪ ଶହ ବର୍ଷ ତଳର ଶିଳାଲେଖ ଆବଷ୍କୃତ

Sep 24, 2023 - 06:44
 1
୪ ଶହ ବର୍ଷ ତଳର ଶିଳାଲେଖ ଆବଷ୍କୃତ

ପୁରୀ: ପୁରୀ ଜିଲ୍ଲା ନିମାପଡା ବ୍ଲକ୍‌ ଅନ୍ତର୍ଗତ ଡେଣୁଅଁ ଗ୍ରାମଦେବୀ ପିଙ୍ଗଳାକ୍ଷୀ ମନ୍ଦିର ଦ୍ୱାରବନ୍ଧରେ ଖୋଦିତ ପ୍ରାଚୀନ ଓଡିଆ ଶିଳାଲେଖରେ ତିନି ଧାଡିଆ ବାକ୍ୟର ଅର୍ଥ ବାହାର କରିବାରେ ସଫଳ ହୋଇଛନ୍ତି ଗବେଷକ । ରିଡିସ୍କଭର ଲଷ୍ଟ ହେରିଟେଜ୍‌ ଗ୍ରୁପର ଐତିହ୍ୟ ଗବେଷକଙ୍କ ଉଦ୍ୟମରେ ଏହି ପ୍ରାଚୀନ ମନ୍ଦିରର ଶିଳାଲେଖର ଭାବାର୍ଥକୁ ଉଦ୍ଧାର କରି ଡକ୍ୟୁମେଣ୍ଟେସନ କରାଯାଇଛି । ମନ୍ଦିର ଗାତ୍ରରେ ରହିଛି ୪ଶହ ବର୍ଷ ତଳର ପ୍ରାଚୀନ ଓଡିଆ ଶିଳାଲେଖ । 
ଐତିହ୍ୟ ଗବେଷକ ଦୀପକ କୁମାର ନାୟକ କହିଛନ୍ତି, ପୀଠ ଦେବୀ ପିଙ୍ଗଳାକ୍ଷୀଙ୍କ ଗର୍ଭଗୃହକୁ ଯାଇଥିବା ବାମ ପାର୍ଶ୍ୱ ଦ୍ୱାରରେ ତିନି ଧାଡି ବିଶିଷ୍ଟ ଏକ ପ୍ରାଚୀନ ଓଡିଆ ଶିଳାଲେଖ ଦେଖିବାକୁ ପାଇଥିଲୁ । ଏହି ଲିପି ଉପରେ ଚୂନର ପ୍ରଲେପ ଦିଆଯାଇଥିବାରୁ କିଛି ଅକ୍ଷର ଲୁଚି ଯାଇଛି ଓ କିଛି ଅକ୍ଷର ଦୃଶ୍ୟମାନ ହେଉନାହିଁ । ତେବେ ଯେତିକି ଲିପି ପାଠୋଦ୍ଧାର ହୋଇଛି ସେଥିରୁ ମନ୍ଦିର ସମ୍ପର୍କିତ କିଛି ତଥ୍ୟ ହସ୍ତଗତ ହୋଇଛି । କୁଶଭଦ୍ରା ନଦୀ କୂଳରେ ଏପରି ବହୁ ଐତିହ୍ୟ କୀର୍ତ୍ତିରାଜି ରହିଛି । ପ୍ରାଚୀନ ହୋଇଥିଲେ ସୁଦ୍ଧା ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏହାର ଦସ୍ତାବିଜ କରାଯାଉନାହିଁ । ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଏହାର ସଂରକ୍ଷଣ ପାଇଁ ଆଗେଇ ଆସିବା ଉଚିତ ବୋଲି ସେ କହିଛନ୍ତି ।