ସଙ୍କଟରେ ରାଜ୍ୟର କମ୍ୟୁନିଟି ରେଡ଼ିଓ: ଦୁଇ ବର୍ଷ ହେଲା ବିଜ୍ଞାପନ ବନ୍ଦ

ରାଜ୍ୟରେ ତିରିଶରୁ ଅଧିକ କମ୍ୟୁନିଟି ରେଡିଓ ଷ୍ଟେସନ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରୁଛନ୍ତି. ଏହି ଷ୍ଟେସନ ଗୁଡିକ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି କ୍ଷେତ୍ରର ବିକାଶ ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି. ଗ୍ରାମୀଣ ଅଂଚଳରେ ଲୋକମାନଙ୍କୁ ସଚେତନ କରିବା, ସାମାଜିକ କୁସଂସ୍କାର ଠାରୁ ଦୁରେଇ ରଖିବା, ଯୁବବର୍ଗଙ୍କୁ ଆତ୍ମନିଯୁକ୍ତି ସମ୍ପର୍କରେ ସୂଚନା ଦେବା ସହ ବିପର୍ଯ୍ୟୟ ପରିଚାଳନା ସମୟରେ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିଥାନ୍ତି. କମ୍ୟୁନିଟି ରେଡିଓ ଷ୍ଟେସନ ଗୁଡିକ ଗ୍ରାମୀଣ ଅଂଚଳରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ମଧ୍ୟ ତଥ୍ୟ ପହଞ୍ଚାଇଥାନ୍ତି. ସ୍ଥାନୀୟ ଲୋକଗୀତ ସଙ୍ଗୀତର ପ୍ରଚାର ପ୍ରସାର କରିବା ସହ କଳାକାରମାନଙ୍କୁ କାର୍ଯ୍ୟକ୍ରମ ମାଧ୍ୟମରେ ଉତ୍ସାହିତ କରିଥାନ୍ତି. ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିଥାନ୍ତି. ଅପହଞ୍ଚ ଅଂଚଳରେ ସୂଚନା ପହଞ୍ଚାଇବାରେ ଏଭଳି ରେଡିଓ ଷ୍ଟେସନ ବେଶ ପ୍ରଭାବଶାଳୀ ଭୂମିକା ନିର୍ବାହ କରନ୍ତି.
ଅଧିକାଂଶ କମ୍ୟୁନିଟି ରେଡ଼ିଓ ଷ୍ଟେସନ ଗ୍ରାମାଞ୍ଚଳରେ କାର୍ଯ୍ୟରତ. ଗାଁ ଗହଳିରେ ସ୍ଥାନୀୟ ବିଜ୍ଞାପନ ପାଇବା କଷ୍ଟକର. ଏଣୁ କମ୍ୟୁନିଟି ରେଡିଓ ଷ୍ଟେସନ ଗୁଡିକ ମୁଖ୍ୟତଃ ସରକାରୀ ବିଜ୍ଞାପନ ଉପରେ ନିର୍ଭର କରିଥାନ୍ତି. କିନ୍ତୁ ଦୁଃଖର କଥା ରାଜ୍ୟ ସରକାର କମ୍ୟୁନିଟି ରେଡିଓ ଷ୍ଟେସନଗୁଡିକୁ ବିଜ୍ଞାପନ ଦେବା ବନ୍ଦ କରି ଦେଇଛନ୍ତି. ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଦୌଡ଼ି ଦୌଡ଼ି ନିରାଶ ହେଲେଣି ରାଜ୍ୟର ତିରିଶରୁ ଅଧିକ କମ୍ୟୁନିଟି ରେଡ଼ିଓ ଷ୍ଟେସନର କର୍ମକର୍ତ୍ତା. ଦୁଇ ବର୍ଷ ହେବ ରାଜ୍ୟର କୌଣସି କମ୍ୟୁନିଟି ରେଡିଓ ଷ୍ଟେସନକୁ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ବିଜ୍ଞାପନ ପ୍ରସାରଣ ପାଇଁ ଦିଆଯାଉ ନାହିଁ.
9 ଫେବୃଆରୀ 2021ରେ ପ୍ରକାଶିତ ଏକ ନିର୍ଦେଶନାମା ଅନୁସାରେ ରାଜ୍ୟ ସରକାର ଗଣମାଧ୍ୟମ ବିଜ୍ଞାପନ ପାଇଁ ଜିଏସଟି ବାଧ୍ୟତାମୂଳକ କରିଛନ୍ତି. ତେବେ ଅଧିକାଂଶ କମ୍ୟୁନିଟି ରେଡିଓ ଷ୍ଟେସନ ଏନଜିଓମାନଙ୍କ ଦ୍ୱାରା ପରିଚାଳିତ ଓ ଲାଭ ଉଦ୍ଦେଶ୍ୟରେ କାର୍ଯ୍ୟ କରୁନଥିବାରୁ ଜିଏସଟି ପଞ୍ଜିକରଣ କରିନାହାନ୍ତି. ଜିଏସଟି ନଥିବା ଯୋଗୁଁ ରେଡିଓ ଷ୍ଟେସନଗୁଡିକୁ ବିଜ୍ଞାପନ ରିଲିଜ ବନ୍ଦ କରାଯାଇଛି. କେନ୍ଦ୍ର ସରକାରଙ୍କ ବିଜ୍ଞାପନ ଦେଉଥିବା ସଂସ୍ଥା ସେଣ୍ଟ୍ରାଲ ବ୍ୟୁରୋ ଅଫ କମ୍ୟୁନିକେସନ (ଡିଏଭିପି) କମ୍ୟୁନିଟି ରେଡ଼ିଓ ପାଇଁ ଜିଏସଟି ବାଧ୍ୟତାମୂଳକ କରିନାହାନ୍ତି. ତେବେ ରାଜ୍ୟ ସରକାରଙ୍କ ନିୟମ ପରେ ବାଧ୍ୟ ହୋଇ କେତେକ କମ୍ୟୁନିଟି ରେଡ଼ିଓ ଷ୍ଟେସନ ଜିଏସଟି ପଞ୍ଜିକରଣ କରିଛନ୍ତି ଓ ଆଇଏନପିଆର ଡିପାର୍ଟମେଣ୍ଟକୁ ଜଣାଇଛନ୍ତି. ତଥାପି ମଧ୍ୟ ବିଜ୍ଞାପନ ରିଲିଜ କରୁନାହାନ୍ତି ସରକାର.
ନୂଆ କମ୍ୟୁନିଟି ରେଡିଓ ଷ୍ଟେସନଟିଏ କାର୍ଯ୍ୟକ୍ଷମ ହେବା ମାତ୍ରେ କେନ୍ଦ୍ର ସରକାରଙ୍କ ବିଜ୍ଞାପନ ଦେଉଥିବା ସଂସ୍ଥା ସେଣ୍ଟ୍ରାଲ ବ୍ୟୁରୋ ଅଫ କମ୍ୟୁନିକେସନ (ଡିଏଭିପି) ତୁରନ୍ତ ନିଜ ଆଡୁ ଷ୍ଟେସନଟିକୁ ପଞ୍ଜିକରଣ କରି ବିଜ୍ଞାପନ ଦେବା ପ୍ରକ୍ରିୟା ଆରମ୍ଭ କରନ୍ତି. କିନ୍ତୁ ରାଜ୍ୟ ସରକାରଙ୍କ ଆଇଏନପିଆର ବିଭାଗକୁ ଆବେଦନ କଲେ ମଧ୍ୟ ନୂଆ ରେଡିଓ ଷ୍ଟେସନକୁ ଏଂପ୍ୟାନେଲ କରାଯାଉ ନାହିଁ. ଏଭଳି ଅନେକ ଆବେଦନ ଏବେ ବିଭାଗରେ ପଡି ରହିଛି. ଓଡିଶା କମ୍ୟୁନିଟି ରେଡିଓ ସଂଖ୍ୟା ଦୃଷ୍ଟିରୁ ଦେଶରେ ଏକ ଆଗୁଆ ରାଜ୍ୟ. କିନ୍ତୁ ରାଜ୍ୟରେ ପ୍ରୋତ୍ସାହନ ଅଭାବରୁ କମ୍ୟୁନିଟି ରେଡିଓ ଷ୍ଟେସନଗୁଡିକର ଆର୍ଥିକ ସ୍ଥିତି ଦୋହଲି ଯାଇଛି. ଏଭଳି ସ୍ଥିତି ଜାରି ରହିଲେ ଷ୍ଟେସନଗୁଡିକ ବନ୍ଦ ହୋଇଯିବା ଆଶଙ୍କା ରହିଛି ବୋଲି କହିଛନ୍ତି କମ୍ୟୁନିଟି ରେଡିଓ ଆସୋସିଏସନ ଓଡ଼ିଶାର କାର୍ଯ୍ୟନିର୍ବାହୀ ସମ୍ପାଦକ ସୁବ୍ରତ କୁମାର ପତି।