ଦିବ୍ୟ ଆଭୂଷଣରେ ପୂର୍ଣ୍ଣ ରାମଲାଲାଙ୍କ ମୂର୍ତ୍ତି

Jan 24, 2024 - 22:48
 3
ଦିବ୍ୟ ଆଭୂଷଣରେ ପୂର୍ଣ୍ଣ ରାମଲାଲାଙ୍କ ମୂର୍ତ୍ତି

ନବୀନ ଓଡିଶା :  ବ୍ଯୂରଅଯୋଧ୍ୟା ରାମମନ୍ଦିରରେ ଭଗବାନ ରାମଲାଲାଙ୍କ ମୂର୍ତ୍ତିରେ ଖଚିତ ହୋଇଛି ମୂଲ୍ୟବାନ ଅଳଙ୍କାର । ରାମଲାଲାଙ୍କ  ମୂର୍ତ୍ତିରେ ମଣ୍ଡିତ ହୋଇଥିବା ପ୍ରତ୍ୟେକ ଅଳଙ୍କାରର ମହତ୍ତ୍ୱ ରହିଛି। ରାମଲାଲାଙ୍କ ବାଲ୍ୟ ସମୟର ମୂର୍ତ୍ତି ସ୍ଥାପନ କରାଯାଇଛି । ବର୍ତ୍ତମାନ ଦେବତାଙ୍କ ବୟସ ପାଞ୍ଚବର୍ଷ ହୋଇଥିବାରୁ ତାଙ୍କ ପାଖରେ ଖେଳିବା ପାଇଁ ରୂପା ଖେଳନା ରଖାଯାଇଛି । ରାମଲାଲା ପିନ୍ଧିଥିବା ମୁକୁଟ ହେଉଛି ସୂର୍ଯ୍ୟଦେବଙ୍କ ପ୍ରତୀକ । ଏହି ମୁକୁଟରେ ମାଣିକ୍ୟ, ନୀଳକାନ୍ତ ମଣି ଓ ହୀରାଖଚିତ ହୋଇଛି । ଉତ୍ତର ଭାରତୀୟ ପରମ୍ପରାରେ ଏହି ସୁନାମୁକୁଟ ତିଆରି କରାଯାଇଛି।  ମୁକୁଟର ଡାହାଣ ପାର୍ଶ୍ୱରେ ମୋତି ବୁଣା ଯାଇଥିଲାବେଳେ କେନ୍ଦ୍ରରେ ସୂର୍ଯ୍ୟଦେବଙ୍କ ପ୍ରତୀକ ରହିଛି।

ଏକ ବଡ଼ ମାଣିକ୍ୟ ଓ ହୀରାରେ ସଜ୍ଜିତ କୌସ୍ତୁଭ ମଣି ରାମଲାଲାଙ୍କ ମୂର୍ତ୍ତିର ହୃଦୟରେ ଶୋଭା ପାଉଛି। ରାମଲାଲା ପିନ୍ଧିଥିବା ସବୁଠାରୁ ଲମ୍ବା ହାର ହେଉଛି ବିଜୟମାଳା ଯାହା ମାଣିକ୍ୟଖଚିତ ସୁନାହାର। ଏହି ହାରରେ ବୈଷ୍ଣବ ପରମ୍ପରାର ପ୍ରତୀକ – ସୁଦର୍ଶନ ଚକ୍ର, ପଦ୍ମ, ଶଙ୍ଖ ଓ ମଙ୍ଗଳ କଳସ ରହିଛି। ଏଥିସହ ରାମଲାଲା ଅର୍ଦ୍ଧଚନ୍ଦ୍ର ଆକୃତିର କାନ୍ତା ଅଳଙ୍କାର ପିନ୍ଧିଛନ୍ତି । ଯେଉଁ ଅଳଙ୍କାରର କେନ୍ଦ୍ରରେ ସୂର୍ଯ୍ୟଦେବଙ୍କ ଛବି ରହିଛି। ନାଭି ଉପରେ ପିନ୍ଧିଥିବା ଆଉ ଏକ ହାର ହେଉଛି ପାଦିକା ଯେଉଁଥିରେ ହୀରା ଓ ବୈଦୁର୍ଯ୍ୟ ଖଞ୍ଜାଯାଇଛି।

 ହୀରା, ମାଣିକ୍ୟ, ମୋତି ଓ ନୀଳକାନ୍ତ ମଣି ଭର୍ତ୍ତି ହୋଇଥିବା ବିସ୍ତୃତ ସୁନା ଅଣ୍ଟାବିଛାକୁ କୁହାଯାଉଛି କାଞ୍ଚି। ଏଥିରେ ଛୋଟ ଛୋଟ ଘଣ୍ଟି ଲାଗିଛି ଯାହା ପବିତ୍ରତାର ପ୍ରତୀକ ବୋଲି କୁହାଯାଉଛି । ପାଦରେ ବଳାରେ ସଜ୍ଜିତ କରାଯାଇଥିଲାବେଳେ ପାଦ ଆଙ୍ଗୁଠିକୁ ହୀରା ଓ ମାଣିକ୍ୟ ମୁଦିରେ ସଜ୍ଜିତ କରାଯାଇଛି । ଏଥିସହ ତାଙ୍କ ବାମ ହାତରେ ଏକ ସୁନା ଧନୁ ଓ ଡାହାଣ ହାତରେ ତୀର ରହିଛି। ଖାଲିସେତିକି ନୁହେଁ ରାମଲାଲାଙ୍କ କପାଳରେ ଲଗାଯାଇଥିବା ଲାଲ ତିଳକରେ ହୀରା ଓ ମାଣିକ୍ୟ ଖଚାଯାଇଛି । ସୂଚନା ଅନୁସାରେ, ଅଧ୍ୟାତ୍ମ ରାମାୟଣ, ବାଲ୍ମୀକି ରାମାୟଣ, ରାମଚରିତମାନସ ଏବଂ ଅଲବାନ୍ଦର ସ୍ତୋତ୍ର ସମେତ ଶାସ୍ତ୍ରର ଗବେଷଣା ଓ ଅଧ୍ୟୟନ ଆଧାରରେ ଏହି ଅଳଙ୍କାର ତିଆରି କରାଯାଇଛି।