୨ଶହ ଛୁଇଁଲାଣି ଡାଲି ଦର

ଭୁବନେଶ୍ୱର:ପୂର୍ବରୁ ତେଲ, ଅଟା ଓ ଚାଉଳ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଖାଉଟିଙ୍କୁ ପ୍ରଭାବିତ କରିଥିବାବେଳେ ଏବେ ଡାଲିର ମାତ୍ରାଧିକ ଦର ବୃଦ୍ଧି ଯୋଗୁଁ ସାଧାରଣଲୋକଙ୍କ ଖାଇବା ଥାଳିରୁ ଡାଲି ଗାଏବ ହେବାକୁ ବସିଲାଣି। ଗତବର୍ଷ ଡାଲି ଦର କିଲୋ ପ୍ରତି ୧୦୦-୧୨୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଚଳିତ ବର୍ଷ ୨ଶହ ଛୁଇଁଲାଣି। ବର୍ଷକ ଭିତରେ ଡାଲି ଦର ଦୁଇ ଗୁଣ ବୃଦ୍ଧି ଖାଉଟି ସମେତ ବ୍ୟବସାୟୀଙ୍କ ମହଲରେ ମଧ୍ୟ ଅସନ୍ତୋଷ ବୃଦ୍ଧି ପାଇଲାଣି। ଅତ୍ୟାବଶ୍ୟକ ସାମଗ୍ରୀ ଦର ଉପରେ ସରକାରୀ ନିୟନ୍ତ୍ରଣ ନ ଆସିଲେ ପୁଞ୍ଜିଭୂତ ଜନଅସନ୍ତୋଷ ଆଗାମୀ ଦିନରେ ବିସ୍ଫୋରକ ନେଇପାରେ ବୋଲି ବୁଦ୍ଧିଜୀବୀ ମହଲ ଆଶଙ୍କା ବ୍ୟକ୍ତ କଲେଣି।
ସୂଚନା ଅନୁସାରେ, ଓଡ଼ିଶାରେ ବାର୍ଷିକ ୯ଲକ୍ଷ ୪୦ହଜାର କ୍ୱିଣ୍ଟାଲ୍ ଡାଲି ଓ ଡାଲି ଜାତୀୟ ଦ୍ରବ୍ୟର ଆବଶ୍ୟକତା ରହିଛି। ଓଡ଼ିଶା ବଜାରରେ ମାସକୁ ୭୫ରୁ ୮୦ହଜାର ଟନ୍ ଡାଲି ବିକ୍ରି ହେଉଛି। ବର୍ତ୍ତମାନ ପାଇକାରୀ ଦର କିଲୋ ପ୍ରତି ୧୬୦ରୁ ୧୭୦ ଥିବାବେଳେ ଖୁଚୁରା ଦର ୧୮୦ରୁ ୨ଶହ ଟଙ୍କାରେ ପହଞ୍ଚିଲାଣି। ବର୍ଷକ ତଳେ ଏହା ୮୦ରୁ ୧୦୦ ଟଙ୍କା ଭିତରେ ଥିଲା। ବର୍ଷକ ଭିତରେ ଦୁଇ ଗୁଣ ଦର ବଢ଼଼ିବା ଯୋଗୁଁ ଲୋକମାନଙ୍କର କ୍ରୟ କରିବାର କ୍ଷମତା ମଧ୍ୟ ହ୍ରାସ ପାଉଛି। ପୂର୍ବରୁ ଯେଉଁ ପରିବାର ମାସକୁ ୧୦କିଲୋ ଡାଲି କିଣୁଥିଲା, ସେ ଏବେ ୫ କିଲୋକୁ କମାଇ ଦେଲେଣି। ଖାଉଟି ଏଭଳି ନିଆଣ୍ଟିଆ ଭାବେ ଚଳୁଥିବାବେଳେ ବ୍ୟବସାୟୀମାନେ ମଧ୍ୟ କିଛି ମାତ୍ରାରେ କ୍ଷତିଗ୍ରସ୍ତ ହେଉଛନ୍ତି। ହେଲେ କର୍ପୋରେଟ୍ ସଂସ୍ଥା ଏଥିରେ ବିଶେଷ ଲାଭବାନ ହେଉଛି। ଅନ୍ୟପକ୍ଷରେ ଖାଇବା ଥାଳିରେ ଡାଲି ଅତ୍ୟାବଶ୍ୟକ ହୋଇଥିବାରୁ ସ୍ୱଳ୍ପ ବେତନଭୋଗୀ କର୍ମଚାରୀ ଓ ଆର୍ଥିକ ଅନଗ୍ରସର ବର୍ଗ ବିଶେଷ ପ୍ରଭାବିତ ହେଉଛନ୍ତି। ଯେଉଁମାନେ ଦୈନିକ ୩ଶହ ଗ୍ରାମ୍ ଡାଲି ଖାଉଥିଲେ, ସେମାନେ ବାଧ୍ୟ ହୋଇ ନିଅଣ୍ଟିଆ ଭାବେ ଦେଢ଼ ଶହ ଗ୍ରାମ୍କୁ କମାଇ ଦେଉଛନ୍ତି। କର୍ପୋରେଟ୍ ସଂସ୍ଥାମାନଙ୍କର ଏଭଳି ମନମାନୀ ଉପରେ କେନ୍ଦ୍ର ସରକାର ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି ସାଧାରଣ ଖାଉଟି ଦାବି କରିଛନ୍ତି।