୧୦୨ ଜଣ ସହକାରୀ ପ୍ରାଧ୍ୟାପକଙ୍କୁ ମିଳିଲା ନିଯୁକ୍ତି
news-details/appointment -102

ନବୀନ ଓଡିଶା ବ୍ଯୂର:18.11.2023:ଭୁବନେଶ୍ୱର : ଏକ ସଙ୍ଗରେ ୧୦୨ ଜଣ ସହକାରୀ ପ୍ରାଧ୍ୟାପକଙ୍କୁ ସ୍ୱାସ୍ଥ୍ୟ ବିଭାଗରେ ନିଯୁକ୍ତି ମିଳିଛି । ଏହି ଅବସରରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ନିଯୁକ୍ତ ସହକାରୀ ପ୍ରାଧ୍ୟାପକମାନଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବା ଅବସରରେ ରୋଗୀ ସେବା କରିବା ସମୟରେ ମାନବୀୟ ସ୍ପର୍ଷ ସୁନିଶ୍ଚିତ କରିବା ଲାଗି ସେମାନଙ୍କୁ ପରାମର୍ଶ ଦେଇଛନ୍ତି।ଡାକ୍ତରମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ ଏବଂ ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ୍’, ଲକ୍ଷ୍ୟ ନେଇ ଆମେ ସ୍ୱାସ୍ଥ୍ୟ ସେବାରେ ରୂପାନ୍ତରଣ ଆଣୁଛୁ । ଜନସାଧାରଣଙ୍କ କାନ୍ଧ ଉପରୁ ସ୍ୱାସ୍ଥ୍ୟ ସେବା ଜନିତ ବ୍ୟୟଭାର ଲାଘବ କରିବା ଉଦ୍ଦେଶ୍ୟ ନେଇ ସମସ୍ତଙ୍କ ପାଇଁ ବିଶ୍ୱସ୍ତରୀୟ ଓ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଆମ ସରକାର ବଦ୍ଧପରିକର । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ରାଜ୍ୟର ସମସ୍ତ ସରକାରୀ ମେଡିକାଲରେ ସ୍ୱାସ୍ଥ୍ୟ ସେବାର ସମସ୍ତ ଖର୍ଚ୍ଚ ସରକାର ବହନ କରୁଛନ୍ତି ।
ଆମର ମେଡିକାଲ କଲେଜରେ ମଧ୍ୟ ରୋଗୀଙ୍କୁ ଯେପରି ସର୍ବୋତ୍ତମ ଚିକିତ୍ସା ସେବା ମିଳିବ ତାହା ସରକାର ସୁନିଶ୍ଚିତ କରୁଛନ୍ତି । ହେଲେ ଆମେ ଏତିକିରେ ଅଟକି ଯାଇ ନାହୁଁ । ସରକାରୀ ଡାକ୍ତରଖାନାରେ ରୋଗୀ ଓ ଜନସାଧାରଣଙ୍କୁ ଆହୁରି ଭଲ ସେବା ଯୋଗାଇ ଦେବା ଲକ୍ଷ୍ୟରେ ଆମେ ଅତ୍ୟାଧୁନିକ ଏବଂ ନୂଆ ଭିତ୍ତିଭୂମି ସୃଷ୍ଟି କରୁଛୁ । ‘ଆମ ହସ୍ପିଟାଲ’ ଯୋଜନା ମାଧ୍ୟମରେ ସରକାରୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ରୂପାନ୍ତରଣ କରାଯାଉ ଥିବା ବେଳେ କମ ସମୟ ଭିତରେ ଗୋଟିଏ ପରେ ଗୋଟିଏ ମେଡିକାଲ କଲେଜ ଖୋଲିବା ସ୍ୱାସ୍ଥ୍ୟ ସେବା ପ୍ରତି ଥିବା ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି।
ରାଜ୍ୟରେ ଜାରି ରହିଥିବା ରୂପାନ୍ତରଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ୫-ଟି ରୂପାନ୍ତରଣ ପଦକ୍ଷେପ ଏକ ନୂଆ ଏବଂ ସଶକ୍ତ ଓଡ଼ିଶା ଗଠନ ପାଇଁ ପଥ ପରିଷ୍କାର କରିଛି । ଟ୍ରାନ୍ସପାରେନ୍ସି, ଟେକ୍ନୋଲୋଜି, ଟିମ୍ ୱାର୍କ ଏବଂ ଟାଇମ୍ ଆଧାରରେ ଆମେ ଟ୍ରାନ୍ସଫର୍ମେସନ୍ ଅବା ରୂପାନ୍ତରଣ ପରିକଳ୍ପନାକୁ ବାସ୍ତବ ରୂପ ଦେଇଛୁ । ତେଣୁ ଆପଣମାନେ ମଧ୍ୟ ଏହି ଉପକ୍ରମ ଅନୁସରଣ କରି ପରିବର୍ତ୍ତନର ସାରଥୀ ହୁଅନ୍ତୁ ବୋଲି ନବନିଯୁକ୍ତ ସହକାରୀ ପ୍ରାଧ୍ୟାପକମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । କଠିନ ଅଧ୍ୟବସାୟ ବଳରେ ଆପଣମାନେ ଏହି ସ୍ଥାନରେ ପହଞ୍ଚି ପାରିଛନ୍ତି, ଆପଣ ଏବଂ ଆପଣଙ୍କ ପିତାମାତାଙ୍କର ଏହି ଖୁସିକୁ ମୁଁ ଭଲ ଭାବେ ଅନୁଭବ କରିପାରୁଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।